ଭୁବନେଶ୍ୱର,୨୩/୦୨: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଆସନ୍ତା ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସିବେ ଏହି ଟିମ୍ । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣ ରହିବେ । ରାଜ୍ୟ ସରକାର ଏହି ଟିମ୍‌କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି । ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଦର୍ଶନ ବେଳେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ସଦସ୍ୟମାନେ ମହାନଦୀରେ ଜଳପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ ଏବଂ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ବୈଷୟିକ ଓ ପରିବେଶଗତ ଦିଗଗୁଡ଼ିକର ମୂଲ୍ୟାଙ୍କନ କରିବେ ।

ଆହୁରି ପଢ଼ନ୍ତୁ :- ଓଡ଼ିଶାରେ ବର୍ଷକୁ ଆବଶ୍ୟକ ୬ ଲକ୍ଷ ୟୁନିଟ୍ ରକ୍ତ, ସଂଗ୍ରହ ହେଉଛି ସାଢ଼େ ୫ ଲକ୍ଷ: କଲେଜ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ରେଡକ୍ରସ୍‌ର ପରାମର୍ଶ

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚି ପାରୁନଥିବାରୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଦୀର୍ଘ ୯ ମାସ ଧରି ଏହାର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନଥିଲା । ଚଳିତ ମାସ ୭ ତାରିଖରେ ହେବାକୁ ଥିବା ମହାନଦୀ ଜଳ ବିବାଦ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଥିଲା । ଟ୍ରିବ୍ୟୁନାଲ୍ କ୍ଷେତ୍ର ପରିଦର୍ଶନ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି । ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି । ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ :- ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ : ସକାଳ ୬ଟା ୨୦ରୁ ହାଣ୍ଡିଛାଡ, ଅପରାହ୍ନ ୩ଟାରେ ଗ୍ରହଣ ସ୍ପର୍ଶ