ଲକ୍ଷ୍ନୌ,୦୨/୦୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ଦିବ୍ୟ ଭବ୍ୟ ମହାକୁମ୍ଭ ମେଳାରେ ହୋଇଥିବା ଦଳଚକଟା ଘଟଣା ଦେଶକୁ ସ୍ତବ୍ଦ କରି ଦେଇଥିଲା । ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଥିଲେ । ତେବେ ଏହା କେବଳ ଗୋଟିଏ ଦୁର୍ଘଟଣା ନା ଏହା ପଛରେ କାହାର ହାତ ରହିଛି ? ମେଳାରେ ବିଭ୍ରାଟ ସୃଷ୍ଟି କରିବାକୁ କାହାର ଷଡଯନ୍ତ୍ର ଥିଲା କି ? ଏହାର ଖିଅ ଖୋଜୁଛି ଏସଟିଏଫ । ମହାକୁମ୍ଭ ଦଳାଚକଟା ଘଟଣାରେ ଷଡଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଆକ୍ସନମୁଡରେ ଏସଟିଏଫ । ୧୬ ହଜାରରୁ ଅଧିକ ମୋବାଇଲ ନମ୍ବର ଏସଟିଏଫ୍ ସ୍କାନରରେ ରହିଛି ।
ଆକ୍ସନରେ ଏସଟିଏଫ- ଗତ ଜାନୁଆରୀ ୨୯ ତାରିଖରେ ମହାକୁମ୍ଭ ମେଳାରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ମୌନୀ ଆମାବାସ୍ୟାରେ ସଙ୍ଗମ ଘାଟରେ ବୁଡ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜମା ହୋଇଥିଲେ । ଏହି ସମୟରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏଥିରେ ୩୦ରୁ ଅଧିକ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପଛରେ ଷଡଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ କରୁଛି ଏସଟିଏଫ । ମିଳିଥିବା ସୁତ୍ର ଅନୁସାରେ ୧୬ ହଜାରରୁ ଅଧିକ ଫୋନ ନମ୍ବର ଏସଟିଏଫ ସ୍କାନରରେ ରହିଛି । ଏବେ ଯାଏ ହୋଇଥିବା ତଦନ୍ତ ଅନୁସାରରେ ମହାକୁମ୍ଭ ଦଳାଚକଟା ପରେ ଏକାଧିକ ନମ୍ବର ବନ୍ଦ ଥିବା ଜଣାପଡିଛି । ମହାକୁମ୍ଭ ମେଳା ଅଞ୍ଚଳରେ ଥିବା କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମରେ ସିସିଟିଭି ଜରିଆରେ ସନ୍ଦିଗ୍ଧଙ୍କ ମୁହଁ ରିକ୍ରିଏସନ କରାଯାଉଛି ।
ଏହା ବି ପଢନ୍ତୁ...ମହାକୁମ୍ଭ ଦଳାଚକଟା ଘଟଣା, ଘଟଣାର ତଦନ୍ତ କରିବାକୁ ପ୍ରୟାଗରାଜ ଯିବେ ନ୍ୟାୟିକ ଆୟୋଗ
ସେପଟେ ତିନି ଜଣ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ ଦଳାଚକଟା ଘଟଣାର କାରଣ ଓ କିପରି ହେଲା ଏନେଇ ତଦନ୍ତ କରିବେ । ନ୍ୟାୟିକ ଆୟୋଗର ନେତୃତ୍ବ ପୂର୍ବ ନ୍ୟାୟଧିଶ ହର୍ଷ କୁମାର ନେଇଛନ୍ତି । ଏହି ଆୟୋଗର ସଦସ୍ୟରେ ପୂର୍ବ ଆଇଏସ ଡି.କେ ସିଂହ ଓ ପୂର୍ବ ଆଇପିଏସ ବିକି ଗୁପ୍ତା ମଧ୍ୟ ସାମିଲ ଅଛନ୍ତି । ଘଟଣାର ପୂରା ତଦନ୍ତ କରି ଆୟୋଗ ଏକ ମାସ ଭିତରେ ଘଟଣାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହସ୍ତାନ୍ତର କରିବେ । ବସନ୍ତପଞ୍ଚମୀ ଅବସରରେ କିପରି ଶୃଙ୍ଖଳାର ସହିତ ଅମୃତ ବୁଡ ପକାଇବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଆଜି ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ କୁମ୍ଭମେଳାରେ ସକାଳ ୮ଟା ସୁଦ୍ଧା ୪୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି ।