କଟକ, ୧୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ଦେଖାଦେଇଥିବା ରନ୍ଧନ ଗ୍ୟାସ୍ ସଂକଟ ଏବେ ସାଧାରଣ ଖାଉଟିଙ୍କୁ ନୟାନ୍ତ କଲାଣି । ପ୍ରଥମେ ୧୯ କେଜିର ସିଲିଣ୍ଡର ବ୍ୟବହାର କରୁଥିବା ବ୍ୟବସାୟୀ ପ୍ରତିଷ୍ଠାନ ଓ ପରେ ୧୪ କେଜିର ସିଲିଣ୍ଡର ନେଉଥିବା ଘରୋଇ ଗ୍ରାହକ ହଇରାଣ ହେଉଥିବା ବିଷୟ ସାମ୍ନାକୁ ଆସିଥିଲା । ଏବେ ୫ କେଜିର ସିଲିଣ୍ଡର ବ୍ୟବହାର କରୁଥିବା ଲୋକ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ୫ କେଜିର ସିଲିଣ୍ଡର ବ୍ୟବହାର କରୁଥିବା ଛୋଟ ପରିବାର, ମେସ୍ର ଛାତ୍ରୀଛାତ୍ରୀ ଓ ଶ୍ରମିକ ଶ୍ରେଣୀର ଲୋକେ ବେଳାଏ ଖାଦ୍ୟ ରାନ୍ଧିବା ପାଇଁ ହୀନସ୍ତା ହେଉଛନ୍ତି । ଖାଲି ଏତିକି ନୁହେଁ, ବିବାହ ବା ଅନ୍ୟାନ୍ୟ ଭୋଜି ଆୟୋଜନ କରୁଥିବା ପରିବାର ଓ କ୍ୟାଟରିଂ ସଂସ୍ଥାରେ ବି ଗ୍ୟାସ୍ ନେଇ ଭାଳେଣି ପଡ଼ିଛି । ସହରର ଏମତି ହଜାର ହଜାର ଛୋଟ ପରିବାର ରହୁଛନ୍ତି ଯେଉଁମାନେ ବିନା ସଂଯୋଗରେ ୫କେଜିର ଗ୍ୟାସ୍ ସିଲିଣ୍ଡର ରଖି ରୋଷେଇ କରିଥାନ୍ତି ।

ଏହା ବି ପଢ଼ନ୍ତୁ... କଟକରେ ୩ ହଜାରରୁ ଅଧିକ କିଡ୍ନୀ ଆକ୍ରାନ୍ତ, ନିରାକରଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ସାହାରା

ସେହିଭଳି ମେସ୍‌ରେ ରହୁଥିବା ଛାତ୍ରଛାତ୍ରୀ, ମେସ୍‌ରେ ରହୁଥିବା କିଛି ଯୁବବର୍ଗ ଓ ଦିନମଜୁରିଆମାନେ ପ୍ରାୟ ଏଭଳି ୫ କେଜିର ସିଲିଣ୍ଡର ବ୍ୟବହାର କରନ୍ତି । ଯଦିଓ ଏମାନଙ୍କ ମଧ୍ୟରୁ କିଛି ପରିବାର ପାଖରେ ବୈଧ ଗ୍ୟାସ୍ ସଂଯୋଗ ରହିଥାଏ, ତଥାପି ସେମାନେ ବଜାରରେ ସହଜ ଓ ସୁବିଧାରେ ହେଉଥିବା ରିଫିଲିଂ କରି ତାହାକୁ ବ୍ୟବହାର କରନ୍ତି । ଏବେ ଏଭଳି ଗ୍ରାହକ ଏବେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଦୋକାନରେ ଏସବୁ ସିଲିଣ୍ଡର ରିଫିଲିଂ କରାଯାଏ ସେଠାରେ ବିଲ୍‌କୁଲ୍ ଗ୍ୟାସ୍ ସିଲିଣ୍ଡର ନାହିଁ । ଯେଉଁ ଅଳ୍ପ କିଛି ଦୋକାନରେ ଏଭଳି ଗ୍ୟାସ୍ ସିଲିଣ୍ଡର ଅଛି ସେମାନେ ଉଚ୍ଚା ଦରରେ ଅର୍ଥାତ୍ ଗ୍ୟାସ୍ କେଜି ୧୪୦ରୁ ୧୫୦ ଟଙ୍କା କରି ନେଉଛନ୍ତି । ପୂର୍ବରୁ ଯେଉଁ ୫ କେଜିର ସିଲିଣ୍ଡର ଭରିବା ପାଇଁ ୪୫୦ରୁ ୫ଶହ ଟଙ୍କା ପଡ଼ୁଥିଲା ବେଳେ ୭୫୦ ଟଙ୍କା ପଡ଼ୁଛି । ତାହା ପୁଣି କମ୍ ସ୍ଥାନରେ ଉପଲବ୍ଧ ହେଉଛି । ତେଣୁ ଏଭଳି ଗ୍ରାହକ ଏବେ ବେଳାଏ ରାନ୍ଧିବାକୁ ନୟାନ୍ତ ହେଉଛନ୍ତି ।

