କଟକ, ୮/୭ : କଟକରେ ‘ମହାପ୍ରୟାଣ’ ସେବା ଧର୍ମକୁ ଆଖିଠାର ପରି ରହିଛି । ଏସ୍‌ସିବି ମେଡିକାଲ୍‌ ହେଉ କିମ୍ବା ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ରେ ଗରିବ ରୋଗୀଙ୍କ ମୃତ୍ୟୁ ପରେ ମୃତଦେହ ପରିବହନ ପାଇଁ ମହାପ୍ରୟାଣ ଗାଡ଼ି ମିଳିବା କଷ୍ଟକର ହେଉଛି । ଦିନ ବେଳା କେତେବେଳେ କେମିତି ଏସ୍‌ସିବିରେ ଗୋଟିଏ କିମ୍ବା ଦୁଇଟି ମୃତଦେହ ପରିବହନ ସମ୍ଭବ ହେଉଥିବା ବେଳେ ସନ୍ଧ୍ୟା ହେଲେ ଏହି ସେବା ପୂରା ବନ୍ଦ। ଏପରିସ୍ଥଳେ ଏ ସେବା ଏକପ୍ରକାର ପ୍ରହସନ ପାଲଟିଛି ବୋଲି ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି । ଶିଶୁ ଭବନ ଓ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍‌ପିଟାଲ୍‌)ରେ ମହାପ୍ରୟାଣ ସେବା ଉପଲବ୍‌ଧ ନାହିଁ । 

ଏସ୍‌ସିବି ମେଡିକାଲ୍‌ରେ ଦୁଇଟି ମହାପ୍ରୟାଣ ଗାଡ଼ି ଥିଲେ ବି ଦୁଇଟିର ଅବସ୍ଥା ଭଲ ନାହିଁ । ଦୀର୍ଘ ୩ ମାସ ହେଲା ଗୋଟିଏ ଗାଡ଼ିର ୪ଟି ଯାକ ଟାୟାର ଖରାପ ହୋଇପଡ଼ିଛି । ଉକ୍ତ ଗାଡ଼ିରେ ମୃତଦେହ ନେବା ନିରାପଦ ନଥିବାରୁ ତାହା ମେଡିକାଲ ପାର୍କିଂ ସ୍ଥଳରେ ଠିଆ ହୋଇଛି । ଅନ୍ୟ ଗାଡ଼ିରେ ମରାମତି ଓ ମୋବିଲ୍‌ ବଦଳାଇବା ଦରକାର ଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ମୋବିଲ୍‌ ପକାଇବା ପାଇଁ ଦୀର୍ଘ ୨ ମାସ ମାସେ ହେଲା ଏସ୍‌ସିବିରୁ ଫାଇଲ୍‌ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ସେକ୍ସନରୁ ସେ ସେକ୍ସନ ବୁଲୁଛି । ରକ୍ଷଣାବେକ୍ଷଣ ଅଭାବରୁ ନିକଟ ଅତୀତରେ ଦୁଇଟିରୁ ଗୋଟିଏ ଗାଡ଼ି ରେଢ଼ାଖୋଲ ଜଙ୍ଗଲ ଭିତରେ ପଶି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ଯାଜପୁରରେ ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଦଦରା ଗାଡ଼ି ଦ୍ୱୟକୁ ମରାମତି କରି ସେଥିରେ ରୋଗୀ ପରିବହନ ଚାଲିଥିଲେ ହେଁ ଗାଡ଼ିର ଅବସ୍ଥା ଭଲ ନାହିଁ । ଗୋଟିଏ ଗାଡ଼ି ଦେଢ଼ ଲକ୍ଷ କିମିରୁ ଅଧିକ ବାଟ ଗଡ଼ିଥିବା ସୂଚନା ମିଳିଛି । ସେହିପରି ଅନ୍ୟ ଗାଡ଼ି ୧ ଲକ୍ଷ ୨୦ ହଜାରରୁ ଅଧିକ ବାଟ ଚାଲିଲାଣି । ଅଧିକ ବାଟ ଗଡ଼ୁଥିବାରୁ ଗାଡ଼ିଗୁଡ଼ିକ ନିୟମିତ ମରାମତି କରିବା ସହ ଏହାର ବିକଳ୍ପ ଭାବେ ଅନ୍ୟ ମହାପ୍ରୟାଣ ଗାଡ଼ିର ବନ୍ଦୋବସ୍ତ କରିବା ପାଇଁ ପୂର୍ବରୁ ଏସ୍‌ସିବି ମେଡିକାଲ୍‌ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଚିଠି କରିଥିଲେ । 

