ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶ୍ରୀକ୍ଷେତ୍ରରେ ମହାଳୟା ଅମାବାସ୍ୟା, ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ହଜାର ହଜାର ଲୋକ

Published By : Harapriya Sethi | October 2, 2024 11:35 AM

ପୁରୀ,୦୨/୧୦: ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶାଖା ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ । ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ "ଧବଳମୁଖୀ ବେଶ" ହୋଇଥାଏ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ 'ମହାଳୟା ଶ୍ରାଦ୍ଧ', 'ସାମ୍ବତ୍ସରିକ ଶ୍ରାଦ୍ଧ' ବା 'ପାର୍ବଣ ଶ୍ରାଦ୍ଧ' ବା 'ମଉଳା ଶ୍ରାଦ୍ଧ' କୁହାଯାଏ ।

ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ । କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ ।

ଶ୍ରାଦ୍ଧ-

ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ । ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ । ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ । ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି । ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ । ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ । କିନ୍ତୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତର୍ପଣ ଚାଲୁ ରଖିବାକୁ ହେବ । ପ୍ରତ୍ୟହ ତର୍ପଣ ପରେ ବୈଶ୍ୱଦେବ କରିବା ଉଚିତ, କାରଣ ବୈଶ୍ୱଦେବ ଏକପ୍ରକାର ଶ୍ରାଦ୍ଧର ଅନ୍ତର୍ଗତ । ଯେଉଁ ଗୃହସ୍ଥଙ୍କ ପିତା ପୂର୍ଣ୍ଣିମା ତିଥିରେ ମୃତ୍ୟୁବରଣ କରିଥିବେ, ତାଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟା ଦିନ ମହାଳୟା ବିଧିରେ ଶ୍ରାଦ୍ଧ କରାଯିବ ।

ପୟାଶ୍ରାଦ୍ଧ-

ପିତୃଲୋକରେ ଦୁଇପ୍ରକାର ପିତର ଅବସ୍ଥାନ କରନ୍ତି । ଯଥା: ନିତ୍ୟପିତର ଓ ସାଧାରଣ ପିତର । ନିତ୍ୟପିତର ହେଲେ ଅଗ୍ନିଷ୍ୱାତ୍ତ, ବହିର୍ଷଦ, ସୋମପ, ଆଜ୍ୟପ, ସାଗ୍ନିକ ଓ ନିରଗ୍ନିକ । ଏମାନେ ସଦାସର୍ବଦା ପ୍ରତ୍ୟେକ ପ୍ରାଣୀଙ୍କର ବଂଶବୃଦ୍ଧି ଇଚ୍ଛାରେ ମହାସମାଧିରେ ମଜ୍ଜି ରହନ୍ତି । ଦକ୍ଷ କନ୍ୟା ସ୍ୱଧା ଏହି ପିତରମାନଙ୍କୁ ବିବାହ କରିଥିଲେ । ଗୃହସ୍ଥମାନେ କେବଳ ତିଳୋଦକଦ୍ୱାରା ସ୍ୱଧା ଉଚ୍ଚାରଣ କରି ଏହି ପିତରମାନଙ୍କୁ ତୃପ୍ତି କରିଥାନ୍ତି । ଯେଉଁମାନେ ଇହଲୋକରୁ ମୃତ୍ୟୁପରେ ପିତୃଲୋକକୁ ଗମନ କରନ୍ତି, ସେମାନଙ୍କୁ ସାଧାରଣ ପିତର କୁହାଯାଏ । ଏହି ସାଧାରଣ ପିତର ହେଲେ ଆମ୍ଭମାନଙ୍କର ପିତୃପୁରୁଷ । ପିତୃଋଣରୁ ମୁକ୍ତି ପାଇବାପାଇଁ ପ୍ରତ୍ୟକ ଗୃହସ୍ଥ ନିଜ ନିଜର ପିତୃପୁରୁଷଙ୍କୁ ତିଳୋଦକ ଓ ପିଣ୍ଡ ପ୍ରଦାନ କରିବା ପରମ୍ପରା ଆଜି ପର୍ଯ୍ୟନ୍ତ ଚଳି ଆସୁଛି । ସୃଷ୍ଟି ଆରମ୍ଭରେ ପିତୃଶ୍ରାଦ୍ଧର ବ୍ୟବସ୍ଥା ନଥିଲା, ସମସ୍ତେ ଅମର ଥିଲେ । ଅତ୍ରୀଋଷିଙ୍କ ପ୍ରପୌତ୍ରର ଅକାଳ ବିୟୋଗ ହେତୁ ଅତ୍ରୀଋଷିଙ୍କ ଅନୁମୋଦନ କ୍ରମେ ପିତୃଶ୍ରାଦ୍ଧର ପ୍ରଚଳନ ଆରମ୍ଭ ହେଲା ।

