ନୂଆଦିଲ୍ଲୀ, ୨୩।୩: ଦେଶରେ ଦେଖାଦେଇପାରେ ରନ୍ଧନ ଗ୍ୟାସ୍ର ଘୋର ଅଭାବ । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଷ୍ଟେଟ୍ ଅପ୍ ହୋର୍ମୁଜ ଦେଇ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଭାରତରେ ଏଲପିଜିର ଷ୍ଟକ୍ କମିବାରେ ଲାଗିଛି । ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ଏବେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଏବେ ମାତ୍ର ୧୦ କିଲୋଗ୍ରାମ ଗ୍ୟାସ୍ ଭର୍ତ୍ତି କରିବାକୁ ଯୋଜନା କରାଯାଉଛି । କମ୍ ଗ୍ୟାସ୍କୁ କିଭଳି ଅଧିକ ପରିବାର ପାଖରେ ପହଞ୍ଚାଯାଇ ପାରିବ, ସେଥିପାଇଁ ଏହି 'ଷ୍ଟ୍ରାଟେଜି' ପ୍ରସ୍ତୁତ ହୋଇଛି । ଯଦି ଏହି ଯୋଜନା ଲାଗୁ ହୁଏ, ତେବେ ଗ୍ୟାସ୍ର ଓଜନ ଅନୁସାରେ ଏହାର ଦାମ୍ ମଧ୍ୟ କମାଯିବ ।
କାହିଁକି ଏଭଳି ସ୍ଥିତି ?
ଆମଦାନୀ ଉପରେ ନିର୍ଭରଶୀଳ: ଭାରତ ନିଜର ଆବଶ୍ୟକତାର ପ୍ରାୟ ୬୦% ଏଲପିଜି ଆମଦାନୀ କରିଥାଏ, ଯେଉଁଥିରୁ ୯୦% କେବଳ ଉପସାଗରୀୟ ଦେଶ ବା ଗଲ୍ଫ ଦେଶମାନଙ୍କରୁ ଆସିଥାଏ ।
ସପ୍ଲାଇ ଚେନ୍ ବାଧାପ୍ରାପ୍ତ: ଇରାନ-ଆମେରିକା ଉତ୍ତେଜନା ଯୋଗୁଁ ସମୁଦ୍ର ପଥରେ ଜାହାଜ ଚଳାଚଳ ବନ୍ଦ ରହିଛି । ଗତ ସପ୍ତାହରେ ମାତ୍ର ଦୁଇଟି ଜାହାଜ ଭାରତ ପହଞ୍ଚିଛି, ଯାହା କେବଳ ଗୋଟିଏ ଦିନର ବ୍ୟବହାର ପାଇଁ ଯଥେଷ୍ଟ ।
ଫସି ରହିଛି ଭାରତୀୟ ଜାହାଜ: ବର୍ତ୍ତମାନ ଭାରତର ୬ଟି ବଡ଼ ଏଲପିଜି ଟ୍ୟାଙ୍କର ପାରସ୍ୟ ଉପସାଗରରେ ଫସି ରହିଛନ୍ତି ।
ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଅଚାନକ ଶସ୍ତା ହେଲା ସୁନା-ରୁପା, ଜାଣନ୍ତୁ କେତେ କମିଲା ଦର ?
ଗ୍ୟାସ୍ ସଞ୍ଚୟ କରିବାକୁ ପରାମର୍ଶ:
ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସ୍ଥିତିକୁ “ଚିନ୍ତାଜନକ” ବୋଲି କହିଛନ୍ତି । ଦେଶରେ ଦୈନିକ ପ୍ରାୟ ୯୩,୫୦୦ ଟନ୍ ଗ୍ୟାସ୍ ଖର୍ଚ୍ଚ ହୋଇଥାଏ । ସରକାର ବର୍ତ୍ତମାନ ସ୍ଥିତି ସ୍ଵାଭାବିକ ଥିବା ଦାବି କରୁଥିଲେ ମଧ୍ୟ ଗ୍ୟାସ୍ ସଞ୍ଚୟ କରି ବ୍ୟବହାର କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଆଗାମୀ କିଛି ସପ୍ତାହ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଭୂ-ରାଜନୈତିକ ସ୍ଥିତି ସୁଧୁରେ ଏବଂ ସପ୍ଲାଏ ରୁଟ୍ ଗୁଡ଼ିକ ସ୍ୱାଭାବିକ ହୁଏ, ତେବେ ପରିସ୍ଥିତିରେ ସୁଧାର ଆସିବ । ଅନ୍ୟପଟେ ସରକାର ପାଇପ୍ ଗ୍ୟାସ୍ ଅର୍ଥାତ୍ ପିଏନଜି ଏବଂ ବିକଳ୍ପ ଇନ୍ଧନ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଉଛନ୍ତି ।