ଭୁବନେଶ୍ବର/ ଫୁଲବାଣୀ/ଦାରିଙ୍ଗବାଡ଼ି/ ବ୍ରାହ୍ମଣୀଗାଁ/ ବାଲିଗୁଡ଼ା ୦୨/୧୧:ଦାରିଙ୍ଗବାଡ଼ି ବ୍ଲକ୍‌ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦାଡ଼ା ସାହିରେ ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ୍ୟୁ ଘଟଣା । ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ  ମହାପାତ୍ର। କହିଲେ  ଆମ୍ବ ଟାକୁଆ ନୁହେଁ, ଫୁଡ୍ ଏପଜନିଂରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହା ସ୍ପଷ୍ଟ କରିବାକୁ ଖାଦ୍ୟ ଓ ପାନୀୟ ନମୁନା ଫୁଡ ସେଫ୍ଟି ଏଜେନସିକୁ ପରୀକ୍ଷା ପାଇଁ ପଠାଯାଇଛି ।୭୨ ଘଣ୍ଟାରେ ରିପୋର୍ଟ ଆସିବ । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୬ଜଣ ଚିକିତ୍ସାଧୀନ ଅଛନ୍ତି।


 ଆମ୍ବ ଟାକୁଆ  ଜାଉ ଖାଇ ଯାଇଛି ଜୀବନ । ଏହି ଯାଉ ନେଇଛି ୨ଟି ଜୀବନ । ଅନ୍ୟ ୬ ଜଣ  ଗୁରୁତର ମହିଳା ଡାକ୍ତରଖାନାରେ  ଜୀବନ ସହ ଲଢ଼ୁଛନ୍ତି । ମୃତକ ଦୁଇ  ଜଣ ସମ୍ପର୍କରେ ନଣନ୍ଦ ଓ ଭାଉଜ ।  ମୃତକ ହେଲେ ନଣନ୍ଦ ରୁନୁ  ମାଝୀ(୨୮) ଏବଂ ଭାଉଜ ରମିତା ପାଟମାଝୀ (୨୫) । ସେମାନଙ୍କ  ଘର ଦାରିଙ୍ଗବାଡ଼ି ବ୍ଲକ୍‌ ଗଦାପୁର  ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦାଡ଼ା  ସାହିରେ । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏଭଳି ଅଘଟଣକୁ  ନେଇ ରାଜ୍ୟସାରା ଚହଳ ପଡ଼ିଛି ।  ଗୁରୁତର ୬ ଜଣ ହେଲେ  ପ୍ରଭାତୀ ପାଟମାଝୀ (୨୮), ଜିତା  ମାଝୀ (୩୦), ଜିବନ୍ତି ମାଝୀ (୪୦),  ଟୁନି ମାଝୀ (୪୫), ସୁଷମା ପାଟମାଝୀ  (୩୦) ଓ ଦ୍ରେଙ୍ଗେୟାଲୁ ପାଟମାଝୀ  (୫୦) । ସମସ୍ତେ ବ୍ରହ୍ମପୁର ବଡ଼  ଡାକ୍ତରଖାନାରେ ଚିକିତ୍ସାଧୀନ  ଅଛନ୍ତି । ସେମାନଙ୍କ ମଧ୍ୟରୁ ଜିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ  ଆଇସିୟୁରେ ଭର୍ତ୍ତି କରାଯାଇଛି ।  

ସୂଚନା ମୁତାବିକ, ରୁନୁ  ଓ ରମିତାଙ୍କ ପରିବାର ଲୋକେ ମଙ୍ଗଳବାର ଦିନ ଆମ୍ବ  ଟାକୁଆ ଯାଉ ଖାଇଥିଲେ । କିଛି ଘଣ୍ଟା ପରେ ଧୀରେଧୀରେ  ଜଣଙ୍କ ପରେ ଆଉ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ ।  ବିଳମ୍ବିତ ରାତିରେ ରମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ  ଲାଗିଥିଲା । ଏଣୁ ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ  ତାଙ୍କର ମୃତ୍ୟୁ ଘଟିଥିଲା । ଯାଉ ଖାଇଥିବା ଅନ୍ୟ ୭ ଜଣଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ଲାଗୁ ନ ଥିଲା । ଗାଁରେ ସେମାନେ  ଘରୋଇ ଚିକିତ୍ସା କରୁଥିଲେ । କିନ୍ତୁ ଶୁକ୍ରବାର ଭୋର୍‌ରେ  ଅବସ୍ଥା ଅଧିକ ବିଗିଡ଼ିବାରୁ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର  ଥିବା ନେଇ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର  କରାଯାଇଥିଲା । ବ୍ରହ୍ମପୁର ନେବା ବାଟରେ ମୋହନାଠାରେ  ରୁନୁ ମାଝୀଙ୍କ ଜୀବନ ଚାଲି ଯାଇଥିଲା । ଅପରାହ୍ଣରେ ଉଭୟଙ୍କ  ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ  ଅନ୍ତିମ ସଂସ୍କାର କରାଯାଇଛି । ରମିତାଙ୍କ ୩ ବର୍ଷର ପୁଅ ଓ ୫ ମାସର ଝିଅଟିଏ ଅଛନ୍ତି ।  ଘଟଣା ଜଣାପଡ଼ିବା ପରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ  ରଥ, ତହସିଲଦାର ଶରତ ଶବର, ବ୍ରାହ୍ମଣୀଗାଁ ଥାନା ଅଧିକାରୀ  ବିଜୟ ହାଇବୁରୁ, ବ୍ଲକ୍‌ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ ସହ ଏକ  ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । 

ରେଡ଼କ୍ରସ୍‌  ତରଫରୁ ମୃତକଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ  ସହାୟତା ରାଶି ଦିଆଯାଇଛି । ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ୩ ହଜାର ଲେଖାଏଁ ସହାୟତା ରାଶି ଦିଆଯାଇଛି । ମୃତକମାନେ  ଆଦିବାସୀ ଓ ଗରିବ ଶ୍ରେଣୀର । ସରକାରଙ୍କ ପକ୍ଷରୁ ମୃତକଙ୍କ  ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ  ଅଞ୍ଚଳବାସୀ ଦାବି କରିଛନ୍ତି । ଜିଲ୍ଲା ମୁଖ୍ୟାଳୟରୁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଗାଁରେ ପହଞ୍ଚିଛନ୍ତି । ସେମାନେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ  ପ୍ରଦାନ କରିବେ ବୋଲି କହିଛନ୍ତି ସିଡିଏମ୍‌ଓ ଡା ସନ୍ତୋଷ  କୁମାର ପାଢ଼ୀ । 

କନ୍ଧମାଳରେ ଲୋକେ ଆମ୍ବ ଟାକୁଆ ଖାଇବା  କିଛି ନୂଆ କଥା ନୁହେଁ । ଦୂଷିତ ଜଳଜନିତ ସଂକ୍ରମଣରୁ  ଏଭଳି ହୋଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ଶବ  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡ଼ିବ ବୋଲି  ସେ କହିଛନ୍ତି ।