ନୂଆଦିଲ୍ଲୀ, ୧୩/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧର ମହଙ୍ଗା ମାଡ଼। ହାଣ୍ଡିଶାଳରେ ଯୁଦ୍ଧ ଯନ୍ତ୍ରଣା। ଖାଉଟିଙ୍କୁ ନୟାନ୍ତ କଲାଣି ଗ୍ୟାସ୍ ସଙ୍କଟ। ବୁକିଂ ହେବା ଆଗରୁ କ୍ୟାନସଲ୍। ଯୁଦ୍ଧ ଆଳରେ ଭୟଙ୍କର ଲୁଟ୍। ପକେଟ୍ ମାରୁଛନ୍ତି ଅସାଧୁ ବ୍ୟବସାୟୀ। ହୋଟେଲ-ଢାବାରେ ତାଲା। ସ୍ଵିଗି-ଜୋମାଟୋରେ ଅର୍ଡର କ୍ୟାନସଲ୍। ଅନଲାଇନରୁ ଉଭେଇ ଗଲାଣି କ୍ଲାଉଡ୍ କିଚେନ୍। ଯୌଥ ପରିବାର, ମେସ୍ ଛାତ୍ରଛାତ୍ରୀ ପ୍ରଭାବିତ। ଖଟିଖିଆ ମୁଲିଆଙ୍କ କଥା କିଏ ପଚାରେ। ଓଳିଏ ଖାଇଲେ ଆର ଓଳିକୁ ଭାଳେଣି। ଚିନ୍ତାରେ ଭୋଜି ଆୟୋଜକ ଓ କ୍ୟାଟେରିଂ ସଂସ୍ଥା। ଖାଦ୍ୟ ଦର ପାଇଁ ଖାଉଟି ଅସନ୍ତୁଷ୍ଟ। ମିଲ୍ ବଦଳରେ ଫ୍ଟାଫୁଡ୍ ଖାଉଛନ୍ତି ଲୋକେ। 

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତୀୟ ଫୁଡ୍ ଡେଲିଭରି ସେକ୍ଟରରେ ବଡ଼ ପ୍ରଭାବ ପଡ଼ିଛି। ଗ୍ୟାସ୍ ସମସ୍ୟା ଯୋଗୁଁ ଏଲପିଜି ସିଲିଣ୍ଡର ମିଳୁନି। ଢାବା-ହୋଟେଲ୍ ବନ୍ଦ ହୋଇଗଲାଣି । ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି ଫାଷ୍ଟଫୁଡ୍ ଦୋକାନ। ସ୍ଵିଗି-ଜୋମାଟୋରେ ଆଗଭଳି ଆଉ ଆସୁନି ଅର୍ଡର। କାମ ବନ୍ଦ କରି ଦେଇଛନ୍ତି ଅଧିକାଂଶ କ୍ଲାଉଡ୍ କିଚେନ୍। ୫୦ ରୁ ୬୦ ପ୍ରତିଶତ କମିଗଲାଣି ଅନଲାଇନ୍ ଡେଲିଭରି। ଚିନ୍ତାରେ ଗିଗ୍ ୱାର୍କର୍ସ। ଦିନକୁ ୩୦ ଜାଗାରେ ଆସୁଛି ୫ ରୁ ୧୦ ଅର୍ଡର। କେମିତି କରିବେ ରୋଜଗାର ? 

କେବଳ ଡେଲିଭରି ସେକ୍ଟର ନୁହେଁ ପୁରା ଫୁଡ୍ ସପ୍ଲାଏ ଚେନ୍‌କୁ ଗ୍ୟାସ୍ ସଙ୍କଟ ଗିଳିବାକୁ ବସିଲାଣି। ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଯୋଗୁଁ ଅନେକ ଛୋଟ ବଡ଼ ବ୍ୟବସାୟୀ ପ୍ରଭାବିତ ହେଲେଣି। କିଚେନ୍ ଷ୍ଟାଫ୍‌ଙ୍କ ଠାରୁ ନେଇ କ୍ଲାଉଡ କିଚେନ୍ କର୍ମଚାରୀ ଏବଂ ଡ୍ରାଇଭରଙ୍କ ଯାଏଁ ସମସ୍ତେ ହାତ ବାନ୍ଧି ବସିଲେଣି। ଏପରିକି ଦୈନିକ ଖର୍ଚ୍ଚ ଉଠାଇବା ମୁସ୍କିଲ ହୋଇଗଲାଣି। ଏପରିକି ଆକ୍ଟିଭିଟି କମିଯିବାରୁ ବହୁ ୱାର୍କରଙ୍କୁ ଆକାଉଣ୍ଟ ଡିଆକ୍ଟିଭେଟ୍‌ର ୱାର୍ଣ୍ଣିଂ ବି ଆସିଲାଣି। 

ଖାଲି ସେତିକି ନୁହେଁ ଗ୍ୟାସ୍ ମହଙ୍ଗା ଯୋଗୁଁ ଅଧା ହୋଟେଲ ଆଇଟମ୍ କାଟି ଦେଲେଣି। ମିଲ୍ ପିଛା ୧୦ ଟଙ୍କା ବଢିଗଲାଣି। ୫ ଟଙ୍କିଆ ବରା ଏବେ ୬ ଟଙ୍କାରେ ବିକ୍ରି ହେଲାଣି। ଦୀର୍ଘ ଦିନ ଯାଏଁ ଏଲପିଜି ସଙ୍କଟ ଜାରି ରହିଲେ ହୋଟେଲ ଶିଳ୍ପ ବନ୍ଦ ହୋଇଯିବ। ଗିଗ୍ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ। ଦେଶର ଫୁଡ୍ ସର୍ଭିସ୍ ସେକ୍ଟର ସମ୍ପୂର୍ଣ୍ଣ ଭୁଶୁଡ଼ିଯିବ। ଏହି ବ୍ୟବସାୟ ସହ ଜଡ଼ିତ ପ୍ରାୟ ଏକ କୋଟି ଲୋକ ଜୀବିକା ହରାଇବେ। 

ଏହି ଖବରଟିକୁ ପଢନ୍ତୁ- ଟ୍ରମ୍ପଙ୍କ ରଣନୀତି ଉପରେ ପ୍ରଶ୍ନ: "ବିନା ପ୍ରସ୍ତୁତିରେ ନିଷ୍ପତ୍ତି ନିଅନ୍ତି ରାଷ୍ଟ୍ରପତି", ଜନ ବୋଲ୍ଟନଙ୍କ ବିସ୍ଫୋରକ ବୟାନ