ନୂଆଦିଲ୍ଲୀ ୦୫/୦୮: ବକ୍ସ ଅଫିସ୍‌ରେ ଚହଳ ପକାଇଛି ନିର୍ଦ୍ଦେଶକ ଅଶ୍ୱିନ କୁମାରଙ୍କ ଆନିମେଟେଡ୍‌ ପୌରାଣିକ ଡ୍ରାମା ‘ମହାବତାର ନରସିମ୍‌ହା’ । ଭାରତର ଆନିମେସନ୍‌ ଫିଲ୍ମ ଦୁନିଆରେ ଏହା ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ରିଲିଜ୍‌ର ମାତ୍ର ୧୦ ଦିନରେ ଫିଲ୍ମଟି ଦେଶରେ ୯୧.୨୫ କୋଟି ବ୍ୟବସାୟ କରିଛି । ‘ସୈୟାରା’ ଓ ‘ଧଡ଼କ୍‌-୨’ ଭଳି ଫିଲ୍ମର ଦବ୍‌ଦବା ସତ୍ତେ୍ୱ ‘ମହାବତାର ନରସିମ୍‌ହା’ର ମ୍ୟାଜିକ୍‌ ଦର୍ଶକଙ୍କୁ ସିନେମାଘରକୁ ଟାଣିଆଣୁଛି । ଭଗବାନ ଶ୍ରୀବିଷ୍ଣୁଙ୍କ ନୃସିଂହ ଅବତାର ଓ ଭକ୍ତ ପ୍ରହ୍ଲାଦଙ୍କ ଭକ୍ତିର ଶକ୍ତିକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ଏବଂ ଆନିମେସନ୍‌ ଜରିଆରେ ସେହି ଗଭୀର ଭାବକୁ ବଜାୟ ରଖିବାରେ ଫିଲ୍ମଟି ସଫଳ ହୋଇଛି ।

ନିର୍ମାତାଙ୍କ ଅନୁସାରେ, ଫିଲ୍ମଟି ଦେଶରେ ୧୦୫ କୋଟିରୁ ଅଧିକ ବ୍ୟବସାୟ କରିଛି, ଯାହା ମାଧ୍ୟମରେ ଭାରତରେ ଏପର୍ଯ୍ୟନ୍ତ ସର୍ବାଧିକ ଆୟ କରିଥିବା ଆନିମେଟେଡ୍‌ ଫିଲ୍ମ ହୋଇଛି । ଖାସ୍‌ କଥା ହେଉଛି, ‘ସ୍ପାଇଡର୍‌-ମ୍ୟାନ୍‌: ଇନ୍‌ଟୁ ଦ ସ୍ପାଇଡର୍‌-ଭର୍ସ’ ଓ ‘କୁଙ୍ଗ୍‌ ଫୁ ପାଣ୍ଡା’ ଭଳି ଅନ୍ତର୍ଜାତୀୟ ଆନିମେଟେଡ୍‌ ଫିଲ୍ମକୁ ଭାରତୀୟ ବକ୍ସ ଅଫିସ୍‌ରେ ପଛରେ ପକାଇଛି ‘ମହାବତାର ନରସିମ୍‌ହା’ । ଉଭୟ ୨ଡି ଓ ୩ଡି ଫର୍ମାଟ୍‌ରେ ଏବଂ ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ୍‌ ଓ ହିନ୍ଦୀ ୫ ଭାଷାରେ ଫିଲ୍ମଟି ଡବ୍‌ ହୋଇଛି । 

ତେଲୁଗୁ ୩ଡି ସଂସ୍କରଣରେ ଫିଲ୍ମ ବଡ଼ ସଫଳତା ପାଇଛି, ଯାହା ୮୮.୯୪ ପ୍ରତିଶତ ଥିଏଟର ଉପରେ କବ୍‌ଜା କରିଛି । ଏହା ପରେ ୬୮.୩୦ ପ୍ରତିଶତ ଥିଏଟରରେ ଫିଲ୍ମର ହିନ୍ଦୀ ୩ଡି ସଂସ୍କରଣ ପ୍ରଦର୍ଶିତ ହୋଇଛି । ଏକାଧିକ ଭାଷାରେ ଡବ୍‌ ହେବା ଯୋଗୁ ଦେଶର ପ୍ରତ୍ୟେକ କୋଣର ଦର୍ଶକଙ୍କୁ ଫିଲ୍ମଟି ଆକର୍ଷିତ କରିଛି । ଭଗବାନ ଶ୍ରୀବିଷ୍ଣୁଙ୍କ ଦଶମ ଅବତାର ନୃସିଂହ ଓ ଭକ୍ତ ପ୍ରହ୍ଲାଦଙ୍କ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଏହା ପରେ ନିର୍ମାତା ‘ମହାବତାର ପର୍ଶୁରାମ’ ଓ ‘ମହାବତାର କଲ୍‌କୀ’ ଭଳି ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି, ଯାହା ଭାରତୀୟ ଆନିମେସନ୍‌ ଫିଲ୍ମରେ ପ୍ରଦର୍ଶିତ ଅନ୍ୟ କାହାଣୀ ଭଳି ପୌରାଣିକ କାହାଣୀର ଫ୍ରାଞ୍ଚାଇଜି ପାଇଁ ମାର୍ଗ ପ୍ରଶସ୍ତ କରିବ ।