ସମ୍ବଲପୁର,୨୦/୦୯: ଦିନକ  ପରେ ପବିତ୍ର ମହାଳୟା । ଏହି ଅବସରରେ  ମା’ ସମଲେଶ୍ୱରୀ ଧବଳମୁଖୀ ବେଶ ବା  ଗଙ୍ଗାବେଶ ଧାରଣ କରିବେ । ମହାଳୟା  ଉପଲକ୍ଷେ ରବିବାରରୁ ମଙ୍ଗଳବାର ପୂର୍ବାହ୍ନ  ୧୧.୪୫ ପର୍ଯ୍ୟନ୍ତ ଅଢ଼େଇ ଦିନ ଧରି ମା’ଏହି  ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହାପରେ ପୁଣି ସିନ୍ଦୁରବର୍ଣ୍ଣା ରୂପ ଧାରଣ କରିବେ । ସବୁବର୍ଷ  ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ଏହି ଦୁର୍ଲ୍ଲଭ ବେଶ  ଦର୍ଶନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ  ହେବା ସମ୍ଭାବନା ରହିଛି । ଏହାକୁ ନେଇ ପ୍ରସ୍ତୁତି  ଜୋର୍‌ଦାର ଚାଲିଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି  ସଞ୍ଜୟ ବାବୁ କହିଛନ୍ତି ।  

ଶ୍ରୀ ବାବୁଙ୍କ ସୂଚନାନୁସାରେ, ରବିବାର, ସୋମବାର  ଏବଂ ମଙ୍ଗଳବାର ଭୋର ସାଢ଼େ ୪ଟାରୁ ମଙ୍ଗଳ  ଆଳତି ହେବ । ସକାଳ ୫ଟାରେ ପ୍ରାତଃ ଦର୍ଶନ  ଆରମ୍ଭ ହେବ । ଅନ୍ନଭୋଗ ପାଇଁ ପୂର୍ବାହ୍ନ  ୧୧.୪୫ଟାରୁ ୧୨.୩୦ ଯାଏଁ ସାଧାରଣ ଦର୍ଶନ  ବନ୍ଦ ରହିବ । ସେହିଭଳି ସନ୍ଧ୍ୟା ମହାଆଳତି ପାଇଁ  ସନ୍ଧ୍ୟା ୭.୪୫ରୁ ରାତି ୮ଟା ୩୦ ଯାଏଁ ଦର୍ଶନ ବନ୍ଦ  କରିବାକୁ ନିଷ୍ପତ୍ତି ହୋଇଛି । ରାତି ସାଢ଼େ ୧୦ଟାରେ  ମନ୍ଦିର ପହୁଡ଼ ପଡ଼ିବ । ପୂର୍ବଥର ଭଳି ଏଥର ମଧ୍ୟ  ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପାଉଣା ଦେଇ ହାତୀ ଦ୍ୱାର ପାଖରେ ଶ୍ରଦ୍ଧାଳୁ  ଦର୍ଶନ କରିପାରିବେ । ୪ନଂ. ଗେଟ୍‌ ଦେଇ ସାଧାରଣ  ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି । ମହାଳୟାରେ  ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଭୋଗ ମଣ୍ଡପ ବନ୍ଦ ରହିବ ।  ସୋମବାର ଓ ମଙ୍ଗଳବାର ଅନ୍ନ ଭୋଗ ହେବ ବୋଲି  ନିଷ୍ପତ୍ତି ହୋଇଛି ।  ମହାଳୟା ପାଇଁ ମା’ଙ୍କ ମନ୍ଦିର ପରିସର ସହ ବେଢ଼ାକୁ ସଫାସୁତୁରା କରାଯାଇଛି । ମନ୍ଦିର ଗମ୍ଭୀରା  ପିତ୍ତଳ କବାଟ ସଫେଇ ହୋଇଛି । କଟକରୁ ଆସିଥିବା ତାରକସି କାରିଗରଙ୍କ ଦ୍ୱାରା ପରଭା ଓ  ଛତରକୁ ସଫା କରାଯାଇଛି।