ନୂଆଦିଲ୍ଲୀ,୦୪/୧୨: ମହାରାଷ୍ଟ୍ରରେ ଆସନ୍ତକାଲି ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ବୁଧବାର ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ତେବେ ଏସବୁ ପୂର୍ବରୁ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ପଛକୁ ହଟିଥିବା ଚର୍ଚ୍ଚା ହେଉଛି ଏବଂ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିଭାଇବା ସ୍ପଷ୍ଟ ବୋଲି କିଛି ରାଜନେତା ଆଲୋଚନା କରୁଛନ୍ତି। ତେବେ ଫଡନବିସଙ୍କ ନେତୃତ୍ବାଧିନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ସିନ୍ଦେ ଶପଥ ଗ୍ରହଣ କରିପାରନ୍ତି।
ଆସନ୍ତାକାଲି ଅର୍ଥାତ୍ ଗୁରୁବାର କେବଳ ତିନିଜଣ ପ୍ରତିଷ୍ଠିତ ନେତା ଶପଥ ଗ୍ରହଣ କରିବେ। ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏବଂ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ମହାରାଷ୍ଟ୍ର ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ଏହି ତିନି ନେତାଙ୍କ ଶପଥ ଗ୍ରହଣ ସମାରୋହ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ହେବ, ଯେଉଁଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଠାରେ ଅଢ଼େଇ ହଜାର ମୁମ୍ବାଇ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଟାସ୍କଫୋର୍ସ, ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମଧ୍ୟ ସଜାଗ ରହିଛନ୍ତି।
ସିନ୍ଦେଙ୍କୁ ସାକ୍ଷାତ କଲେ ଫଡନବିସ:
ଏହାପୂର୍ବରୁ ମଙ୍ଗଳବାର ଦିନ ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିୟମିତ ଚିକିତ୍ସା ଯାଞ୍ଚ ପାଇଁ ସହରର ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସରକାରୀ ବାସଭବନ ବର୍ସା ପାଇଁ ଡାକ୍ତରଖାନା ଛାଡିବା ପୂର୍ବରୁ ଏକନାଥ ସିନ୍ଦେ କହିଛନ୍ତି ଯେ ମୁଁ ଚେକ୍ଅପ୍ ପାଇଁ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ ସିନ୍ଦେ ଗଳା ଜନିତ ସମସ୍ୟାରେ ପୀଡିତ ଥିଲେ। ଡାକ୍ତର କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ଜ୍ୱର ଏବଂ ସଂକ୍ରମଣ ହୋଇଥିଲା, ଯେଉଁଥିପାଇଁ ସେ ଦୁର୍ବଳ ହୋଇଯାଇଥିଲେ। ସତର୍କତା ଭାବରେ ତାଙ୍କର ଏମଆରଆଇ ସ୍କାନ ମଧ୍ୟ କରାଯାଇଥିଲା।
ଡାକ୍ତରଖାନାରୁ ଶିନ୍ଦେ ଫେରିବାର କିଛି ଘଣ୍ଟା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ସରକାରୀ ବାସଭବନ 'ବର୍ସା'ରେ ପହଞ୍ଚିଥିଲେ। ଗତ ସପ୍ତାହରେ ଦିଲ୍ଲୀରେ ବରିଷ୍ଠ ବିଜେପି ନେତୃତ୍ୱଙ୍କୁ ଭେଟିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ମୁହାଁମୁହିଁ ବୈଠକ ଥିଲା। ସୂଚନାଥାଉକି, ସିନ୍ଦେଙ୍କ ଦଳ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ମହାୟୁତୀ ମିଳିତ ମେଣ୍ଟର ଏକ ପ୍ରମୁଖ ଅଂଶୀଦାର। ନଭେମ୍ବର ୨୦ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶାସକ 'ମହାୟୁତି'ର ବୃହତ ବିଜୟ ପରେ ମହାରାଷ୍ଟ୍ରର ନୂତନ ସରକାର ଡିସେମ୍ବର ୫ ରେ ଶପଥ ଗ୍ରହଣ କରିବେ।