ସେହିପରି ବାହାଘର ଋତୁ ଚାଲିଥିବାରୁ ସମସ୍ୟା ଦୁଇଗୁଣା ହୋଇଛି । ବଡ଼ବଡ଼ ଭୋଜିରେ ସର୍ବନିମ୍ନ ୫ରୁ ୧୫ଟି ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡର ଲାଗୁଛି । ପୂର୍ବରୁ ଘରଲୋକ ସପ୍ଲାଏର୍ସଠାରୁ ସିଲିଣ୍ଡର ଆଣି ଭୋଜି ରାନ୍ଧୁଥିଲେ । ଏବେ ସହଜରେ ଗ୍ୟାସ୍ ମିଳିବା ସମ୍ଭବ ହେଉନାହିଁ । ତେଣୁ ସେମାନେ ନୟାନ୍ତ ହେଉଛନ୍ତି । ସେହିପରି ଗ୍ୟାସ୍ ସିଲିଣ୍ଡର ମିଳୁ ନଥିବାରୁ ଖାଦ୍ୟ ଅର୍ଡର ବହୁ କ୍ୟାଟେରିଂ ସଂସ୍ଥା ରଖୁନାହାନ୍ତି । ଗ୍ୟାସ୍ ବଦଳରେ ଚୁଲି ରନ୍ଧା ଖାଦ୍ୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ କ୍ୟାଟରିଂ ସଂସ୍ଥାରେ ବି ବେପାରକୁ ନେଇ ଭାଳେଣି ପଡ଼ିଛି ।

ଗ୍ୟାସ୍ ବୁକିଂ ହୋଇପାରୁନି:

ଗ୍ୟାସ୍ ବୁକିଂ ପାଇଁ ତିନି ପ୍ରମୁଖ ରାଷ୍ଟ୍ରାୟତ କମ୍ପାନି ୩ଟି ମୋବାଇଲ୍ ନମ୍ବର ଜାରି କରିଛନ୍ତି । ଏହି ନମ୍ବରକୁ ଫୋନ୍ କରି ଗ୍ୟାସ୍ ବୁକିଂ କରିହେବ । ଇଣ୍ଡେନ୍ ଗ୍ୟାସ୍ ପକ୍ଷରୁ ୭୭୧୮୯-୫୫୫୫୫ ନମ୍ବର ଦିଆଯାଇଛି । ଭାରତ ଗ୍ୟାସ୍ ପକ୍ଷରୁ ୭୭୧୫୦- ୧୨୩୪୫ ନମ୍ବର ରହିଛି ଓ ଏଚ୍ପି ଗ୍ୟାସ୍ ପକ୍ଷରୁ ୯୦୯୦୯୨୩୪୫୬ ମୋବାଇଲ୍ ନମ୍ବର ଜାରି କରାଯାଇଛି । ହେଲେ ଏହି ନମ୍ବରକୁ ଫୋନ୍ କଲେ ତାହା ଲାଗୁ ନାହିଁ । ଅର୍ଥାତ୍ କଲ୍କୁ କମ୍ପ୍ୟୁଟର ରିସିଭ୍ କରୁନି । ବାରମ୍ବାର କଲ୍ କଲେ ମଧ୍ୟ ସଂଯୋଗ ହେଉନି । ଫଳରେ ଗଲା ୪ରୁ ୫ ଦିନ ହେବ ସହରର ହଜାର ହଜାର ଏଲ୍ପିଜି ଗ୍ରାହକ ବୁକିଂ କରିପାରୁ ନାହାନ୍ତି । କେବଳ ଯେଉଁ ଗ୍ରାହକ ବିତରକ ସଂସ୍ଥାର ମୋବାଇଲ୍ ଆପ୍ସ ବ୍ୟବହାର କରୁଛନ୍ତି ସେଥିରେ ବୁକିଂ କରିହେଉଥିବା ସୂଚନା ମିଳିଛି । ଗ୍ୟାସ୍ ଦର ବୃଦ୍ଧି ନେଇ କିଛି ବ୍ୟବସାୟୀ କହିଛନ୍ତି ଏଲ୍ପିଜି ଗ୍ୟାସ୍ ସମସ୍ୟା ଯୋଗୁଁ ଆମ ବ୍ୟବସାୟ ଏକ ପ୍ରକାରର ଠପ୍ ହେବାକୁ ବସିଲାଣି । ଆମେ ଛୋଟ ହୋଟେଲ୍ କରି ବ୍ୟବସାୟ କରୁଛୁ । କିଛିଦିନ ହେବ ହୋଟେଲ୍ ଗ୍ୟାସ୍ ସରିବା ପରେ ଏବେ ଘରେ ବ୍ୟବହାର ହେଉଥିବା ଗ୍ୟାସ୍କୁ ଆଣି ବ୍ୟବସାୟରେ ଲଗାଉଛୁ ।