ପ୍ରାୟ ସବୁ ବାପାମା’ ଚାହାନ୍ତି ତାଙ୍କ ପିଲା ବଡ଼ ହେବା ପରେ ଦାୟିତ୍ୱବାନ୍‌ ଓ ସଫଳ ହେଉ । କିନ୍ତୁ କେବଳ ଚାହିଁଲେ କିଛି ହୁଏନା ବରଂ ଛୋଟ ବେଳୁ ପିଲାକୁ କିଛି ଶିଖାଇବା ସହ ମୂଳଦୁଆ ପକାଇବାକୁ ପଡିଥାଏ । ତେଣୁ ଆପଣ ଯଦି ନିଜ ପିଲାର ଭବିଷ୍ୟତକୁ ନେଇ ଏମିତି ସ୍ୱପ୍ନ ଦେଖୁଥାନ୍ତି, ତେବେ ନିମ୍ନ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । 

ପିଲାଙ୍କ ଭିତରେ ଦାୟିତ୍ୱବାନ୍‌ ହେବାର ଭାବନା ଗୋଟିଏ ଦିନରେ ଆସି ନଥାଏ । ତେଣୁ ଏଥିପାଇଁ ଲଗାତାର ପ୍ରୟାସ କରିବା ସହ ଆବଶ୍ୟକ ଗାଇଡ୍‌ ଜରୁରି ହୋଇଥାଏ । ଫଳରେ ପିଲା ଜୀବନରେ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ସାହସ ଜୁଟାଇପାରିବେ । ଏଭଳି ଅଭ୍ୟାସ କେବଳ ପିଲାର ଭବିଷ୍ୟତ ବଦଳାଇ ନଥାଏ, ବରଂ ଅଭିଭାବକଙ୍କୁ ମଧ୍ୟ ଗୌରବାନ୍ୱିତ କରିଥାଏ । 

କମ୍‌ ବୟସରୁ ଦାୟିତ୍ୱବୋଧ: ପ୍ରାୟ ବାପାମା’କଥା କଥାରେ କହିଥାନ୍ତି ଛୋଟ ପିଲାଟା । କିନ୍ତୁ ଏଭଳି ବିଚାର ଆଦୌ ଠିକ୍‌ ନୁହେଁ । ପିଲାକୁ ଛୋଟ ବେଳୁ ହିଁ ବୟସ ହିସାବରେ ଛୋଟ ଛୋଟ ଦାୟିତ୍ୱ ଦେବା ଉଚିତ୍‌ । ଯେପରିକି ଛୋଟ ପିଲାକୁ ଖେଳିବା ପରେ ନିଜ ଖେଳନାକୁ ନିଜେ ସଜାଡି ରଖିବା ଶିଖାଇବା ଉଚିତ୍‌ । ସେହିପରି ବୟସ ବଢିବା ସହ ପିଲାକୁ ନିଜ ବିଛଣା ନିଜେ ସଜାଡିବା ଶିଖାଇବା ଉଚିତ୍‌ । ଏପରି ବିଭିନ୍ନ କାମ କରୁ କରୁ ପିଲାଟି ଧୀରେ ଧୀରେ ଦାୟିତ୍ୱସମ୍ପର୍ଣ୍ଣ ହୋଇଚାଲିବ । 

ନିଷ୍ପତ୍ତି ନେବାରେ ସାମିଲ୍‌ କରନ୍ତୁ: ପିଲାଙ୍କୁ କେବଳ ଆଦେଶ ଦିଅନ୍ତୁନାହିଁ । ବରଂ ସେମାନଙ୍କୁ ଘରର କୌଣସି ନିଷ୍ପତ୍ତି ନେବାରେ ମଧ୍ୟ ସାମିଲ୍‌ କରନ୍ତୁ । ଯେପରିକି ଘର ପାଇଁ କୌଣସି ଜିନିଷ କିଣିବା ସମୟରେ ପିଲାଙ୍କ ପସନ୍ଦ-ନାପସନ୍ଦ ବା ମତକୁ ନିଶ୍ଚୟ ସାମିଲ୍‌ କରନ୍ତୁ । ଅଭିଭାବକ ଯଦି କୌଣସି ଖାସ୍‌ ନିଷ୍ପତ୍ତି ନେଉଥାନ୍ତି । ତେବେ ଏହାର ଫଳାଫଳ ବିଷୟରେ ମଧ୍ୟ ପିଲାକୁ ଜଣାଇବା ଉଚିତ୍‌ । ଯଦି ପିଲାର କୌଣସି ନିଷ୍ପତ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ୟା ସୃଷ୍ଟି କରେ, ତେବେ ପିଲାକୁ ଫଳାଫଳକୁ ସ୍ୱୀକାର କରିବାକୁ ସୁଯୋଗ ଦିଅନ୍ତୁ ।

ଭୁଲ୍‌ରୁ ଶିଖିବାକୁ ସୁଯୋଗ ଦିଅନ୍ତୁ: ପିଲା ଭୁଲ୍‌ କରିବେ, ଏହା ସ୍ୱାଭାବିକ୍‌ । କିନ୍ତୁ ଆପଣ ସେହି ଭୁଲ୍‌ ଉପରେ କେମିତି ପ୍ରତିକ୍ରିୟା ଦେଉଛନ୍ତି । ଭୁଲ୍‌ ପାଇଁ ପିଲାଙ୍କୁ କୌଣସି ଦଣ୍ଡ ଦେବା ପରିବର୍ତ୍ତେ ଭୁଲ୍‌ରୁ ଶିଖିବାକୁ ସୁଯୋଗ ଦିଅନ୍ତୁ । ଯଦି ପିଲା କୌଣସି ଜିନିଷ ଭାଙ୍ଗିଦିଏ, ତେବେ ଗାଳି ଦେବା ଓ ଚିତ୍କାର କରିବା ପରିବର୍ତ୍ତେ ଶାନ୍ତ ରହି ପିଲା ସହ କଥା ହୁଅନ୍ତୁ । ତାକୁ ପଚାରନ୍ତୁ ଏମିତି କେମିତି ହେଲା । ଆଗାମୀ ଦିନରେ ଏଭଳି ଭୁଲ୍‌କୁ କେମିତି ରୋକା ଯାଇପାରିବ । ଯଦି ସମ୍ଭବ ଭାଙ୍ଗିଯାଇଥିବା ଜିନିଷକୁ ପିଲା ପକେଟ ମନି ଜରିଆରେ କିଣାଯାଇପାରିବ କି? ଏପରି କରିବା ଦ୍ୱାରା ପିଲା ଶିଖିଥାଏ ଯେ ଭୁଲ୍‌ରୁ ଶିଖିବା ଜୀବନର ଏକ ଅଂଶ । ତେଣୁ ସେ ଭୁଲ୍‌କୁ ଲୁଚାଇବା ପରିବର୍ତ୍ତେ ସୁଧାରିବା ପାଇଁ ପ୍ରୟାସ କରିଥାଏ ।