କୋଲକାତା, ୦୯/୦୫ : ୨୦୨୬ ମେ ୭... ପଶ୍ଚିମବଙ୍ଗ ରାଜନୀତି ପାଇଁ ଥିଲା ବଡ଼ ଐତିହାସିକ ଏବଂ ସାମ୍ବିଧାନିକ ସଙ୍କଟ। ନିର୍ବାଚନ ହାରିବା ପରେ ଇସ୍ତଫା ଦେବେନି ବୋଲି ଅଡ଼ି ବସିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶେଷରେ ବାଧ୍ୟ ହୋଇ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ଆର୍.ଏନ ରବି। ତେବେ ରାଜ୍ୟପାଳଙ୍କ ଦ୍ଵାରା ବିଧାନସଭା ଭଙ୍ଗ ପରେ ଏବେ ମମତାଙ୍କ ରାଜନୈତିକ ଭବିଷ୍ୟତ ଏବଂ ତାଙ୍କର ଆର୍ଥିକ ଅଧିକାରକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଚଳିତ ନିର୍ବାଚନରେ ଟିଏମସିର ବଡ଼ ବିପର୍ଯ୍ୟୟ ସତ୍ତ୍ଵେ ମମତାଙ୍କ ଇସ୍ତଫା ନଦେବା ଜିଦ୍ କୁ ବିଦ୍ରୋହ ବୋଲି ବିବେଚନା କରାଯାଉଛି। ତେବେ ଜାଣନ୍ତୁ ଏହାକୁ ନେଇ କଣ ରହିଛି ନିୟମ ? 

ବିଧାନସଭା ଭଙ୍ଗ ହେବା ପରେ ସାମ୍ବିଧାନିକ ପ୍ରଭାବ

ରାଜ୍ୟପାଳ ସମ୍ବିଧାନର ଅନୁଚ୍ଛେଦ ୧୭୪ର ଉପ-ଧାରା (୨)ର ଖଣ୍ଡ (ବି) ବ୍ୟବହାର କରି ବିଧାନସଭା ଭଙ୍ଗ କରନ୍ତି। ଏହାର ଅର୍ଥ ଏବେ ପୁରୁଣା ବିଧାନସଭାର ଅସ୍ଥିତ୍ଵ ସମାପ୍ତ ହୋଇଗଲା। ବିଧାନସଭା ଭଙ୍ଗ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡେନାହିଁ। ତାଙ୍କର କାର୍ଯ୍ୟକାଳ ଆପେ ଆପେ ସମାପ୍ତ ହୋଇଯାଏ। ମମତା ବାନାର୍ଜୀ ସ୍ଵେଚ୍ଛାକୃତ ଇସ୍ତଫା ନଦେବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ପଦକ୍ଷେପ ନେଇଥିଲେ। ଏହାପରେ ନୂଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ନେଲା ଯାଏଁ ତାଙ୍କର କ୍ଷମତା ସଙ୍କୁଚିତ ହୋଇଥିଲା। ସେ କେବଳ କାର୍ଯ୍ୟକାରୀ ଭୂମିକା ନିର୍ବାହ କରୁଥିଲେ। 

ମମତାଙ୍କ ପେନସନ ଉପରେ ପଡ଼ିବ କି ପ୍ରଭାବ ? 

ପେନସନ ନିୟମ ଅନୁଯାୟୀ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ଵା ବିଧାୟକଙ୍କ ପେନସନ ତାଙ୍କ ପଦ ତ୍ୟାଗ ଉପରେ ନିର୍ଭର କରେ ନାହିଁ। ତାଙ୍କର କାର୍ଯ୍ୟକାଳକୁ ଦେଖି ଭତ୍ତା ଦିଆଯାଏ। ଭାରତର ସଂସଦୀୟ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦରେ ରହି ସେବା କରି ସାରିଛି, ତାହେଲେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ପେନସନ ପାଇବାକୁ ପୂର୍ଣ୍ଣ ହକଦାର୍। ମମତା ବାନାର୍ଜୀ ବହୁ ବର୍ଷ ଯାଏଁ ରାଜ୍ୟର ନେତୃତ୍ଵ ନେଇଛନ୍ତି। ଏଥିପାଇଁ ତାଙ୍କର ପେନସନ୍ ହକ୍ ସୁରକ୍ଷିତ ରହିଛି। ଇସ୍ତଫା ନଦେବା କେବଳ ଏକ ରାଜନୈତିକ ଗତିବିଧି। ଏହା ତାଙ୍କୁ ସେବା ବଦଳରେ ମିଳିବାକୁ ଥିବା ଆର୍ଥିକ ହକ୍ ରୁ ବଞ୍ଚିତ କରିବ ନାହିଁ। 

ଇସ୍ତଫା ନଦେଲେ ରାଜ୍ୟପାଳଙ୍କୁ ମିଳେ ସ୍ଵତନ୍ତ୍ର ଅଧିକାର

ନିର୍ବାଚନ ହାରିବା ପରେ ଯଦି କୌଣସି ବ୍ୟକ୍ତି ପଦରୁ ଇସ୍ତଫା ନଦିଅନ୍ତି ତେବେ ରାଜ୍ୟପାଳ ସମ୍ବିଧାନର ଅନୁଚ୍ଛେଦ ୧୬୪ ଅନୁଯାୟୀ ତାଙ୍କୁ ପଦରୁ ବରଖାସ୍ତ କରିପାରିବେ। ଏହାଦ୍ଵାରା ତାଙ୍କ ପେନସନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଇସ୍ତଫା ନଦେବା ଏକ ଅପରାଧ ନୁହେଁ। 

ପେନସନ ଯୋଗ୍ୟତା ପାଇଁ ଆଇନଗତ ଆବଶ୍ୟକତା

ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପେନସନ ଯୋଜନା ଅନୁଯାୟୀ ଯୋଗ୍ୟତା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସରକାର ମୁଖ୍ୟ ହେବା ଆବଶ୍ୟକ। ନିର୍ବାଚନ ଫଳାଫଳ ପରେ ପରାଜୟ ଗ୍ରହଣ ନକରିବା କିମ୍ବା ଇସ୍ତଫା ନ ଦେବା କେବଳ ଏକ ରାଜନୈତିକ ବାର୍ତ୍ତା ହୋଇପାରେ। ଆଇନ ଅନୁଯାୟୀ, ନୂତନ ବିଧାନସଭା ଗଠନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ କିମ୍ବା ରାଜ୍ୟପାଳ ଗୃହ ଭାଙ୍ଗିଦେବା ମାତ୍ରେ, ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଦରମା ବନ୍ଦ ହୋଇଯାଏ ଏବଂ ପେନସନ ପ୍ରକ୍ରିୟା ଆରମ୍ଭ ହୁଏ।

ଏହି ଖବରଟିକୁ ପଢନ୍ତୁମମତାଙ୍କ 'ସାପ' କଟାକ୍ଷରୁ ମୁଖ୍ୟମନ୍ତ୍ରୀ ଗାଦି, ବଙ୍ଗଳା ରାଜନୀତିର ନୂଆ 'ସୁଲତାନ' ଶୁଭେନ୍ଦୁ ଅଧିକାରୀ !