ନୂଆଦିଲ୍ଲୀ,୧୭/୧୨:ମହାରାଷ୍ଟ୍ରର ଲାତୁରରେ ଜଣେ ବ୍ୟକ୍ତି ନିଜ ନାଁରେ କରିଥିବା ବୀମା ବାବଦ ୧ କୋଟି ଟଙ୍କା ପାଇଁ ନିଜର ହତ୍ୟା ନାଟକ ରଚିଛନ୍ତି । ସେ ହେଲେ ବ୍ୟାଙ୍କ ରିକଭରି ଏଜେଣ୍ଟ ଗଣେଶ ଚୌହାନ । ଘଟଣା ଅନୁସାରେ, ରବିବାର ଔସାରେ ଏକ ଜଳନ୍ତା କାର୍‌ ମିଳିଥିଲା । ସେଥିରେ ଏକ ଶବ ରହିଥିଲା । ଆରମ୍ଭରୁ ତାହା ଗଣେଶଙ୍କ ମୃତଦେହ ବୋଲି ଲାଗିଥିଲା । କାରଣ କାର୍‌ଟି ସେ ଚଲାଉଥିଲେ ଏବଂ ଶବଟି ଅତ୍ୟଧିକ ଜଳି ଯାଇଥିଲା । ପୁଲିସ ସେଠାରେ ପହଞ୍ଚି ଦମକଳ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭାଇଥିଲା । ପରେ ପୁଲିସ କାର୍‌ ମାଲିକଙ୍କ ପତ୍ତା ଲଗାଇଥିଲା । କାର୍‌ ମାଲିକ ଜଣକ କହିଥିଲେ ଯେ ସେ ତାଙ୍କର ସମ୍ପର୍କୀୟ ଗଣେଶ ଚୌହାନଙ୍କୁ ଗାଡ଼ି ଦେଇଥିଲେ । 

ଗଣେଶ ଘରକୁ ଫେରି ନ ଥିବା ଏବଂ ତାଙ୍କ ମୋବାଇଲ ମଧ୍ୟ ସୁଇଚ୍‌ଅଫ୍‌ ଥିବା ପୁଲିସ ଜାଣିବାକୁ ପାଇଥିଲା ।  ଗଣେଶଙ୍କ ବିଷୟରେ ପୁଲିସ ଅଧିକ ଯାଞ୍ଚ କରିଥିଲା । ଜଣେ ମହିଳାଙ୍କ ସହ ଗଣେଶ ଆଉ ଏକ ନମ୍ବରରୁ କଥାବାର୍ତ୍ତା ଏବଂ ଚାଟ୍‌ ମଧ୍ୟ କରୁଥିଲେ । ତେଣୁ ପୁଲିସର ସନ୍ଦେହ ବଢ଼ିଥିଲା । ଫୋନ୍‌ ନମ୍ବର ଟ୍ରାକ୍‌ କରାଯିବା ପରେ ସିନ୍ଧୁଦୁର୍ଗର ବିଜୟଦୁର୍ଗରୁ ଗଣେଶଙ୍କୁ ପୁଲିସ ଧରିଥିଲା । ପଚରାଉଚରା ବେଳେ ଗଣେଶ ୧ କୋଟି ବୀମା ଟଙ୍କା ପାଇବା ପାଇଁ ଏପରି କରିଥିବା ମାନିଥିଲେ । ଗଣେଶ ମୁମ୍ବାଇରେ ଏକ ଫ୍ଲାଟ କିଣିଥିଲେ । କିନ୍ତୁ ଦରମା କମ୍‌ ଥିବାରୁ ସେ କିସ୍ତି ଦେଇପାରୁ ନ ଥିଲେ । ତେଣୁ ସେ ଏପରି ଯୋଜନା କରିଥିଲେ । ଗଣେଶ କାର୍‌ରେ ଗୋବିନ୍ଦ ଯାଦବ ନାମକ ଜଣେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିଲେ । ଗୋବିନ୍ଦ ନିଶାସକ୍ତ ଅବସ୍ଥାରେ ଥିବାବେଳେ ଗଣେଶ କାର୍‌କୁ ପାର୍କ କରିଥିଲେ । ଗୋବିନ୍ଦ ଶୋଇପଡ଼ିଥିବାବେଳେ ଗଣେଶ ତାଙ୍କୁ ଡ୍ରାଇଭର ସିଟ୍‌କୁ ଆଣି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏଥିସହ ଗାଡ଼ିକୁ ମଧ୍ୟ ଜାଳି ଦେଇଥିଲେ ।