ନୂଆଦିଲ୍ଲୀ ୦୧/୦୭: ଫିଲ୍ମ ‘ହେରା ଫେରି ୩’କୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି! ଫିଲ୍ମକୁ ଫେରିଛନ୍ତି ବାବୁ ରାଓ ଓରଫ୍ ପରେଶ ରାୱଲ । ଫିଲ୍ମ ଟିମ୍ ମଧ୍ୟରେ ସୃଜନାତ୍ମକ ମତଭେଦ ଯୋଗୁ ପରେଶ ଫିଲ୍ମ ଛାଡ଼ିଥିଲେ । ଏହି ଖବର ଫ୍ୟାନ୍ଙ୍କୁ ଖୁବ୍ ନିରାଶ କରିଥିଲା । ଏବେ ଫିଲ୍ମକୁ ଫେରିବା କଥା ପରେଶ କହିଛନ୍ତି । ସମସ୍ତେ ଏକାଠି ହୁଅନ୍ତୁ ଏବଂ ପରିଶ୍ରମ କରନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି ।

ନିକଟରେ ହିମାଂଶୁ ମେହତାଙ୍କ ପଡ୍କାଷ୍ଟ୍ରେ ‘ହେରା ଫେରି-୩’ ସହ ସଂଶ୍ଳିଷ୍ଟ ବିବାଦ ଉପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ପରେଶ କହିଥିଲେ, ବିବାଦ କିଛି ନାହିଁ । ଯେତେବେଳେ କିଛି କଥା ଲୋକଙ୍କ ମନକୁ ଏତେ ମାତ୍ରାରେ ଛୁଇଁଯାଏ, ଆପଣଙ୍କୁ ଅଧିକ ଯତ୍ନବାନ ହେବାକୁ ପଡ଼େ । ଦର୍ଶକଙ୍କ ପ୍ରତି ଆମର କିଛି ଦାୟିତ୍ୱ ଅଛି । ଦର୍ଶକ ଆମକୁ ଖୁବ୍ ପ୍ରଶଂସା କରିଛନ୍ତି । ତେଣୁ ଆମେ ଏହାକୁ ହାଲୁକାରେ ନେଇପାରିବା ନାହିଁ । ପରିଶ୍ରମ କରିବା । ସମସ୍ତେ ଏକାଠି ହୋଇ ପରିଶ୍ରମ କରିବାକୁ ମୁଁ ଚାହୁଁଥିଲି । ଆଉ କିଛି ନୁହେଁ ।’ ଏହା ପୂର୍ବରୁ ଫିଲ୍ମରେ ବିବାଦ ପରେ ପରେଶ ଫିଲ୍ମ ଛାଡ଼ିବା କଥା ପ୍ରଡକ୍ସନ୍ ହାଉସ୍ ବଦଳରେ ଗଣମାଧ୍ୟମକୁ କଜଣାଇଥିଲେ । ଏହାକୁ ନେଇ ପ୍ରଯୋଜନା ଦାୟିତ୍ୱରେ ଥିବା ଅକ୍ଷୟ କୁମାର ମର୍ମାହତ ହୋଇଥିଲେ ।