ନୂଆଦିଲ୍ଲୀ : ତାମିଲନାଡୁର ତିରୁପ୍ପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୟୁଟ୍ୟୁବ ଭିଡିଓ ଦେଖି ପ୍ରସବ କରାଇବା ଜଣେ ମହିଳାଙ୍କ ପାଇଁ ଘାତକ ସାଜିଛି। ଉକ୍ତ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରକୃତ ଘଟଣା ଏହା ଯେ, କାର୍ତ୍ତିକ ନାମକ ଜଣେ ଯୁବକ ତିରୁପ୍ପୁର ଜିଲ୍ଲାର ଉଥୁକୁଲି ନିକଟରେ ଥଲଭୈପଲୟମ ଅଞ୍ଚଳର ବାସିନ୍ଦା। ତାଙ୍କ ପତ୍ନୀଙ୍କ ନାମ ଶଶିକଳା ଥିଲା। ତାଙ୍କର ପୂର୍ବରୁ ଏକ ଚାରି ବର୍ଷ ବୟସର ଝିଅ ଅଛି। ଶଶିକଳା ତାଙ୍କର ପ୍ରଥମ ପିଲାକୁ ସିଜେରିଆନରେ ଜନ୍ମ ଦେଇଥିଲେ।

ଏହାପରେ, ଏହି ଦମ୍ପତି ନିଜର ଦ୍ୱିତୀୟ ପିଲାକୁ ପ୍ରାକୃତିକ ପ୍ରସବରେ ଜନ୍ମ ଦେବାକୁ ସ୍ଥିର କରି ଥିଲେ। ଏହାପରେ ସେ ଘରେ ବସି ୟୁଟ୍ୟୁବକୁ ସୁସ୍ଥ ପ୍ରସବ କରାଇବାର ଉପାୟ ଭିଡିଓରୁ ଦେଖିଲେ। ଏହି ସମୟରେ ବୁଧବାର ୨୪ ଜୁନ ୨୦୨୬ରେ ଶଶିକଳାଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଥିଲା। ସେ ୟୁଟ୍ୟୁବ୍ ଭିଡିଓ ଦେଖି ପ୍ରସବ କରାଇବାକୁ ନିଷ୍ପତ୍ତି ନେଲେ। ଏହାପରେ ଶଶିକଳାଙ୍କ ସ୍ୱାମୀ କାର୍ତ୍ତିକ ଓ ତାଙ୍କ ଶାଶୁ ମଧ୍ୟ ଏକାଠି ମିଶି ଶଶିକଳାଙ୍କ ପ୍ରସବ କରାଇବା ଆରମ୍ଭ କଲେ।

ସୁସ୍ଥ ପ୍ରସବ ଦ୍ୱାରା ଶଶିକଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିଲେ। ପ୍ରସବ ବେଳେ ଶଶିକଳାଙ୍କୁ ଅତ୍ୟଧିକ ରକ୍ତସ୍ରାବ ହୋଇ ଥିଲା, ଯାହାକୁ ସାଧାରଣ ଭାବି ନେଲେ,ହେଲେ କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡ଼ି ଗଲା ଏବଂ ତାଙ୍କୁ ପେରୁନ୍ଦୁରଇ ସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଗଲା। ସେଠାରେ ଡାକ୍ତର ମହିଳାଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଦେଖି କୋଏମ୍ୱାଟୁର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପରାମର୍ଶ ଦେଲେ। ଏହାପରେ ତାଙ୍କୁ ସେଠାରୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଗଲା।

ଡାକ୍ତରଙ୍କ ବହୁତ ଚେଷ୍ଟା ସତ୍ତ୍ୱେ ଶଶିକଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିଲା। ଆଜି ( ରବିବାର) ଶଶିକଳାଙ୍କ ମୃତ୍ୟୁ ହୋଇ ଥିଲା। ଉକ୍ତ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି। ଉଥୁକୁଳି ଥାନାର ପୁଲିସ ମାମଲା ରୁଜୁ କରି ସ୍ୱାମୀ କାର୍ତ୍ତିକ ଓ ତାଙ୍କ ପରିବାର ବିରୁଦ୍ଧରେ ଗହନ ଯାଞ୍ଚ ଆରମ୍ଭ କରି ଦେଇଛି। ପତ୍ନୀଙ୍କ ମୃତ୍ୟୁ ପାଇଁ ସ୍ୱାମୀ କାର୍ତ୍ତିକଙ୍କୁ ଦାୟୀ କରାଯାଇଛି।

ଏହା ଖୁବ୍ ଚିନ୍ତଜନକ ବିଷୟ ଯେ, ସରକାରଙ୍କ ପକ୍ଷରୁ ବାରମ୍ୱାର ଘରେ ପ୍ରସବ କରାଇବାକୁ ମନା କରିବା ସତ୍ତ୍ୱେ ୟୁଟ୍ୟୁବ୍ ଭିଡିଓ ଦେଖି ଡେଲିଭରି କରାଇବା ଦ୍ୱାରା ମହିଳାଙ୍କ ମୃତ୍ୟୁ ହୋଇଛି।

ଆହୁରି ମଧ୍ୟ ପଢନ୍ତୁ - ଜାମୁକୋଳି ବିକ୍ରି ଭିଡିଓ ଭାଇରାଲ, କମେଣ୍ଟ ସେକ୍ସସନରେ ଆୟକୁ ନେଇ ଆସୁଛି ଏମିତି ପ୍ରତିକ୍ରିୟା