ମୁମ୍ବାଇ,୨୫/୦୧: ୯୦ ଦଶକର ଟପ୍ ହିରୋଇନ ଥିଲେ ମମତା କୁଲକର୍ଣ୍ଣି । ଏବେ ତାଙ୍କର ନୂଆ ପରିଚୟ ହୋଇଛି । କିନ୍ନର ଆଖଡାର ମହାମଣ୍ଡଳେଶ୍ବର ହୋଇଛନ୍ତି ମମତା । ମହାମଣ୍ଡଳେଶ୍ବର ହେବା ପରେ ତାଙ୍କ ପରିଚୟ ବଦଳିଛି । ମମତା କୁଲକର୍ଣ୍ଣିରୁ ସେ ଶ୍ରୀ ୟମାଇ ମମତା ନନ୍ଦଗିରି ହୋଇଛନ୍ତି । ଦିନେ ତାଙ୍କ ନାମରେ ଅଣ୍ଡରୱାର୍ଲ୍ଡ କନେକ୍ସନ ଥିଲା । ଡ୍ରଗ୍ସ ମାଫିଆଙ୍କୁ ବିବାହ କରିଥିଲେ । ବୋଲ୍ଡ ଫଟୋସୁଟକୁ ନେଇ ଦେଶ ତମାତ ହଙ୍ଗାମା ହୋଇଥିଲା । ତେବେ ଆସନ୍ତୁ ଜାଣିବା ବଲିଉଡ ଅଭିନେତ୍ରୀଙ୍କ ବିବାଦୀୟ ଅତୀତରୁ ଆଧ୍ୟତ୍ମିକ ଯାତ୍ରା ବିଷୟରେ ।

ମଡେଲ ତଥା ଟପ୍ ହିରୋଇନ୍ ଥିଲେ ମମତା କୁଲକର୍ଣ୍ଣି । ୧୯୭୨ ଏପ୍ରିଲ ୨୦ରେ ମାୟାନଗରୀ ମୁମ୍ବାଇରେ ତାଙ୍କର ଜନ୍ମ । ତାଙ୍କ ପ୍ରକୃତ ନାମ ମମତା ମୁକୁନ୍ଦ କୁଲକର୍ଣ୍ଣି । ୧୯୯୨ରେ ବଲିଉଡରେ ପାଦ ଥାପିଥିଲେ ମମତା । ତ୍ରିରଙ୍ଗା ଥିଲା ତାଙ୍କର ଡେବ୍ୟୁ ଫିଲ୍ମ । ଏହା ପରେ ବହୁ ହିଟ୍ ଫିଲ୍ମ ଭେଟି ଥିଲେ ମମତା । 'ଆଶିକି ଆୱାରା', 'ମେରେ ଦିଲ୍ ତେରେ ଲିଏ', 'ବିଷ୍ଣୁ ବିଜୟ', 'କରନ ଅର୍ଜୁନ', 'ସବସେ ବଡା ଖିଲାଡୀ', 'ଚାଇନା ଗେଟ' , ଛୁପା ରୁସ୍ତମ ଭଳି ବଲିଉଡ ଫିଲ୍ମରେ ଦମଦାର ଅଭିନୟ କରିଥିଲେ ମମତା । ଖାଲି ହିନ୍ଦୀ ନୁହେଁ ବହୁ ଭାଷା ଚଳଚ୍ଚିତ୍ରରେ ଅଭିନୟ ଯାଦୁ ଦେଖାଇଛନ୍ତି ସେ । ବହୁ ବର୍ଷ ଧରି ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ ମମତା । ୨୦୧୩ରୁ ମମତା କୁଲକର୍ଣ୍ଣି ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଥିଲେ । 

ଡ୍ରଗ୍ସ ମାଫିଆ ବିକ୍କି ଗୋସ୍ବାମୀଙ୍କୁ ଦୁବାଇରେ ବିବାହ କରିଥିଲେ ମମତା । ଡ୍ରଗ୍ସ ତସ୍କରୀକୁ ନେଇ ୧୨ ବର୍ଷ ଜେଲରେ ରହିଥିଲେ  ବିକ୍କି ।  ମାତ୍ର ମମତା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ୨୦୧୬ରେ ବିକ୍କିଙ୍କ ନାମରେ ମୁମ୍ବାଇ ପୋଲିସ ଆରେଷ୍ଟ ୱାରେଣ୍ଟୀ ଜାରି କରିଥିଲା । ମମତାଙ୍କ ନାମରେ ଅଣ୍ଡରୱାର୍ଲ୍ଡ କନେକ୍ସନ ଥିବା ଅଭିଯୋଗ ହୋଇଥିଲା । ଅଣ୍ଡରୱାର୍ଲ୍ଡ ଡନ୍ ଅବୁ ସଲେମକୁ ମନ ଦେଇଥିଲେ ମମତା । ୧୯୯୯ରେ ଏକ ମାଗାଜିନ ପାଇଁ ମମତା ବୋଲ୍ଡ ଫଟୋସୁଟ କରିଥିଲେ ଯାହାକୁ ନେଇ ଦେଶରେ ହଙ୍ଗମା ହୋଇଥିଲା । ଦିନେ ଯିଏ ବୋଲ୍ଡ ଫୋଟସୁଟକୁ ନେଇ ଚର୍ଚ୍ଚାରେ ଥିଲେ ଆଜି ସେ ମହାମଣ୍ଡଳେଶ୍ବର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହା  ମହାଦେବ ଓ ମହାକାଳୀଙ୍କ ଆଦେଶ ଥିଲା ବୋଲି କହିଛନ୍ତି ମମତା ।

ଏହା ବି ପଢନ୍ତୁ...ମହାକୁମ୍ଭରେ ସନ୍ୟାସୀ ଦିକ୍ଷା ଗ୍ରହଣ କଲେ ବଲିଉଡ୍‌ର ଏହି ସଫଳ ଅଭିନେତ୍ରୀ, ଏବେଠୁ ଶ୍ରୀ ମାଈ ମମତା ନନ୍ଦ ଗିରି ନାମରେ ହେବେ ପରିଚିତ…

ଗତକାଲି (ଶୁକ୍ରବାର) ପ୍ରୟାଗରାଜ ମହାକୁମ୍ଭ ମେଳାର ସଙ୍ଗମା ଘାଟରେ ନିଜ ପିଣ୍ଡ ଦାନ କରିଥିଲେ ମମତା । ସାଥୀ ସନ୍ୟାସିନୀଙ୍କ ସହ ବୁଡ ପକାଇବା ସହ ମହାମଣ୍ଡଳେଶ୍ବର ବନିବାର ସମସ୍ତ ବିଧି ପାଳନ କରିଥିଲେ । ପଟ୍ଟାଭିଷେକ ବେଳେ ମମତାଙ୍କ ଆଖିରୁ ଲୁହ ଝରିଥିବା ଦେଖିବାକୁ ମିଳିଥିଲା । ଟପ୍ ହିରୋଇନ ମମତା କୁଲକର୍ଣ୍ଣିରୁ ସେ ହୋଇଛନ୍ତି ଶ୍ରୀ ୟମାଇ ମମତା ନନ୍ଦଗିରି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା । ସଂସାର ତ୍ୟାଗ କରି କାହିଁକି ଏପରି ନିଷ୍ପତ୍ତି ନେଲେ ମମତା ତାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।