ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏଥର ବର୍ଷା ଦିନରେ ବି ଅଥୟ କରିବ ଗରମ ଓ ଗୁଳୁଗୁଳି, ଜୁଲାଇରୁ ଅଗଷ୍ଟ ଯାଏ କମ୍‌ ବର୍ଷା ଆଶଙ୍କା

Published By : Rasmita Pradhan | April 29, 2025 8:54 AM

ଭୁବନେଶ୍ୱର,୨୯/୦୪ : ଏଥର ଖାଲି ଖରା ନୁହେଁ, ବର୍ଷା ଦିନରେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ମେ ମାସରୁ ଅଗଷ୍ଟ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ଗରମ ରହିବ । ପୁଣି ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ସତ୍ତ୍ଵେ ଗୁଳୁଗୁଳି କମିବନି । ବରିଷ୍ଠ ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । 

ଡ. ପଶୁପାଳକଙ୍କ ଆକଳନ ଅନୁସାରେ, ଜୁଲାଇ ମାସରୁ ଅଗଷ୍ଟ ଯାଏ କମ୍‌ ବର୍ଷା ହେବ । ମେ ମାସରେ ଓଡ଼ିଶା ସମେତ ଆନ୍ଧ୍ର ଉପକୂଳ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଗ୍ରୀଷ୍ମଲହରୀ ବହିବା ସହ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଜୁନ୍‌ ମାସରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଗରମ ଅଧିକ ରହିବ । ପଶ୍ଚିମ ଓଡ଼ିଶା ସହିତ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ରହିବ । ଏହି ଦୁଇ ମାସ ଉତ୍ତର ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଓଡ଼ିଶା ସମେତ ସଂଲଗ୍ନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅଧିକ ଗରମ ହେବ । ଜୁଲାଇ ଅଧାରୁ ଅଗଷ୍ଟ ମାସ ଅଧା ଯାଏ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ବର୍ଷା କମିବାର ସମ୍ଭାବନା ଅଛି । ଏଥିପାଇଁ ଅଧିକ ଗରମ ଅନୁଭୂତ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

କାଳବୈଶାଖୀ ପ୍ରଭାବ ପରେ ବି ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ କମିବନି । ମେ ୧ ତାରିଖରୁ ସାମାନ୍ୟ କମିପାରେ । ଉପକୂଳ ଜିଲ୍ଲାରେ ମେ ମାସ ୩ ତାରିଖ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ । ସୋମବାର କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ଢେଙ୍କାନାଳ ଓ ଭଦ୍ରକରେ ଘନ ଘନ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି । ମଙ୍ଗଳବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ଘଡ଼ଘଡ଼ି ଓ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ଆଶଙ୍କା ଅଛି । ପବନର ଝଟ୍‌କା ୫୦ରୁ ୬୦ କିମି ଛୁଇଁପାରେ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.