ଆନନ୍ଦପୁର, ୨୩/୦୩: ସାମାନ୍ୟ ଚୋରିକୁ ନେଇ ନିଜ ଘରେ ୪ ମାସ ହେବ ବେଡିରେ ବନ୍ଧା ହୋଇଛନ୍ତି ଜଣେ ବ୍ୟକ୍ତି । ଏଭଳି ଏକ ଘଟଣା ଆନନ୍ଦପୁର ଥାନା ପୁରୁଣାଘାଟି ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ ପଡୋଶୀଙ୍କ ଘରୁ ଷ୍ଟିଲ ରଡ୍ ଚୋରି କରିଥିଲା ବୋଲି ତାଙ୍କୁ ଏଭଳି ଶାସ୍ତି ମିଳିଥିବା କୁହାଯାଉଛି । ଏହି ଘଟଣାକୁ କେନ୍ଦ୍ର କରି ଦୀର୍ଘ ୪ ମାସ ହେବ ତାଙ୍କୁ ଗୋଟିଏ ଘରେ ହାତଗୋଡ଼ରେ ବେଡି ପକାଯାଇ ରଖାଯାଇଥିଲା । ଏପରିକି ନିୟମିତ ଖାଇବାକୁ ଦିଆନଯାଇ ୪ ଦିନରେ ଥରେ ଖାଇବାକୁ ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଇଥିଲା । କୌଣସି ସୂତ୍ରରୁ ଏହା ଗଣମାଧ୍ୟମ ନଜରକୁ ଆସିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀରୋଦଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, କ୍ଷୀରୋଦ ତାଙ୍କ ସ୍ତ୍ରୀଙ୍କ ସହିତ ତେଲକୋଇ ଅଞ୍ଚଳରେ ରହିଆସୁଥିବାବେଳେ ତାଙ୍କର ୩ ପିଲା ଅଛନ୍ତି । ପିଲାମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ କିଛି ଦିନ ତଳେ କ୍ଷୀରୋଦ ତାଙ୍କ ପୈତୃକ ଗ୍ରାମ ପୁରୁଣାଘାଟିକୁ ଏକାକୀ ଆସିଥିଲେ । ଗ୍ରାମର ଶିବ ରାଜ ନାମକ ବ୍ୟକ୍ତି କେନାଲ ନିର୍ମାଣ ସଂସ୍ଥାରେ ଚାକିରି କରିଥିଲେ । ତେଣୁ ସେ ତାଙ୍କ ଘରେ କିଛି ବିଡା ଷ୍ଟିଲ୍ ରଡ୍ ରଖିଥିଲେ । କ୍ଷୀରୋଦ ଏହି ଷ୍ଟିଲ୍ ରଡ୍ ମଧ୍ୟରୁ କେଇଖଣ୍ଡ ଚୋରାଇ ଆଣିଲେ ବୋଲି ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯାଇଥିବା କୁହାଯାଉଛି । ଶିବ ରାଜ ତାଙ୍କ ଭାଇ ଅନିଲ ଏବଂ ସେମାନଙ୍କ ସହିତ ଖୋଦ୍ କ୍ଷୀରୋଦଙ୍କ ସାନଭାଇ ମନୋଜ ମିଳିମିଶି କ୍ଷୀରୋଦଙ୍କ ଗୋଡ଼ହାତରେ ବେଡି ପକାଇ ଘରେ ରଖିଥିଲେ ।
ଅଧିକ ପଢ଼ନ୍ତୁ :- ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ନିଲମ୍ବନ, ସମାନ୍ତରାଳ ପ୍ରାର୍ଥୀ ଦେବେ ନିଲମ୍ବିତ ବିଧାୟକ
ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀରୋଦଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦେଇଥିବାବେଳେ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ପରିବାର ଲୋକେ କ୍ଷୀରୋଦଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ସେ କୁଆଡେ ସମସ୍ତଙ୍କୁ ଗୋଡ଼ାଇ ମାରିଲା ବୋଲି ତାଙ୍କୁ ଏଭଳି ଶାସ୍ତି ଦିଆଯାଇଥିବା ସେମାନେ କହୁଛନ୍ତି । ହେଲେ ପରିବାର ଲୋକେ କାହିଁକି ଘଟଣାକୁ ପୁଲିସକୁ ନ ଜଣାଇ ନିଜେ ବନ୍ଦୀ କରି ରଖିଥିଲେ ବୋଲି ପୁଲିସ ପ୍ରଶ୍ନ କରିଛି ।