ଅନ୍ୟପକ୍ଷରେ ଏସ୍‌ସିବିରେ ଦିନକୁ ୧୫ରୁ ୨୦ ଜଣ ରୋଗୀଙ୍କର ମୃତ୍ୟୁ ଘଟୁଥିବା ବେଳେ ଗାଡ଼ି ମାତ୍ର ଦୁଇଟି ରହିଛି । ଗୋଟିଏ ଗାଡ଼ି ଯଦି ଦୂର ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଦକ୍ଷିଣ ଓଡ଼ିଶାର କୌଣସି ଅଞ୍ଚଳ କିମ୍ବା ପଶ୍ଚିମ ଓଡ଼ିଶାକୁ ନେଇ ଯାଉଛି ସେଠାରୁ ଯିବାଆସିବା ମଧ୍ୟରେ ଏସ୍‌ସିବିରେ ପହଞ୍ଚିଲା ବେଳକୁ ଦୁଇ ଦିନ ସମୟ ଲାଗି ଯାଉଛି । ଏହି ସମୟରେ ଏସ୍‌ସିବିରେ ଯଦି କୌଣସି ଅସହାୟ ରୋଗୀଙ୍କର ମୃତ୍ୟୁ ଘଟୁଛି ତେବେ ତାଙ୍କ ମୃତଦେହକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିପାରୁନାହିଁ । ଡ୍ରାଇଭର୍‌ ଅଭାବ ଏଇ ସେବାରେ ବାଧକ ହେଉଛି । ୫ ଜଣ ଡ୍ରାଇଭର ନିୟୋଜିତ ହେବା ବଦଳରେ ଠିକା ସଂସ୍ଥା ମାଧ୍ୟମରେ ନିୟୋଜିତ ମାତ୍ର ୩ ଜଣ ଡ୍ରାଇଭର୍‌ ଅଛନ୍ତି । ସେହିପରି ଶିଶୁ ଭବନରେ ମହାପ୍ରୟାଣ ଗାଡ଼ି ଉପଲବ୍‌ଧ ନଥିବାରୁ ଏସ୍‌ସିବି ଗାଡ଼ି ଉପରେ ନିର୍ଭର କରୁଛି । ଅନ୍ୟପକ୍ଷରେ ମହାପ୍ରୟାଣ ସେବାରୁ ସୁବିଧା ନେବା ପାଇଁ ମେଡିକାଲ୍‌ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଟେଲିଫୋନ୍‌ ନମ୍ବର କିମ୍ବା ସୂଚନା ଫଳକ ଲାଗିନଥିବାରୁ ଉକ୍ତ ବ୍ୟବସ୍ଥାରେ ବହୁ ବିଭ୍ରାଟ ହେଉଛି । ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ରେ ଦୁଇଟି ମହାପ୍ରୟାଣ ଗାଡ଼ି ରହିଥିଲେ ଉକ୍ତ ଗାଡ଼ି ଚଳାଇବା ପାଇଁ ଡ୍ରାଇଭର୍‌ଙ୍କୁ ନିୟୋଜିତ କରାଯାଇନାହିଁ । ଡ୍ରାଇଭର୍‌ ନ ଥିବାରୁ ହସ୍‌ପିଟାଲ୍‌ରେ ନିୟୋଜିତ ଠିକା ସଂସ୍ଥାର ଆଟେଣ୍ଡାଣ୍ଟ୍‌ ପାଳି କରି ମୃତଦେହ ପରିବହନ ଲାଗି ମହାପ୍ରୟାଣ ଗାଡ଼ି ଚଳାଉଛନ୍ତି । ଏ ସମ୍ପର୍କରେ ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର୍‌ ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଜିଲ୍ଲା ପ୍ରଶାସନରୁ ଏସ୍‌ସିବିକୁ ମାତ୍ର ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଣ ହୋଇଛି । ଗାଡ଼ିର ରକ୍ଷଣାବେକ୍ଷଣ ପାଇଁ ଆମ ପାଖରେ ପାଣ୍ଠି ବନ୍ଦୋବସ୍ତ ନାହିଁ ।

ଆହୁରି ପଢନ୍ତୁ- Sundarpada bomb blast : ଆଜାଦ୍ ନଗର ବୋମା ବିସ୍ଫୋରଣ ମାମଲାରେ NIAର ବଡ଼ ଆକ୍ସନ, ୟୁପିରୁ ଆଉ ଜଣେ ଅଭିଯୁକ୍ତ ଗିରଫ

 

Bhubaneswar Eviction Drive | ଭୁବନେଶ୍ବର ପଟିଆରେ ଜବର ଦଖଲ ଉଚ୍ଛେଦ ଜାରି ..