ନୂଆଦିଲ୍ଲୀ ୨୫/୧୧ : ଅଫିସ୍‌ରେ କାମ କରିବା ବେଳେ ଶୋଇପଡ଼ିବାରୁ ଚାକିରି ହରାଇଥିବା ଜଣେ ବ୍ୟକ୍ତି କମ୍ପାନୀ ବିରୋଧରେ ମାମଲା କରି ୪୧.୬ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଛନ୍ତି । ଚୀନ୍‌ରେ ଏପରି ଏକ ଘଟଣା ସାମ୍‌ନାକୁ ଆସିଛି । ରିପୋର୍ଟ ଅନୁସାରେ, ଝାଙ୍ଗ୍‌ ନାମକ ଜଣେ ବ୍ୟକ୍ତି ଟାଇକ୍ସିଂରେ ଥିବା କେମିକାଲ କମ୍ପାନୀରେ ଏକ ବିଭାଗରେ ମ୍ୟାନେଜର ଭାବେ କାମ କରୁଥିଲେ । ଉକ୍ତ କମ୍ପାନୀରେ ସେ ଦୀର୍ଘ ୨୦ ବର୍ଷ ହେଲା ରହିଆସିଛନ୍ତି । ଦିନେ ଯାଞ୍ଚ ବେଳେ ସିସିଟିଭି ଫୁଟେଜ୍‌ରେ ଝାଙ୍ଗ୍‌ ଶୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା କମ୍ପାନୀ ନିୟମର ଉଲ୍ଲଂଘନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । 

କମ୍ପାନୀର ଏଚ୍‌ଆର୍‌ ଡିପାର୍ଟମେଣ୍ଟ ଜାରି କରିଥିବା ଏକ ରିପୋର୍ଟରେ ଝାଙ୍ଗ୍‌ କାମବେଳେ ଶୋଇଥିବା ଧରାପଡ଼ିଛନ୍ତି ବୋଲି କହିଥିଲା । କେତେ ସମୟ ଶୋଇଥିଲ ବୋଲି ଝାଙ୍ଗ୍‌ଙ୍କୁ ସମନ କରି ପଚରାଯାଇଥିଲା । ଘଣ୍ଟାଏ କିମ୍ବା ଅଧିକ ସମୟ ବୋଲି ଝାଙ୍ଗ୍‌ କହିଥିଲେ । ପରେ ଲେବର ୟୁନିଅନଠାରୁ ପରାମର୍ଶ ନେଇ କମ୍ପାନୀ ଝାଙ୍ଗ୍‌ଙ୍କୁ ଚାକିରିରୁ ବିଦା କରିଥିଲା ।  କମ୍ପାନୀର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଝାଙ୍ଗ୍‌ କୋର୍ଟକୁ ଯାଇଥିଲେ । ଦୀର୍ଘ ୨୦ ବର୍ଷ ଧରି କମ୍ପାନୀରେ କାମ କରିଥିବାବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଉଚିତ ନୁହେଁ ବୋଲି ସେ ପିଟିସନରେ ଦର୍ଶାଇଥିଲେ । 

ଏପରିକି କାମବେଳେ ଶୋଇବାର ପୂର୍ବ ଦିନ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍‌ କାମ କରିଥିଲେ ବୋଲି କହିଥିଲେ । ନିଷ୍ପତ୍ତି ଶୁଣାଇବାବେଳେ କୋର୍ଟ କହିଥିଲେ, ଝାଙ୍ଗ୍‌ଙ୍କ ଦୀର୍ଘ ବର୍ଷର ଅବଦାନରେ କମ୍ପାନୀର ଅନେକ ଉନ୍ନତି ହୋଇଛି । ତାଙ୍କ କାମକୁ ଦେଖି କମ୍ପାନୀ ଅନେକ ଥର ତାଙ୍କର ପଦୋନ୍ନତି କରାଇଛି । ଝାଙ୍ଗ୍‌ କିଛି ସମୟ ଶୋଇପଡ଼ିବା ଦ୍ୱାରା କମ୍ପାନୀର ବିଶେଷ କ୍ଷତି ହୋଇନାହିଁ । ପ୍ରଥମ ଥର ପାଇଁ ସେ ଏପରି ଭୁଲ୍‌ କରିଛନ୍ତି । ତେଣୁ ଏଥିଲାଗି ତାଙ୍କୁ ଚାକିରିରୁ ବିଦା କରାଯାଇପାରିବ ନାହିଁ ବୋଲି କୋର୍ଟ କହିବା ସହ ଝାଙ୍ଗ୍‌ଙ୍କୁ ୪୧.୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।