ଜଣେ ଗୃହସ୍ଥ ପକ୍ଷରେ ଜୀବଦ୍ଦଶା ମଧ୍ୟରେ ପାଞ୍ଚଗୋଟି ଋଣ ସୁଝିବାର ବ୍ୟବସ୍ଥା ଅଛି, ଯଥା: ପିତୃଋଣ, ଦେବଋଣ, ଋଷିଋଣ, ମନୁଷ୍ୟଋଣ ଓ ଭୂତଋଣ । ସେଥିମଧ୍ୟରୁ ପ୍ରଥମେ ପିତୃଋଣରୁ ମୁକ୍ତି ପାଇବା ଉଚିତ। କାରଣ ପିତାମାତାଙ୍କ ଯୋଗୁଁ ଏ ଶରୀର ମିଳିଛି । ମାତୃ ସ୍ତନ୍ୟପାନ ଓ ପିତାଙ୍କ ଅର୍ଜିତ ଧନରୁ ଶିକ୍ଷା ଓ ଯୋଗ୍ୟତା ମିଳିଛି ଓ ଗୃହସ୍ଥା ଜୀବନର ଆରମ୍ଭ ହୋଇଛି ।

ମଣିଷ ଜନ୍ମବେଳେ ତିନିଟି ଋଣ ଶୁଝିବାକୁ ବାଧ୍ୟ ହୋଇ ଆସିଥାଏ । ସେଗୁଡ଼ିକ ହେଲା ଦେବଋଣ, ଋଷିଋଣ ଓ ପିତୃଋଣ। ଦେବଋଣ ଅଧ୍ୟୟନ ଦ୍ୱାରା, ଋଷିଋଣ ଯାଗଯଜ୍ଞଦ୍ୱାରା ଏବଂ ପିତୃଋଣ ନିଜେ ପିତା ହେବାଦ୍ୱାରା ଶୁଝାଯାଇଥାଏ । ଅପୁତ୍ରିକ ପିତାମାନେ ମୋକ୍ଷ ପାଆନ୍ତି ନାହିଁ ବୋଲି ଧର୍ମମତେ ବିଶ୍ୱାସ ରହିଛି । ପୁତ୍ରର ପିଣ୍ଡଦାନଦ୍ୱାରା ସ୍ୱର୍ଗତ ପିତାମାତା ଏବଂ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ । ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ । ଅନ୍ୟ ମତେ ପୂର୍ବପୁରୁଷଙ୍କୁ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ । ଶ୍ରାଦ୍ଧ ଦିବସରେ ଶୁଦ୍ଧପୂତ ଅନ୍ତରରେ ଭକ୍ତି ସହକାରେ ସ୍ନାନପୂର୍ବକ ଦେବଗଣ, ଋଷିଗଣ, ପିତୃ ତଥା ମାତୃଗଣଙ୍କୁ ତିଳ-ତଣ୍ଡୁଳ ମିଶ୍ରିତ ଜଳ ଦାନ କରାଯାଏ । ଏହାକୁ ତର୍ପଣ ବା ତର୍ପଣ ଶ୍ରାଦ୍ଧ କହନ୍ତି । ତିଳ ଅର୍ଥ ରାଶି, ତଣ୍ଡୁଳ ଅର୍ଥାତ ଅନ୍ନ ଏବଂ ତା ସହିତ ତୁଳସୀ ଜଳକୁ ତ୍ରିଳୋତ୍ରୟ ବା ତିଳୋଦକ କହନ୍ତି । ଏଥିରେ ନିଜ ତିନି ପୁରୁଷ ସହ ଅଜା ଆଇଙ୍କ ସମେତ ତାଙ୍କ ଘରୁ ତିନି ପୁରୁଷଙ୍କ ଶ୍ରାଦ୍ଧ ପକାଯାଏ । ପିତୃପୁରୁଷ ଶ୍ରଦ୍ଧରେ ପିତା, ପିତାମହ ଓ ପ୍ରପିତାମହ ମିଶି ତିନି ପୁରୁଷଙ୍କୁ ‘ସୋଦକ’ ଏବଂ ତାଙ୍କର ତିନି ପୁରୁଷଙ୍କୁ ଗୋତ୍ରଜ ବୋଲି କହାଯାଏ । ଏହିପରି ସେମାନେ ଛଅ ପୁରୁଷ । ଏଥି ସହ କର୍ତ୍ତାକୁ ଯୋଡ଼ିଲେ ସାତପୁରୁଷର ଶ୍ରାଦ୍ଧ ପଡ଼େ । ପିଣ୍ଡଦାନ କରୁଥିବା ବ୍ୟକ୍ତି ପିଣ୍ଡକୁ ଆଘ୍ରାଣ କରିବାକୁ ବାଧ୍ୟ । କାରଣ ଭକ୍ତ ଠାକୁରଙ୍କୁ ସମର୍ପିତ ନୈବେଦ୍ୟ ନିଶ୍ଚୟ ପାଇବେ, ନଚେତ ଏହା ଏକ ଅପରାଧ ବୋଲି ଧରାଯିବ ।

ପୌରାଣିକ ବିଶ୍ୱାସ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁପରେ ତାଙ୍କ ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ ଅଭୁକ୍ତ ରଖାଗଲା, କିଛି ଖାଦ୍ୟ ଦିଆଗଲା ନାହିଁ, କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇନଥିଲେ । ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ, ତାଙ୍କୁ ମାତ୍ର ଚଉଦ ଦିନ ପାଇଁ ମର୍ତ୍ତ୍ୟମଣ୍ଡଳକୁ ପଠାଯାଇଥିଲା । ସେହି ଚଉଦଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଫଳସ୍ୱରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦଦିନ ପିତୃପକ୍ଷ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.