ଭୁବନେଶ୍ୱର ୨୨/୧୨:ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାର ଶବ୍ଦ ପ୍ରଭାବରେ ଆସିଥାଉ । ଶବ୍ଦର ମାତ୍ରା ଅତ୍ୟଧିକ ହେଲେ ଏହା ଆମର  ଶ୍ରବଣ ଶକ୍ତିର କ୍ଷତି କରିଥାଏ । ଏହାକୁ ଶବ୍ଦ ପ୍ରଦୂଷଣ ଜନିତ  ଶ୍ରବଣ ଶକ୍ତି ହ୍ରାସ କୁହାଯାଏ । ଦୀର୍ଘ ସମୟ ଧରି ଅଧିକ  ମାତ୍ରାର ଶବ୍ଦ ସଂସ୍ପର୍ଶରେ ଆସିବା କିମ୍ବା ହଠାତ୍‌ ଏକ ଅତ୍ୟଧିକ ମାତ୍ରାର ଶବ୍ଦ କାନରେ ବାଜିଲେ ଆମ ଅନ୍ତଃକର୍ଣ୍ଣରେ ଥିବା  ସୂକ୍ଷ୍ମ କେଶତୃଣଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ । ଯାହାକି ଥରେ ନଷ୍ଟ ହୋଇଗଲେ ପୁନଃ ତିଆରି ହୋଇପାରେ ନାହିଁ ।  ଫଳସ୍ୱରୂପ ଶ୍ରବଣ ଶକ୍ତି ସ୍ଥାୟୀ ଭାବେ ନଷ୍ଟ ହୋଇଯାଏ । ଗବେଷଣାରୁ ଦେଖାଯାଇଛି, ୮୫ ଡେସିବେଲ୍‌ରୁ ଅଧିକ ମାତ୍ରାର ଶବ୍ଦ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ଶ୍ରବଣ ଶକ୍ତି ହ୍ରାସ ଘଟିଥାଏ । ଶବ୍ଦ ପ୍ରଦୂଷଣ ଆଜିର ଜଗତରେ ଏକ ଗୁରୁତ୍ୱପୂର୍ଣ ସମସ୍ୟା ରୂପେ ଉଭାହୋଇଛି । 

କାରଣ 

ଯାନବାହନର ହର୍ଣ୍ଣ, କାରଖାନା ଓ ନିର୍ମାଣ କାର୍ଯ୍ୟରେ  ବ୍ୟବହୃତ ଯନ୍ତ୍ରପାତିର ଶବ୍ଦ, ବାହାଘର ଓ ମନୋରଞ୍ଜନ  କାର୍ଯ୍ୟକ୍ରମରେ ବ୍ୟବହୃତ ଡିଜେ, କନ୍‌ସର୍ଟର ଶବ୍ଦ ପ୍ରଦୂଷଣ  ଶ୍ରବଣ ଶକ୍ତି ହ୍ରାସର କାରଣ ହୋଇଥାଏ । ଏହାବ୍ୟତୀତ  ଆଧୁନିକ ଯୁବପିଢ଼ିଙ୍କ ଦ୍ୱାରା ବ୍ୟବହୃତ ହେଡ୍‌ଫୋନ୍‌,  ମୋବାଇଲ ଫୋନ୍‌ ଓ ଇୟର୍‌ବଡ୍‌ର ଅତିରିକ୍ତ ବ୍ୟବହାର  ଏହାର ଏକ ପ୍ରମୁଖ କାରଣ । ଅନେକ ସମୟରେ ଆକସ୍ମିକ  ଅତ୍ୟଧିକ ମାତ୍ରାର ଶବ୍ଦ ସଂସ୍ପର୍ଶରେ ଆସିବା ଯେମିତିକି  ବିସ୍ଫୋରଣ, ବାଣ ଫୁଟିବା ଏବଂ ବନ୍ଧୁକରୁ ଗୁଳି ଫୁଟିବା  କ୍ଷଣିକ ବା ସ୍ଥାୟୀ ଭାବରେ ଶ୍ରବଣ ଶକ୍ତିକୁ କ୍ଷତି ପହଞ୍ଚାଏ । 

 ଲକ୍ଷଣ 

ଶବ୍ଦଜନିତ ଶ୍ରବଣ ଶକ୍ତି ହ୍ରାସର ପ୍ରଥମ ଲକ୍ଷଣ ହେଉଛି  କାନ ଭିତରେ ଝିଁ ଝିଁ ବା ସଁ ସଁ ଶବ୍ଦ ହେବା । ଏହାଛଡ଼ଡା  ନିମ୍ନ ସ୍ୱର ବା ମଧ୍ୟ ସ୍ୱରର ଶବ୍ଦ ଶୁଣିବାରେ ଆସୁବିଧା  ଅନୁଭବ କରିବା ଏବଂ ଶବ୍ଦ ଶୁଣିପାରିଲେ ମଧ୍ୟ ସ୍ପଷ୍ଟ  ଭାବେ କଥା ବୁଝି ନପାରିବା ଏହାର ଲକ୍ଷଣ ହୋଇପାରେ।

 ପ୍ରତିକୂଳ ପ୍ରଭାବ

 ଶ୍ରବଣ ଶକ୍ତି ହ୍ରାସ ଆମର ସାମାଜିକ ଓ ଆର୍ଥିକ  ଜୀବନରେ ପ୍ରଭାବ ସୃଷ୍ଟି କରିପାରେ । ଏହାଛଡ଼ା ଏହା  ଆମର ଆତ୍ମବିଶ୍ୱାସକୁ କମ୍‌ କରି ମାନସିକ ଚାପ ବୃଦ୍ଧି  କରିଥାଏ । ଦୈନନ୍ଦିନ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି  କରେ ଏବଂ ଜୀବନଧାରଣର ମାନ ହ୍ରାସ କରିଥାଏ । 

 ପ୍ରତିରୋଧ ଓ ସଚେତନତା

 ଅଧିକ ଶବ୍ଦ ସୃଷ୍ଟି ହେଉଥିବା ସ୍ଥାନରେ ଯେତେଦୂର ସମ୍ଭବ କମ୍‌  ସମୟ ରହିବାକୁ ଚେଷ୍ଟା କରନ୍ତୁ । ଶ୍ରବଣ ସୁରକ୍ଷା ଉପକରଣ  ଯଥା ଇୟର୍‌ ପ୍ଲଗ୍‌ ବା ଇୟର ମଫ୍‌ ବ୍ୟବହାର କରନ୍ତୁ । 

ବ୍ୟକ୍ତିଗତ ଗ୍ୟାଜେଟ୍‌ ଯଥା ମୋବାଇଲ ଫୋନ୍‌ ଓ  ହେଡ୍‌ଫୋନ୍‌ର ଶବ୍ଦ ସ୍ତରକୁ ନିମ୍ନରେ ରଖନ୍ତୁ ଏବଂ ଅଧିକ  ଲମ୍ବା ସମୟ ଧରି ବ୍ୟବହାର କରିବାରୁ ନିବୃତ୍ତ ରହନ୍ତୁ ।  ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନରେ ସାଉଣ୍ଡ  କଟକଣା ନିୟମ ପାଳନ କରନ୍ତୁ । ଯାନବାହନରେ ନିହାତି  ଆବଶ୍ୟକ ନ ହେଲେ ହର୍ଣ୍ଣ ବ୍ୟବହାର କରନ୍ତୁ ନାହିଁ । 

କାରଖାନା ଓ ନିର୍ମାଣ କାର୍ଯ୍ୟ ଚାଲୁଥିବା ସ୍ଥାନରେ  ଶବ୍ଦରୋଧକ ବ୍ୟବସ୍ଥାର ପାଳନ କରନ୍ତୁ ଏବଂ ଶବ୍ଦ ପ୍ରଦୂଷଣ  ବିରୋଧୀ ଆଇନ୍‌କୁ ସମ୍ମାନ କରନ୍ତୁ । ଶବ୍ଦ ପ୍ରଦୂଷଣ ସମ୍ବନ୍ଧରେ  ଜନ ସଚେତନତା ସୃଷ୍ଟି କରନ୍ତୁ । ଶ୍ରବଣ ଶକ୍ତି ହ୍ରାସର କିଛି  ବି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।  

ଶବ୍ଦ ପ୍ରଦୂଷଣଜନିତ ଶ୍ରବଣ ଶକ୍ତି ହ୍ରାସ ଆମ ସମାଜ  ପାଇଁ ବିଶେଷ କରି ଯୁବପିଢ଼ି ପାଇଁ ଏକ ଗୁରୁତର ସମସ୍ୟା ।  ଏହା ଆମ ସ୍ୱାସ୍ଥ୍ୟ ଓ ଜୀବନ ଉପରେ ପ୍ରତିକୂଳ ପ୍ରଭାବ  ପକାଏ । ଆମ ଶ୍ରବଣ ଶକ୍ତିର ସୁରକ୍ଷା ଆମର ଦାୟିତ୍ୱ । ଆମେ  ସଚେତନ ହେବା ଓ ଶ୍ରବଣ ଶକ୍ତିକୁ ସୁରକ୍ଷିତ ରଖିବା ।

ଡା. ସୌଭାଗିନୀ ଆଚାର୍ଯ୍ୟ 

ପ୍ରଫେସର ଓ ବିଭାଗୀୟ ମୁଖ୍ୟ 

କର୍ଣ୍ଣ, ନାସା, ଗଳା ବିଭାଗ, ଭିମ୍‌ସାର୍‌, ବୁର୍ଲା