ନୂଆଦିଲ୍ଲୀ,୨୨/୦୭: ଏମ୍‌ଆର୍‌ଆଇ ମେସିନ୍‌ ଯୋଗୁ ପ୍ରାଣ ହରାଇଛନ୍ତି ଆମେରିକାର ଲଙ୍ଗ୍‌ ଦ୍ୱୀପର ଜଣେ ବ୍ୟକ୍ତି । ଗୋଟିଏ ଛୋଟ ଅବହେଳା ଯୋଗୁ ବ୍ୟକ୍ତି ମେସିନ୍‌ ଭିତରେ ଫସିଗଲେ । ଯାହା ଫଳରେ ତାଙ୍କର ଚାଲିଗଲା ଜୀବନ ।  ତେବେ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୬୧ ବର୍ଷୀୟ କିଥ୍‌ ମ୍ୟାକ୍‌ଏଲିଷ୍ଟର ୱେଷ୍ଟ୍‌ବରୀର ନାସାଉରେ ଏକ ଓପନ୍‌ ଏମ୍‌ଆର୍‌ଆଇ ମେସିନ୍‌ ଭିତରେ ଫସିବା ଯୋଗୁ ଗମ୍ଭୀର ରୂପେ ଆହତ ହେଲେ । ଏହା ପରେ ବାରମ୍ବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହେଲା । ଏକ ମେଟାଲ ଚେନ୍‌ ପିନ୍ଧି ଏମ୍‌ଆର୍‌ଆଇ ରୁମ୍‌ ଭିତରକୁ ଯିବା ତାଙ୍କ ପାଇଁ କାଳ ହେଲା ।

 କିଥ୍‌ଙ୍କ ପତ୍ନୀ ଏଡ୍ରିଏନ୍‌ ଜୋନ୍ସ-ମ୍ୟାକ୍‌ଲିଷ୍ଟର୍‌ କହିଛନ୍ତି, ସେ ନିଜ ଆଣ୍ଠୁର ଏମ୍‌ଆର୍‌ଆଇ କରାଇବାକୁ ଯାଇଥିଲେ । ଏହା ପରେ ଏମ୍‌ଆର୍‌ଆଇ ଟେବଲ୍‌ରୁ ତାଙ୍କୁ ତଳକୁ ନେବାରେ ସାହାଯ୍ୟ କରିବା ପାଇଁ ସ୍ୱାମୀଙ୍କୁ ସ୍କାନିଂ ରୁମ୍‌ ଭିତରକୁ ପଠାଇବାକୁ ସେ ଟେକ୍ନିସିଆନ୍‌ଙ୍କୁ ଅନୁରୋଧ କଲେ । କିଥ୍‌ ଯେତେବେଳେ ସ୍କାନିଂ ରୁମ୍‌ରେ ପ୍ରବେଶ କଲେ, ତାଙ୍କ ଗଳାରେ ଏକ ୨୦ ପାଉଣ୍ଡ୍‌ ଓଜନର ଚେନ୍‌ ଥିଲା । ସ୍କାନିଂ ରୁମ୍‌ରେ ପ୍ରବେଶର କିଛି ସମୟ ପରେ ଏମ୍‌ଆର୍‌ଆଇ ମେସିନ୍‌ର ଶକ୍ତିଶାଳୀ ଚୁମ୍ବକ ତାଙ୍କୁ ନିଜ ଭିତରକୁ ଟାଣିନେଲା । ଲାଗୁଥିଲା ଯେମିତି ମେସିନ୍‌ ତାଙ୍କୁ ଗିଳିଦେଉଛି ।

ଏହା ପରେ ବାରମ୍ବାର ହୃଦ୍‌ଘାତର ଶିକାର ହୋଇ ତାଙ୍କର ପ୍ରାଣ ଚାଲିଗଲା । କିଥ୍‌ଙ୍କ ଗଳାରେ ଚେନ୍‌ ସ୍ପଷ୍ଟ ଦିଶୁଥିଲା । ଏହା ସତ୍ତେ୍ୱ ଟେକ୍ନିସିଆନ୍‌ ତାଙ୍କୁ ଭିତରକୁ ଆସିବାକୁ କେମିତି ଦେଲେ ବୋଲି ଜୋନ୍ସ-ମ୍ୟାକ୍‌ଲିଷ୍ଟର୍‌ ଅଭିଯୋଗ କରିଛନ୍ତି । ନାସାଉ କାଉଣ୍ଟି ପୁଲିସର ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ, କିଥ୍‌ ସ୍କାନିଂ ସମୟରେ ଏମ୍‌ଆର୍‌ଆଇ କକ୍ଷରେ ପ୍ରବେଶ କରିଥିଲେ । ଏହି ସମୟରେ ମେସିନ୍‌ର ଶକ୍ତିଶାଳୀ ଚୁମ୍ବକୀୟ ବଳ ତାଙ୍କ ଗଳାର ଚେନ୍‌କୁ ନିଜ ଆଡ଼କୁ ଟାଣିଲେ, ଫଳରେ କିଥ୍‌ ମେସିନ୍‌ ଭିତରେ ଫସିଗଲେ ।