ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ଘଟଣାରେ, ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ମାଧ୍ୟମରେ ହୋଇଥିବା ନିର୍ବାଚନର ଅଢ଼େଇ ବର୍ଷ ପରେ ସୁପ୍ରିମ୍‌ କୋର୍ଟର ନିର୍ଦ୍ଦେଶରେ ପୁନଃ ଗଣନା କରାଯାଇଛି। ଯେଉଁଥିରେ ହାରିଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଇଛି। ଏହି ଐତିହାସିକ ନିଷ୍ପତ୍ତି ଭାରତୀୟ ନିର୍ବାଚନ ପ୍ରଣାଳୀ ଏବଂ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ନୂତନ ବିତର୍କ ସୃଷ୍ଟି କରିଛି।

ଜାତୀୟ ଗଣମାଧ୍ୟମ ନଭଭାରତ ଲାଇଭ୍‌ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ଏହି ମାମଲା ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରୁ ଉପୁଜିଥିଲା। ହରିୟାନାର ପାନିପତ ଜିଲ୍ଲାର ବୁଆନା ଲାଖୁ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋହିତ କୁମାରଙ୍କ ଅଭିଯୋଗ ଆଧାରରେ ସୁପ୍ରିମ୍‌ କୋର୍ଟ ଭୋଟ୍‌ ପୁନଃ ଗଣନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପୁନଃ ଗଣନା ପରେ ପୂର୍ବରୁ ହାରିଥିବା ମୋହିତ କୁମାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ଯାହା ନିର୍ବାଚନ ଫଳାଫଳକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।

ଆପଣଙ୍କୁ ଜଣାଇରଖୁ ଯେ ଏହି ନିର୍ବାଚନର ଫଳାଫଳ ଗତ ୨୦୨୨ ମସିହା ନଭେମ୍ୱର ମାସ ୨ ତାରିଖରେ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ କୁଲଦିପ ସିଂହଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହି ଘୋଷଣା ବିରୁଦ୍ଧରେ ମୋହିତ କୁମାର ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ ଶ୍ରେଣୀ) ଓ ନିର୍ବାଚନ ନ୍ୟାୟାଧିରଣ ପାନିପତ ନିକଟରେ ଯାଚିକା ଦାୟର କରିଥିଲେ। ନ୍ୟାୟାଧିକରଣ ପ୍ରଥମେ ରି-କାଉଣ୍ଟିଂ ପାଇଁ ଆଦେଶ ଦେଇଥିବା ବେଳେ ପଞ୍ଜାବ ଓ ହରିୟାନାର ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ପରେ ମୋହିତ କୁମାର ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟରେ ପହଞ୍ଚିଥିଲେ। ତେବେ କୋର୍ଟର ରାୟ ତାଙ୍କ ସପକ୍ଷରେ ଯାଇଛି।  

ଏହି ଘଟଣା ଭାରତୀୟ ନିର୍ବାଚନ ଆୟୋଗ ଉପରେ ଅଧିକ ଚାପ ସୃଷ୍ଟି କରିଛି। ବିପକ୍ଷ ଦଳମାନେ ଦୀର୍ଘ ଦିନ ଧରି ଇଭିଏମ୍‌ର ସ୍ୱଚ୍ଛତା ଏବଂ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ସୁପ୍ରିମ୍‌ କୋର୍ଟର ଏହି ନିଷ୍ପତ୍ତି ଇଭିଏମ୍‌ ବ୍ୟବହାର ଏବଂ ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଓ ସଂସ୍କାର ପାଇଁ ଦାବିକୁ ଆହୁରି ଜୋରଦାର କରିଛି। 

ଏହି ନିଷ୍ପତ୍ତି ରାଜନୈତିକ ମହଲରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। କେତେକ ରାଜନୈତିକ ଦଳ ଏହାକୁ ନିର୍ବାଚନ ପ୍ରଣାଳୀରେ ନୂତନ ବୌଷୟିକ ଜ୍ଞାନ ଭାବେ ଦେଖୁଛନ୍ତି। ଅନ୍ୟପକ୍ଷରେ ଅନେକେ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ପୁନର୍ବାର ସନ୍ଦେହ ପ୍ରକାଶ କରୁଛନ୍ତି। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସରକାରୀ ବୟାନ ଜାରି କରିନଥିବା ବେଳେ, ଏହି ଘଟଣା ଆଗାମୀ ନିର୍ବାଚନଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।  

ଏହି ମାମଲା ସମ୍ପର୍କରେ ଅଧିକ ତଥ୍ୟ ଏବଂ ସଂପୃକ୍ତ ପକ୍ଷମାନଙ୍କର ପ୍ରତିକ୍ରିୟା ଅପେକ୍ଷା କରାଯାଉଛି। ଏହା ସହିତ, ନିର୍ବାଚନ ପ୍ରଣାଳୀରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଁ ଆଗାମୀ ଦିନରେ କେଉଁ ପଦକ୍ଷେପ ଗ୍ରହଣ କରାଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।