ନୂଆଦିଲ୍ଲୀ,୧୫।୧୦:ଗତ କିଛି ସପ୍ତାହ ଧରି ମାଡାଗାସ୍କରରେ ଚାଲିଥିବା ବ୍ୟାପକ ବିରୋଧ ପ୍ରଦର୍ଶନ ଦେଶରେ ଏକ ବିଦ୍ରୋହ ସୃଷ୍ଟି କରିଛି। ବିରୋଧ ଏତେ ତୀବ୍ର ହୋଇଗଲା ଯେ ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଲା। ଏଭଳି ସ୍ଥିତିରେ ମାଡାଗାସ୍କରରୁ ସୂଚନା ମିଳିଛି ବିଦ୍ରୋହ ପରେ, କର୍ଣ୍ଣେଲ ମିସେଲ ରାଣ୍ଡ୍ରିଆନିରିନା ନିଜକୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ସେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିବେ। ସେନାର ଏକ ଗୋଷ୍ଠୀ ଦ୍ୱାରା କ୍ଷମତାରୁ ବହିଷ୍କୃତ ହେବା ପରେ ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ଦେଶ ଛାଡିବା ପରେ ଏହି ଘଟଣା ଘଟିଛି।
ମଙ୍ଗଳବାର ରାଣ୍ଡ୍ରିଆନିରିନା ଘୋଷଣା କରିଥିଲେ ଯେ, ସେନା ଦେଶକୁ ଦଖଲ କରିସାରିଛି। ଗତ କିଛି ସପ୍ତାହ ଧରି ମୁଖ୍ୟତଃ ଯୁବପୀଢିଙ୍କ ନେତୃତ୍ୱରେ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଜାରି ରହିଥିଲା। ଶନିବାର ସ୍ଥିତି ପରିବର୍ତ୍ତନ ହେଲା ଯେତେବେଳେ ରାଣ୍ଡ୍ରିଆନିରିନା ଏବଂ ତାଙ୍କର ସ୍ୱତନ୍ତ୍ର ସାମରିକ ୟୁନିଟ୍, ‘କ୍ୟାପସାଟ୍’ ବିଦ୍ରୋହ କଲେ ଏବଂ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ପ୍ରତିବାଦକାରୀଙ୍କ ସହ ଯୋଗ ଦେଲେ।
ରାଣ୍ଡ୍ରିଆନିରିନା କହିଛନ୍ତି, ଗତକାଲି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି, କାରଣ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସଂସଦର କୌଣସି ସକ୍ରିୟତା ନାହିଁ। ତେବେ ମାଡାଗାସ୍କରର ସାମ୍ବିଧାନିକ ଅଦାଲତ ମଧ୍ୟ ଅନ୍ତରୀଣ ଭାବରେ ରାଣ୍ଡ୍ରିଆନିରିନାଙ୍କୁ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, ଦେଶରେ ସଙ୍କଟକୁ ଶୀଘ୍ର ସମାପ୍ତ କରିବା ପାଇଁ ଏକ ନୂତନ ସରକାର ଗଠନ କରାଯିବ ଏବଂ ଜଣେ ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯିବ।