ନୂଆଦିଲ୍ଲୀ,୧୧/୦୧: କାଲିଫର୍ନିଆର ଲସ୍ ଆଞ୍ଜେଲସ୍ରେ ଲାଗିଥିବା ଅଗ୍ନିକାଣ୍ଡ ଏପର୍ଯ୍ୟନ୍ତ ପ୍ରାୟ ୧୨ ହଜାର କୋଠାକୁ ଜାଳିପୋଡ଼ି ପାଉଁଶ କରିଦେଇଛି। ଏହି ଅଗ୍ନିକାଣ୍ଡ ପାଖାପାଖି ୫୬ ବର୍ଗ ମାଇଲ (୧୪୨ ବର୍ଗ କିଲୋମିଟର) ଅଞ୍ଚଳକୁ ଗ୍ରାସ କରିଛି, ଯାହା ସାନ ଫ୍ରାନ୍ସିସ୍କୋର ଆକାର ଠାରୁ ମଧ୍ୟ ବଡ଼। ଏହା ବ୍ୟତୀତ, ଏହି ଅଗ୍ନିକାଣ୍ଡ ଏପର୍ଯ୍ୟନ୍ତ ଅତି କମରେ ୧୧ ଜଣଙ୍କ ଜୀବନ ନେଇସାରିଛି। ମଙ୍ଗଳବାର କାଲିଫର୍ନିଆରେ ଯେଉଁ ଅଗ୍ନିକାଣ୍ଡ ଘଟିଥିଲା ତାହା ଆଂଶିକ ଭାବରେ ସାଣ୍ଟା ଆନା ଓ୍ବିଣ୍ଡ ଯୋଗୁଁ ହୋଇଥିବା କୁହାଯାଉଛି। ଗୁରୁବାର ଅଗ୍ନିକାଣ୍ଡର ତୀବ୍ରତା ହ୍ରାସ ପାଇଥିଲେ ମଧ୍ୟ, ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ସପ୍ତାହାନ୍ତରେ ନିଆଁ ପୁଣି ଥରେ ବ୍ୟାପିପାରେ।
କାଲିଫର୍ନିଆର ଲସ୍ ଆଞ୍ଜେଲସ୍ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ଆର୍ଥିକ କ୍ଷତିର ଆକଳନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ସେହିପରି, ପାଣିପାଗ ତଥ୍ୟ ପ୍ରଦାନ କରୁଥିବା ଏକ ଘରୋଇ କମ୍ପାନୀ ଆକ୍ୟୁ ଓ୍ବେଦର ଆକଳନ କରିଛି ଯେ ଏହି କ୍ଷତି ପ୍ରାୟ ୧୩୫ ବିଲିୟନ ଡଲାରରୁ ୧୫୦ ବିଲିୟନ ଡଲାର ହୋଇପାରେ। ତଥାପି, ସରକାରୀ ଅଧିକାରୀମାନେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରିନାହାଁନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ, ପାସିଫିକ୍ ପାଲିସେଡ୍ସର ପାହାଡ଼ି ଉପକୂଳବର୍ତ୍ତୀ ଅଞ୍ଚଳରେ ୫୩୦୦ ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଜେମି ଲି କର୍ଟିସ ଏବଂ ବିଲି କ୍ରିଷ୍ଟାଲ ଭଳି ସେଲିବ୍ରିଟିଙ୍କ ଘର ରହିଛି। ଏହାରି ଭିତରେ ପାସାଡେନାର ଉତ୍ତର ଭାଗରେ ୭୦୦୦ ରୁ ଅଧିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ପୋଡ଼ି ପାଉଁଶ ହୋଇଯାଇଛି।
ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ସୁଦ୍ଧା ୧,୫୦,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାରି ଭିତରେ, ଦକ୍ଷିଣ କାଲିଫର୍ନିଆର ପ୍ରାୟ ୧୭ ନିୟୁତ ଲୋକଙ୍କୁ ବାୟୁ ଗୁଣବତ୍ତା ଏବଂ ଧୂଳିକଣା ବିଷୟରେ ଚେତାବନୀ ଜାରି କରାଯାଇଛି, କାରଣ ଧୂଆଁ ଏବଂ ପାଉଁଶର ଘନ ଆସ୍ତରଣ ଆକାଶକୁ ଆଚ୍ଛାଦିତ କରି ରଖିଛି। ଏହା ବ୍ୟତୀତ, ଦକ୍ଷିଣ କାଲିଫର୍ନିଆରେ ୧,୭୫,୦୦୦ ରୁ ଅଧିକ ଲୋକ ବିଦ୍ୟୁତ୍ ଯୋଗାଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲସ୍ ଆଞ୍ଜେଲସ୍ କାଉଣ୍ଟିରେ ଅଛନ୍ତି।