ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ଦର୍ଶନ ଓ ଅବଢ଼ା, ବନକଲାଗି ପାଇଁ ରାତି ୯ଟାରୁ ୨ଟା ଦର୍ଶନ ମନା

Published By : Prameya | June 30, 2025 8:06 AM

ପୁରୀ,୩୦/୦୬: ମହାବେଦିରେ ବିଜେ ମହାବାହୁ । ବର୍ଷକ ବ୍ୟବଧାନରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିକୁ ବାହୁଡ଼ିଛନ୍ତି । ରବିବାର ରାତିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସେବକମାନେ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଏଣୁ ଗୁଣ୍ଡିଚା ଘରେ ପୁଣି ଭିଡ଼ ଆରମ୍ଭ ହୋଇଯାଇଛି । ସୋମବାର ଠାରୁ ଭକ୍ତ ପାଇବେ ଠାକୁରଙ୍କ ଆଡ଼ପ ଦର୍ଶନ ଓ ଆଡ଼ପ ଅବଢ଼ା । ଏହି ସୌଭାଗ୍ୟ ଲଭିବାକୁ ଉତ୍କଣ୍ଠାର  ସହ  ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିଥାନ୍ତି । ତେବେ ଠାକୁରଙ୍କ ବନକଲାଗି ତଥା ଶ୍ରୀମୁଖ  ସିଂହାର ପାଇଁ ସୋମବାର ରାତିରେ ୫ ଘଣ୍ଟା  ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ପରେ ପଛ ଭୋଗ ମଣ୍ଡପ ଶେଷ ହୋଇ  ବନକଲାଗି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରିବେ । ଏଥିପାଇଁ ସୋମବାର ରାତି ୯ଟାରୁ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଶ୍ରୀଗୁଣ୍ଡିଚା ଠାରୁ ତିନି ଦିନ ଧରି ପାଗ ମେଘାଛନ୍ନ ତଥା ଅନୁକୂଳ ରହିଛି । ଏଣୁ ଶରଧାବାଲିକୁ ଛୁଟିଛି ଭକ୍ତଙ୍କ ସୁଅ । ଅଗଣିତ ଭକ୍ତଙ୍କ ଗହଣରେ ଥିଲେ ଦାରୁବ୍ରହ୍ମ ।  ଚାଲିଥିଲା ସଂକୀର୍ତ୍ତନ ମଣ୍ଡଳୀଙ୍କ ଭଜନ କୀର୍ତ୍ତନ । ଅଘଟଣ ପରେ ପୂର୍ବାହ୍ନରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସକର୍ମୀ ସଜାଗ ଥିଲେ ।  ଏଣୁ ଲକ୍ଷାଧିକ ଭକ୍ତ ତଳେ ଥାଇ ଠାକୁରଙ୍କ  ଦର୍ଶନ କରିଥିଲେ । ଇତିମଧ୍ୟରେ ରଥାରୂଢ଼  ଠାକୁରଙ୍କ ମଙ୍ଗଳ ଆଳତି ନୀତି ବଢ଼ି ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଗୋପାଳବଲ୍ଲଭ ଭୋଗ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି ହୋଇ ଅପରାହ୍ନ ୨ଟା୪୫ମିନିଟ୍‌ରେ ସନ୍ଧ୍ୟାଧୂପ ବଢ଼ିଥିଲା । ଏହା ପରେ ଶ୍ରୀବିଗ୍ରହଙ୍କ ପହଣ୍ଡିପାଇଁ ସଜବାଜ ହୋଇଥିଲା । ରଥରୁ ଘୋଡ଼ା ଫିଟାଯାଇ ଚାରମାଳ ଲାଗିବା ଆରମ୍ଭ ହୋଇଥିଲା । 

