ନୂଆଦିଲ୍ଲୀ,୨୧/୦୩: କୋଭିଡ ମହାମାରୀ, ରୁଷ ୟୁକ୍ରେନ ଯୁଦ୍ଧ ଏହା ପରେ ଟ୍ରମ୍ପଙ୍କ ଟାରିଫ ମାଡ । ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରୁ ଶେଷ ହୋଇ ନ ଥିବା ବେଳେ ପୁଣି ସଙ୍କଟ ସୃଷ୍ଟି କରିଛି ଆମେରିକା-ଇରାନ ଯୁଦ୍ଧ । ସ୍ଥିତି ଭିନ୍ନ ହେଲେ ପ୍ରତି ଥର ସାଧାରଣ ଖାଉଟିଙ୍କ ବଜେଟରେ ଏହା ବଡ଼ ମାତ୍ରାରେ ପ୍ରଭାବିତ କରିଛି । ଯୁଦ୍ଧର ପ୍ରଥମ ସପ୍ତାହରେ କେବଳ ଆମେରିକା ଖର୍ଚ୍ଚ କରିଛି ୧୧.୩ ବିଲିୟନ ଡଲାର । ଯୁଦ୍ଧ ପ୍ରଭାବ ମାସିକ ସଉଦା କିଣା, ପିଲାଙ୍କ ପଢ଼ା ଖର୍ଚ୍ଚ ଏବଂ ସଞ୍ଚୟ ଭଳି ଦିଗକୁ କ୍ଷତି ପହଞ୍ଚାଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶର ପେଟ୍ରୋଲଡିଜେଲ, ଏଲ୍ପିଜି, ସାର, ପେଟ୍ରୋକେମିକାଲ୍ସ, ବିମାନ ସେବା, ପେଣ୍ଟସ, କୀଟନାଶକ, ସେରାମିକ, ଗ୍ଲାସ, ପରିବହନ, ଲଜିଷ୍ଟିକ୍ସ, ଟାୟାର, ଅଟୋମୋବାଇଲସ, ଧାତକ, କୃଷି ଯନ୍ତ୍ରାଂଶ ସମେତ ବିଭିନ୍ନ କ୍ଷେତ୍ରରେ ପଡିଛି । ଏବେ ଯୁଦ୍ଧ ଯୋଗୁ ଏଲ୍ପିଜି ସଙ୍କଟ ଘନେଇଛି । ଯାହାର ସିଧାସଳଖ ହାଣ୍ଡିଶାଳକୁ ମାଡ଼ କରିଛି ।
ଦେଶ ଆମଦାନି କରୁଥିବା ୯୦ ଭାଗ ଏଲ୍ପିଜି ଷ୍ଟ୍ରେଟ ଅଫ୍ ହୋର୍ମୁଜ ଦେଇ ଆସୁଥିବାରୁ ଏହି ରୁଟ୍ ଉପରେ କଟକଣା ଦେଶର ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିଛି । ଫଳରେ ଦେଶ ମଧ୍ୟରେ ଲୋକେ ଭୟଭୀତ ହୋଇ ଏଲ୍ପିଜି କିଣିବା ବଢ଼ିଛି । ଏହା ସହ କଳାବଜାରି ମଧ୍ୟ ବଢ଼ିଛି । ଡୋମେଷ୍ଟିକ ଏଲ୍ପିଜି ଦର ୬୦ ଟଙ୍କା ଏବଂ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା ଦର ୧୧୫ ଟଙ୍କା ବୃଦ୍ଧି ହୋଇଛି । ଗ୍ରାଣ୍ଟ ଥର୍ଣ୍ଣଟର୍ଣ୍ଣ ଭାରତର ପାର୍ଟନର ତଥା ଇକୋନୋମିକ ଆଡଭାଇଜରୀ ସର୍ଭିସ ଲିଡର ରିଷି ଶାହା କହିଛନ୍ତି, ଆସନ୍ତା ତ୍ରୈମାସରେ ଇନ୍ଧନ ଏବଂ ରନ୍ଧନ ଖର୍ଚ୍ଚ ବାବଦକୁ ପରିବାର ଗୁଡ଼ିକ ପ୍ରାୟ ୧୫ ପ୍ରତିଶତରୁ ୨୦ ପ୍ରତିଶତ ବୃଦ୍ଧି ଝଟକା ଲାଗିପାରେ । ଏ ନେଇ ପରିବାର ଗୁଡ଼ିକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ । ବିଶ୍ୱ ଯୋଗାଣ ଶୃଙ୍ଖଳ ଯୋଗୁ ଏହି ସମସ୍ୟା ହୋଇଛି । ଯାହା ସରକାରଙ୍କ ନିୟନ୍ତ୍ରଣ ବାହାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ମୁତାବକ, ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୫ ଟଙ୍କା ଏବଂ ଶୋରିଷ ତେଲ ଦର ୧୦ ଟଙ୍କାରୁ ଉଦ୍ଧ୍ୱର୍ ବଢ଼ିଛି । ଯୁଦ୍ଧ ଯୋଗୁ ଖାଇବା ତେଲ ଉପର ମୁହାଁ ।
