ମାଲକାନଗିରି,୫/୧୨: ଏଏନଏମ ପ୍ରଶ୍ନପତ୍ର ଲିକ ପରେ ମାଲକାନଗିରିରେ ପରୀକ୍ଷା ବାତିଲ ହୋଇଯିବାରୁ ୪୦ଜଣ ପରୀକ୍ଷର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶୁକ୍ରବାର ଥିଲା ଏଏନଏମ ଦ୍ଵିତୀୟ ବର୍ଷର ପରୀକ୍ଷା, ମାଲକାନଗିରି ଜିଲ୍ଲା ସଦର ମହାକୁମା ସରକାରୀ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ମାଲକାନଗିରି ଜିଲ୍ଲା ହସ୍ପିଟାଲ ପରିସରରେ ଥିବା ସରକାରୀ ଏ ଏନଏମ କେନ୍ଦ୍ର ର ୪୦ ଜଣ ଏଏନଏମ ଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି ହୋଇ ପରୀକ୍ଷା କେନ୍ଦ୍ରକୁ ଯାଇ ଥିଲେ। ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦିନ ୨ ଟାରେ ପରୀକ୍ଷା ଥୂବା ବେଳେ ୧୧ ଟା ବେଳେ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପ୍ରଘଟ ହୋଇଥିଲା।
ମାଲକାନଗିରି କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଉପଜିଲ୍ଲାପାଳ କେନ୍ଦ୍ରରେ ପହଁଚି ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ । ଖୁସି ହୋଇ ପରୀକ୍ଷା ଦେବା ପାଇଁ ହଲରେ ବସି ଥିବା ବେଳେ ପରୀକ୍ଷା ବାତିଲ ହେବା ଖବର ପାଇ ଦୁଃଖ ରେ ଛାତ୍ରୀ ମାନେ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ପ୍ରଶ୍ନ ପତ୍ର ଲିକ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରୀକ୍ଷାର୍ଥୀ ମାନେ ଦାବି କରିଛନ୍ତି। ଏସମ୍ପର୍କ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ କହିଛନ୍ତି, ଏଏନଏମ ପ୍ରଶ୍ନ ପତ୍ର ମାଲକାନଗିରି ଜିଲ୍ଲାରେ ଲିକ ହୋଇନାହିଁ, ସକାଳ ୧୧ ଟାରେ ଖବର ପ୍ରଚାର ହେଲା ଏଏନଏମ ପ୍ରଶ୍ନ ପତ୍ର ଲିକ ହୋଇଛି, ଏହା ଜାଣିବା ପରେ ଉପଜିଲ୍ଲାପାଳ ଟ୍ରେଜେରିରେ କଡ଼ା ସୁରକ୍ଷା ମଧ୍ୟରେ ରଖା ଯାଇଥିବା ପ୍ରଶ୍ନ ପତ୍ର ଗୁଡିକୁ ଯାଞ୍ଚ କରିଥିଲେ, ସେ ଗୁଡିକ ସିଲଡ଼ ହୋଇ ସୁରକ୍ଷିତ ଭାବେ ଥିଲା, ସିଲ ମଧ୍ୟ ଖୋଲା ଯାଇ ନଥିଲା, ଏହି ପ୍ରଶ୍ନ ପତ୍ର ଅନ୍ୟକେଉଁ ଠାରେ ଲିକ ହୋଇଛି, ପରୀକ୍ଷା ଦିନ ୨ଟା ରେ ଥିଲା, ସଙ୍ଗେ ସଙ୍ଗେ ଉପ ଜିଲ୍ଲାପାଳ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ବାତିଲ ହୋଇଛି ବୋଲି ସୂଚନା ଦେଇଥିଲେ।