ପହଣ୍ଡି ପୂର୍ବରୁ ରଥ ଉପରେ ସିଂହାସନ  ମାଜଣା ହୋଇ ପୁଷ୍ପାଞ୍ଜଳି ଅର୍ପଣ ହେଲା ।  ଏହାପରେ ବିଜେ କାହାଳି ବାଜି ସନ୍ଧ୍ୟା  ୬ଟା୫୦ରେ ପ୍ରାୟ ପହଣ୍ଡି ଆରମ୍ଭ ହେଲା ।  ଘଣ୍ଟ ଓ ମର୍ଦ୍ଦଳର ଧ୍ୱନି ସାଙ୍ଗକୁ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନିରେ ଗୁଞ୍ଜରି ଉଠିଥିଲା ଶରଧାବାଲି । ପ୍ରଥମେ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣଙ୍କୁ ଓ ନନ୍ଦିଘୋଷରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କୁ ପହଣ୍ଡି କରାଯାଇଥିଲା । ଏହାପରେ ଦେବଦଳନ ରଥରୁ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି କରାଇ ନିଆଗଲା । ଶ୍ରୀବଳଭଦ୍ରଙ୍କ ପହଣ୍ଡି ସାଢ଼େ ୭ଟା ପରେ ଆରମ୍ଭ ହୋଇଥିଲା । ସାଢ଼େ ୮ଟାରେ ମା'ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହୋଇଥିଲେ । ପହଣ୍ଡି ସମୟରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ  ପାଢ଼ୀଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ଥିଲେ । 

ଗୁଣ୍ଡିଚା ଘର ଆଡ଼ପ ମଣ୍ଡପରେ ବିଜେ  ହେବାପରେ ଦଇତାପତି ସେବକମାନେ  ସିଂହାସନରେ ଶ୍ରୀବିଗ୍ରହଙ୍କୁ ରୁନ୍ଧିଥିଲେ ।  ପରେ ବିଳମ୍ୱିତ ରାତିରେ ଠାକୁରଙ୍କ ସ୍ୱତନ୍ତ୍ର  ନୀତି ଅନୁଷ୍ଠିତ ହୋଇଥିଲା । ସୋମବାର ଠାରୁ  ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚା ଘରେ ଠାକୁରଙ୍କ  ଆଡ଼ପ ମଣ୍ଡପ ଦର୍ଶନ ସମେତ ଆଡ଼ପ ଅବଢ଼ା  ପାଇବେ । ଆସନ୍ତା ଜୁଲାଇ ୧ ତାରିଖ ମଙ୍ଗଳବାର  ହେରାପଞ୍ଚମୀ ନୀତି ହେବ । ୨ ତାରିଖ  ବୁଧବାର ରଥ ଦକ୍ଷିଣ ମୋଡ଼ । ୪ ତାରିଖ ଶୁକ୍ରବାର ସନ୍ଧ୍ୟାଦର୍ଶନ ଅନୁଷ୍ଠିତ ହେବ । ସେହି ଦିନ ପର୍ଯ୍ୟନ୍ତ ଠାକୁରେ ଆଡପମଣ୍ଡପରୁ  ଭକ୍ତଙ୍କୁ ଦର୍ଶନ ଦେବେ । ୫ ତାରିଖ ଶନିବାର  ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁଙ୍କ ବାହୁଡା ବିଜେ । 

ଦୁଇ ସିନ୍ଦୁକରେ ଆସିଛି ବେଶ ଓ ନୀତି ସଜ 

ମହାପ୍ରଭୁଙ୍କ ଅନନ୍ୟ ରୀତିନୀତି ପାଇଁ ଲୋଡ଼ା ସମସ୍ତ  ସାମଗ୍ରୀ । ଯାତ୍ରା ସମୟରେ ରଥରେ ଦୁଇଟି ବିଶାଳ  ସିନ୍ଦୁକରେ ଆସିଛି ଠାକୁରଙ୍କ ନୀତି ଓ ବେଶ ସଜ ।  ଗୋଟିଏରେ ଥାଏ ଠାକୁରଙ୍କ ୬ ମୂର୍ତ୍ତି ଆଦି ଆବଶ୍ୟକ  ସୁବର୍ଣ୍ଣ ଅଳଙ୍କାର । ବେଶଭୂଷା ଅଳଙ୍କାର ଆଦି ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ୱାବଧାନରେ ରହିଥାଏ ।  ଅନ୍ୟଟିରେ ରୁପା ପିଙ୍ଗଣ, ବଟା, ବିଭିନ୍ନ ପାତ୍ର  ଓ ପାଟବସ୍ତ୍ର ଆଦି ସଜ ରହିଥାଏ । ଏହା ଚାଙ୍ଗଡ଼ା  ମେକାପଙ୍କ ଅଧୀନରେ ରହେ । କୋଠସୁଆଁସିଆ  ସେବକମାନେ ସିନ୍ଦୁକକୁ ନେବାଆଣିବା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.