ଦେଶ ପ୍ରତିବର୍ଷ ୫ରୁ ୬ ନିୟୁତ ମେଟ୍ରିକ ଟନ୍ ଡାଲି ଆମଦାନି କରିଥାଏ । ଯୁଦ୍ଧ ସ୍ଥିତିରେ ଆମଦାନି ପ୍ରଭାବିତ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ସେହିଭଳି ଇରାନରୁ ଆସୁଥିବା ଫଳ ଡ୍ରାଏଫ୍ରୁଟସ ଦର ବଢ଼ିଗଲାଣି । ୨୦୨୪ରେ ଭାରତର ମୋଟ ସେଓ ଆମଦାନିରେ ଇରାନର ଅଂଶ ୨୩% ଥିଲା । ସେହିଭଳି ଆଲମଣ୍ଡ ଏବଂ ପିସ୍ତାର ଅଂଶ ଯଥାକ୍ରମେ ୬୦% ଏବଂ ୩୯% । ଡ୍ରାଏଫ୍ରୁଟ ଦର ବଢ଼ିବା ଯୋଗୁ ମିଠା ମଧ୍ୟ ମହଙ୍ଗା ହେବାକୁ ଲାଗିଛି । ଉଲାସନଗରର ଜଣେ ମିଠା ଦୋକାନି କହିଛନ୍ତି, ପିଶୋରି ପିସ୍ତା ଦର ୨୬ଶହରୁ ୩୪୦୦ ଟଙ୍କା ଯାଏ ବଢ଼ି ଗଲାଣି । ସେହିଭଳି ଇରାନ ପିସ୍ତା ଦର ୧୬୫୦ ଟଙ୍କାରୁ ୨୪ ଶହ ଟଙ୍କାକୁ ବଢ଼ିଛି । ଦୈନଦିନ ବ୍ୟବହାରରେ ଆସୁଥିବା ସାବୁନ, ସାମ୍ପୁ, କ୍ରିମ, ହେୟାରଅଏଲ, ପ୍ୟାକେଜିଂ, ବୋତଲ ଏବଂ ଟ୍ୟୁବସରେ ବ୍ୟବହୃତ ପେଟ୍ରୋକେମିକାଲ ଦର ଉପର ମୁହାଁ ହେବା ଯୋଗୁ କମ୍ପାନିଙ୍କ ଲାଗି ଏହା ଚିନ୍ତାର କାରଣ ପାଲଟିଛି ।
ଆହୁରି ପଢନ୍ତୁ-ମୋନାଲିସା-ଫରମାନ ଆଣିଲେ ସାଙ୍ଘାତିକ ଅଭିଯୋଗ, କହିଲେ ଆମକୁ ମାରିଦେବେ...
ଗତ ମାସରେ ଏ କ୍ଷେତ୍ରରେ କଞ୍ଚାମାଲ ଦର ୨୫% ବଢ଼ିଛି । ଏପ୍ରିଲରୁ ଏଫ୍ଏମ୍ସିଜି ଉତ୍ପାଦ ୮ରୁ ୧୨% ବୃଦ୍ଧି ହୋଇପାରେ ଆକଳନ କରିଛନ୍ତି ବିଶେଷଜ୍ଞ । ସେହିଭଳି ଡେକୋରେଟିଭ୍ ପେଣ୍ଟସ ଦର ୯ରୁ ୧୦% ମହଙ୍ଗା ହୋଇପାରେ । ବର୍ଜର ପେଣ୍ଟସ ଏହାର ଦର ୫% ବୃଦ୍ଧି ନେଇ ଯୋଜନା ରଖିଛି । ସେହିଭଳି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ଏବଂ ଆପ୍ଲାଏନ୍ସ ଦର ୫ରୁ ୬% ବଢ଼ିପାରେ । ଏପ୍ରିଲରୁ ୫ରୁ ୬% ଦର ବୃଦ୍ଧି ହେବ ବୋଲି ଗୋଦରେଜ ଏଣ୍ଟରପ୍ରାଇଜେସର ବରିଷ୍ଠ ଅଧିକାରୀ କମଲ ନନ୍ଦୀ କହିଛନ୍ତି । ବିମାନ କମ୍ପାନି ଗୁଡ଼ିକ ଯୁଦ୍ଧ ସରଚାର୍ଜ ବଢ଼ାଇ ଦେଲେଣି । ଇଣ୍ଡିଗୋ ଉଭୟ ଡୋମେଷ୍ଟିକ ଏବଂ ଇଣ୍ଟରନ୍ୟାଶନାଲ ରୁଟ ଲାଗି ଯଥାକ୍ରମେ ୪୨୫ ଏବଂ ୨୩୦୦ ଟଙ୍କା ଏଭଳି ଚାର୍ଜ ନେଉଛି । ସେହିଭଳି କାର୍ କମ୍ପାନି ଗୁଡ଼ିକ ୩% ଯାଏ ଦର ବଢ଼ାଇ ପାରନ୍ତି । ଯୁଦ୍ଧ ଯୋଗୁ ବିଦେଶରେ ପଢ଼ିବା ମହଙ୍ଗା । କାରଣ ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୩.୧୨ ସ୍ତର ଛୁଇଁଲାଣି।