ନୂଆଦିଲ୍ଲୀ, ୧୩।୩: ଇରାନ ଉପରେ ଆକ୍ରମଣ କରିବା ପରେ ଏବେ ନିଜ ଦେଶରେ ହିଁ ସମାଲୋଚନାର ଶିକାର ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ ବୋଲ୍ଟନ, ଟ୍ରମ୍ପଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇ କଡ଼ା ସମାଲୋଚନା କରିଛନ୍ତି। ବୋଲ୍ଟନଙ୍କ ଅନୁଯାୟୀ, ଟ୍ରମ୍ପ ବୋଧହୁଏ ଭାବିଥିଲେ ଯେ ଭେନେଜୁଏଲା ଭଳି ସେ ଇରାନରେ ମଧ୍ୟ ସହଜରେ କ୍ଷମତା ପରିବର୍ତ୍ତନ କରିଦେବେ, ଯାହା ଏକ ବଡ଼ ଭୁଲ ଥିଲା । ବୋଲ୍ଟନଙ୍କ ବଡ଼ ବୟାନ: "ଟ୍ରମ୍ପ ବିନା ପ୍ରସ୍ତୁତିରେ ନିଷ୍ପତ୍ତି ନିଅନ୍ତି" ।

ଏହା ବି ପଢ଼ନ୍ତୁ...'ଭାରତୀୟଙ୍କ ସୁରକ୍ଷା ପ୍ରାଥମିକତା, ଆମେ ଶାନ୍ତି ପକ୍ଷଧର'; ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଇଣ୍ଡିଆ ଟୁଡେ-କୁ ଦେଇଥିବା ଏକ ସାକ୍ଷାତକାରରେ ଜନ ବୋଲ୍ଟନ କହିଛନ୍ତି ଯେସ ଟ୍ରମ୍ପ କୌଣସି ସାମରିକ ଅଭିଯାନ ପୂର୍ବରୁ ଆବଶ୍ୟକୀୟ ଯୋଜନା କରନ୍ତି ନାହିଁ । ସେ କୌଣସି ରଣନୀତି ଅପେକ୍ଷା ନିଜର ଆବେଗ ଉପରେ ଅଧିକ ନିର୍ଭର କରି କାମ କରନ୍ତି । ଟ୍ରମ୍ପ ଇରାନକୁ ଭେନେଜୁଏଲା ଭାବିବା ତାଙ୍କର ସବୁଠୁ ବଡ଼ ଭୁଲ୍ । ଇରାନର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ବୋଲ୍ଟନ ଦାବି କରିଛନ୍ତି ଯେ, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ ତାଙ୍କୁ ଇରାନରେ କ୍ଷମତା ପରିବର୍ତ୍ତନର ବିପଦ ବିଷୟରେ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା । ବିଶେଷ କରି ହୋର୍ମୁଜ ପ୍ରଣାଳୀ ଏବଂ ପାରସ୍ୟ ଉପସାଗରରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବା କୁହାଯାଇଥିଲା ।

ଆମେରିକୀୟ ସେନାର ପ୍ରଶଂସା: 

ଟ୍ରମ୍ପଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ ମଧ୍ୟ ବୋଲ୍ଟନ ଆମେରିକୀୟ ସେନାର ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ:

ଇରାନର ସାମରିକ ଶକ୍ତି ବର୍ତ୍ତମାନ ଯଥେଷ୍ଟ ଦୁର୍ବଳ ହୋଇଯାଇଛି ।

ଇରାନର କମ୍ୟୁନିକେସନ ଏବଂ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମକୁ ପ୍ରଭାବଶାଳୀ ଭାବେ ନଷ୍ଟ କରିଦିଆଯାଇଛି ।

ଇରାନର ବାୟୁସେନା ଏବଂ ନୌସେନା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି, ଯଦିଓ ସମୁଦ୍ର ପଥରେ ବିପଦ ଏବେ ମଧ୍ୟ ରହିଛି ।

'ନେତାନ୍ୟାହୁ ନୁହେଁ, ଏହା ଟ୍ରମ୍ପଙ୍କ ନିଜସ୍ୱ ନିଷ୍ପତ୍ତି'

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରରୋଚନାରେ ଆମେରିକା ଏହି ଯୁଦ୍ଧକୁ ଓହ୍ଲାଇଛି ବୋଲି ଚାଲିଥିବା ଚର୍ଚ୍ଚାକୁ ବୋଲ୍ଟନ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ନେତାନ୍ୟାହୁ, ଟ୍ରମ୍ପଙ୍କୁ ଭୁଲାଇ ପାରିବେ ନାହିଁ; ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଟ୍ରମ୍ପଙ୍କର ଥିଲା । ବର୍ତ୍ତମାନ ସମୟରେ ଟ୍ରମ୍ପ ସରକାର ନିଜର ଲକ୍ଷ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଛନ୍ତି ।