ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତାରୁ ହଟିଛି ଟିଏମସି । ୧୫ ବର୍ଷର ମମତା ସରକାରର ଅନ୍ତ ଘଟି ବିଜେପି ନୂଆ ସରକାର ଗଠନ କରିଛି । ରାଜ୍ୟର ବଡ଼ ଦଳର ଏତେ ବଡ଼ ବିପର୍ଯ୍ୟୟ ପରେ ଆରମ୍ଭ ହୋଇଛି ସମୀକ୍ଷା । ଦଳର ପରାଜୟର କାରଣ ଖୋଜା ଯାଉଥିବାବେଳେ ପୁଣିଥରେ ସଂଗଠନକୁ ଦୃଢ଼ କରିବା ପାଇଁ ମମତା ଆରମ୍ଭ କରିଛନ୍ତି ପ୍ରୟାସ । ଟିଏମସି ସୁପ୍ରିମୋ ମମତା କୋଲକାତାର କାଲିଘାଟରେ ଥିବା ବାସଭବନରେ ନିର୍ବାଚନ ଲଢ଼ିଥିବା ନେତାଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ । ଆଉ ଏହାପରେ ନିଜର ଚରମ ନିଷ୍ପତ୍ତି ଶୁଣାଇଛନ୍ତି ।

ଏହି ବୈଠକ ସମୟରେ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ ପରାଜୟ ପରେ ଦଳୀୟ ନେତାଙ୍କ ଭିତରେ ଏକତା ଆଣିବା ପାଇଁ ଏଭଳି ବୈଠକର ଆୟୋଜନ କରାଯାଇଥିଲା । ଯେଉଁଥିରେ ମମତା କହିଛନ୍ତି କି, ଯେଉଁମାନେ ଦଳ ଛାଡ଼ିବା ପାଇଁ ଚାହୁଁଛନ୍ତି ଛାଡ଼ିପାରନ୍ତି । ମୁଁ ଦଳକୁ ନୂଆଭାବେ ତିଆରି କରିବି । ମୋ ସହ ଯେଉଁମାନେ ରହିବା ପାଇଁ ଚାହୁଁଛନ୍ତି ରହିପାରନ୍ତି । ଯଦି କେହି ଯିବାକୁ ଚାହୁଁଛନ୍ତି ଆମେ ଅଟକାଇବୁନି । ଦରକାର ପଡ଼ିଲେ ମୁଁ ନିଜେ ରଙ୍ଗ ମାରିବି । ଆଉ ଦଳକୁ ଆଉ ଥରେ ଗଢ଼ି ତୋଳିବି ।

ସେ ଆହୁରି କହିଥିଲେ ଯେ ସେ ଦଳରେ କାହାକୁ ବଳପୂର୍ବକ ରଖିବାରେ ବିଶ୍ୱାସ କରନ୍ତି ନାହିଁ। ମମତା ସ୍ୱୀକାର କରିଛନ୍ତି ଯେ ନିର୍ବାଚନ ପରାଜୟ ପରେ ଅନେକ ନେତା ଦଳ ଛାଡିପାରନ୍ତି, କିନ୍ତୁ ଏହା ଦଳର ସଂଘର୍ଷକୁ ସମାପ୍ତ କରିବ ନାହିଁ।ଏହାସହ କେହି ମନୋବଳକୁ ଦୁର୍ବଳ କରନାହିଁ ବୋଲି କହିଛନ୍ତି ମମତା । ଦଳର ପରାଜୟ ପରେ ଅନେକ ନେତା ଟିଏମସି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ମମତା ସମୀକ୍ଷା ବୈଠକରେ ଏ ସମ୍ପର୍କରେ ସମସ୍ତଙ୍କୁ ନିଜର ପ୍ରତିକ୍ରିୟା ଶୁଣାଇ ଦେଇଛନ୍ତି ।

ଏହାସହ ପଢ଼ନ୍ତୁ : ରୁପା ଆମଦାନୀ ଉପରେ ସରକାର ଲଗାଇଲେ ଏହି କଟକଣା