ନୂଆଦିଲ୍ଲୀ,୨୧/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସାରା ଦେଶରେ ଏଲ୍‌ପିଜି ସଂକଟ ଜାରି ରହିଛି । ଭାରତ ଏହାର ୬୦% ଏଲ୍‌ପିଜି ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରିଥାଏ । ଏହାର ସିଂହଭାଗ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସିଥାଏ । ମାତ୍ର ଆମେରିକା ଇରାନ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଅଶାନ୍ତି ଭାରତ ବଜାରକୁ ବଡ଼ ଆକାରରେ ପ୍ରଭାବିତ କରିଛି । ଏଭଳି ସ୍ଥିତିରେ ଗ୍ୟାସ ଯୋଗାଣରେ ସ୍ଥିତାବସ୍ଥା ଆଣିବା ଲାଗି ଭାରତ ଆମେରିକା ଓ ରୁଷ ଭଳି ଦେଶରୁ ଅଧିକ ଗ୍ୟାସ ଆଣିବାକୁ ଅଗ୍ରସର ହୋଇଛି । 

ଏସ୍‌ପି ଗ୍ଲୋବାଲ ଏନର୍ଜିର ଏକ ରିପୋର୍ଟ ମୁତାବକ, ଏଲ୍‌ପିଜି ଆମଦାନିକୁ ବିସ୍ତୃତିକରଣ କରିବା ଦିଗରେ ଭାରତ ଅଗ୍ରସର ହୋଇଛି । ରିଫାଇନାରି ଗୁଡ଼ିକରେ ଗ୍ୟାସ ଉତ୍ପାଦନ ବୃଦ୍ଧି ସହ କୂଟନୈତିକ ସ୍ତରରେ ମଧ୍ୟ ଆଲୋଚନା ଜାରି ରହିଛି । ଫଳରେ ସାଧାରଣ ଖାଉଟି ଏବଂ ଅତି ଜରୁରି ସେବା ଯଥା ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଗ୍ୟାସ ଯୋଗାଣ ତ୍ୱରାନ୍ୱିତ ହୋଇପାରିବ । ଷ୍ଟ୍ରେଟ ଅଫ୍‌ ହୋର୍ମୁଜରେ ସଙ୍କଟ ଯୋଗୁ ତେଲ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି । କାରଣ ଏହି ରାସ୍ତା ଦେଇ ବିଶ୍ୱର ୩୦% ଏଲ୍‌ପିଜି ଯୋଗାଣ ହୋଇଥାଏ । ଏହି ସଙ୍କଟ ଉଭୟ ଗ୍ୟାସ ଏବଂ କାର୍ଗୋ ପରିବହନ କରୁଥିବା ଜାହାଜ ଗୁଡ଼ିକର ଉପଲବ୍ଧତାକୁ ପ୍ରଭାବିତ କରିଛି । ବିଶେଷଜ୍ଞ କହିଛନ୍ତି, ଯୁଦ୍ଧ ଲମ୍ବା ଚାଲିବାକୁ ଥିବାରୁ ଉତ୍ତର ଆମେରିକା ଏଲ୍‌ପିଜି ଚାହିଦା ବଢ଼ିବ । 

ଭାରତ ଏହି ବର୍ଗର ଏଲ୍‌ପିଜି ଉପରେ ନିର୍ଭରତା ବଢ଼ାଇବ । ଗତ କିଛି ଦିନର ଟ୍ରେଡକୁ ଦେଖିଲେ ଭାରତକୁ ଏହାର ଯୋଗାଣ ବୃଦ୍ଧି ହୋଇଛି । ଏବେ ଦେଶ ମଧ୍ୟରେ ରେସ୍ତୋରାଁ ଗୁଡ଼ିକୁ ବିକଳ୍ପ ଇନ୍ଧନ ଯଥା କିରୋସିନ ଏବଂ କୋଇଲା ବ୍ୟବହାର କରିବାକୁ ସରକାର କହିଛନ୍ତି । ନିକଟରେ ୨ ରାଷ୍ଟ୍ରାୟତ ୨ ଏଲ୍‌ପିଜି ଜାହାଜ ଭିଏଲ୍‌ଜିସି ଶିବାଲିକ ଏବଂ ନନ୍ଦାଦେବୀ ଘରୋଇ ବଜାରକୁ ଆସିଛି । ଏହି ଜାହାଜ ଗୁଡ଼ିକ ଯଥାକ୍ରମେ ୪୬ ହଜାର ମେଟ୍ରିକ ଟନ୍‌ ଏବଂ ୯୨ ହଜାର ମେଟ୍ରିକ ଟନ୍‌ ଏଲ୍‌ପିଜି ଆଣିଛନ୍ତି । ସିଏଏସ୍‌ ଡାଟା ମୁତାବକ, ମଧ୍ୟପ୍ରାଚ୍ୟ ତୁଳନାରେ ଆମେରିକା ଏଲ୍‌ପିଜି ଜାହାଜ ଗୁଡ଼ିକ ଭାରତ ମୁହାଁ ହୋଇଛନ୍ତି । 

ଆହୁରି ପଢନ୍ତୁ-ଆମେରିକା-ଇରାନ ଯୁଦ୍ଧର ପ୍ରଭାବ; ମାସିକ ସଉଦା କିଣାଠୁ ଆରମ୍ଭ କରି ପିଲାଙ୍କ ପଢ଼ା ଖର୍ଚ୍ଚ ଓ ସଞ୍ଚୟ ଯାଏଁ ସବୁ ଲସ୍...

ମଧ୍ୟପ୍ରାଚ୍ୟରୁ ଏଲ୍‌ପିଜି ୩୪% କୁ ହ୍ରାସ ହୋଇଛି । ଯାହା ଜାନୁଆରି ପରଠୁ ସର୍ବନିମ୍ନ ସ୍ତର । ଅନ୍ୟ ସ୍ଥାନ ଗୁଡ଼ିକରୁ ୧.୭୬ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ହୋଇଛି । ୨୦୨୬ରେ ଭାରତୀୟ କମ୍ପାନି ଗୁଡ଼ିକ ଆମେରିକାରୁ ୨.୨ ନିୟୁତ ମେଟ୍ରିକ ଟନ୍‌ ଏଲ୍‌ପିଜି ଆଣିବାକୁ ଚୁକ୍ତି କରିଛନ୍ତି । ସରକାର ସହରାଞ୍ଚଳ ପାଇଁ ବୁକିଂ ସୀମା ୨୫ ଦିନ ଏବଂ ଗ୍ରାମାଞ୍ଚଳ ପାଇଁ ୪୫ ଦିନ କରିଛନ୍ତି । ସେହିଭଳି ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି କଳାବଜାରୀକୁ ରୋକିବା ଲାଗି ମଧ୍ୟ ଚଢ଼ାଉ ଜୋରଦାର ହେଉଛି । ଅନ୍ୟ ପଟେ ରୁଷ ଠାରୁ ଗ୍ୟାସ କିଣିବା ଲାଗି ଦେଶ ଯୋଜନା ରଖିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟଶ୍ୱାଲ କହିଛନ୍ତି । ଏବେ ଉପଲବ୍ଧ ଥିବା ସବୁ ସ୍ଥାନରୁ ଏଲ୍‌ପିଜି ଆଣିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।