ବାଲେଶ୍ୱର, ୨୪/୫ (ଆଲୋକ କୁମାର ବାରିକ୍): ଅପରାହ୍ଣ ୨ଟା । ଆକାଶରୁ ହେଉଥିଲା ଅଗ୍ନିବର୍ଷା । ମୁଣ୍ଡଫଟା ଖରା ଭୟରେ ଲୋକେ ଘରୁ ବାହାରୁ ନଥିଲେ । ସହରର ଗଳିକନ୍ଦି ଶୂନ୍‌ଶାନ୍ । ଠିକ୍ ଏତିକି ବେଳେ ବାଲେଶ୍ୱର ଷ୍ଟେସନ୍ ନିକଟ ଗୋଧିବସା ବସ୍ତିମୁହାଁ ହେଲା ଏକ ବାଇକ୍ । ସେଥିରେ ବୋଝେଇ ହୋଇଥିଲା ଦୁଇଟି ବଡ଼ ବଡ଼ ବ୍ୟାଗ୍ । ବ୍ୟକ୍ତି ଜଣଙ୍କ ଗାଡ଼ିରୁ ଓହ୍ଲାଇବା ବେଳକୁ ଜମା ହୋଇ ସାରିଥିଲେ ଲୋକେ । ବସ୍ତି ବାସିନ୍ଦାଙ୍କ ମନକୁ ଜାଣି ବାଢ଼ିଦେଲେ ଭାତ ଆଉ ଡାଲ୍‌ମା ।

ସହରର ବସ୍ତିରେ ବୁଲି ବୁଲି ଗରିବ ଓ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଥିବା ଏହି ଦରଦୀ ମଣିଷ ହେଲେ ମନୋରଞ୍ଜନ ସ୍ୱାଇଁ (୫୧) । ଘର ବାଲେଶ୍ୱର ସହର ଉପକଣ୍ଠ ସହଦେବଖୁଣ୍ଟା ଅନ୍ତର୍ଗତ ଗୋଶାଳପଦାରେ । ଖରା ହେଉ କି ବର୍ଷା ଅବା ଶୀତ, ବର୍ଷର ବାରମାସ ସହରର ବସ୍ତିରେ ବୁଲି ବୁଲି ଏଭଳି ଖାଦ୍ୟ ବାଣ୍ଟୁଛନ୍ତି ମନୋରଞ୍ଜନ । ବେଳେ ବେଳେ ଅଧିକ ଲୋକ ହୋଇଗଲେ ଖାଦ୍ୟ ସରିଯାଏ । ମନୋରଞ୍ଜନ ହୋଟେଲରୁ ଖାଦ୍ୟ କିଣି ସେମାନଙ୍କୁ ଦିଅନ୍ତି । ଏଥିପାଇଁ କାହା ନିକଟରୁ କେବେ ଆର୍ଥିକ ସହାୟତା ନେଇନାହାନ୍ତି । ନିଜର ସ୍ୱଳ୍ପ ରୋଜଗାରରେ ୨୦୧୧ରୁ ଦୀର୍ଘ ୧୫ ବର୍ଷ ହେଲା ଏଭଳି ସେବା କରି ଆସୁଛନ୍ତି ସେ ।

ମନୋରଞ୍ଜନଙ୍କ ଏକ ଛୋଟ ଲୁଗା ଦୋକାନ ଅଛି । ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ବଳକା ଟଙ୍କାରୁ ସେ ଅନ୍ନଦାନ ସେବା କରି ଆସୁଛନ୍ତି । ପ୍ରତିଦିନ ମନୋରଞ୍ଜନଙ୍କ ଘରେ ୩୦- ୪୦ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ହୁଏ । ପତ୍ନୀ ମାଣିକମାଳା, ପୁଅ ପ୍ରଭାତ, ଝିଅ ଶ୍ରୀୟା ସାହାଯ୍ୟ କରନ୍ତି । ରୋଷେଇ କରିବା ପରେ ମନୋରଞ୍ଜନ ବାଇକ୍‌ରେ ଖାଦ୍ୟ ନେଇ ସହରର ବିଭିନ୍ନ ବସ୍ତି, ମନ୍ଦିର, ରେମୁଣା ଗୋଲେଇ, ମ୍ୟୁନିସିପାଲିଟି ଅଫିସ୍, ଟାଉନ ଥାନା ଅଞ୍ଚଳ, ମଣ୍ଡଳ ବଜାର, ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ, ଷ୍ଟେସନ୍ ଆଦି ଅନେକ ଜାଗା ବୁଲିବୁଲି ଅସହାୟ ଲୋକଙ୍କୁ ଖାଇବାକୁ ଦିଅନ୍ତି ।

ଏଭଳି ଅନ୍ନଦାନ ସେବା ଆରମ୍ଭ ପଛରେ ଥିବା କାରଣ ସମ୍ପର୍କରେ ମନୋରଞ୍ଜନ କୁହନ୍ତି, ଏକଦା ସେ କାମ ତଲାସରେ ବାରିପଦା ଯାଇଥିଲେ । ହାତରେ ଥିବା ଟଙ୍କା ସରିଗଲା । ଦୁଇଦିନ ଭୋକରେ ରହିବାକୁ ପଡ଼ିଲା । ସେତେବେଳେ ସେ ଅନୁଭବ କଲେ ଭୋକିଲା ପେଟର ଯନ୍ତ୍ରଣା । ଯଦି ଦୁଇଦିନ ଭୋକିଲା ରହି ଏତେ କଷ୍ଟ ଅନୁଭବ ହେଉଛି³ ତେବେ ଦିନ ଦିନ ନ ଖାଇ ନ ପିଇ ଭୋକରେ ରହୁଥିବା ଲୋକଙ୍କର ଅବସ୍ଥା କ’ଣ ହେଉଥିବ ବୋଲି ନିଜକୁ ପ୍ରଶ୍ନ କଲେ । ସଂକଳ୍ପ ନେଇଥିଲେ ଭୋକିଲାଙ୍କ ପେଟକୁ ଖାଇବାକୁ ଯୋଗାଡ଼ କରିବେ । ୨୦୧୧ରୁ ସେ ଆରମ୍ଭ କଲେ ନିଜର ମହତ୍ ଅଭିଯାନ । ମନୋରଞ୍ଜନଙ୍କ ଏହି କାମକୁ ପରିବାର ଲୋକେ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି । ରୁଟିନ୍ ବନ୍ଧା କାର୍ଯ୍ୟ ଭଳି ବିନା ଦ୍ୱିଧାରେ କରି ଆସୁଛନ୍ତି । କେବଳ ଅନ୍ନସେବା ନୁହେଁ, ୨୦୦୪ରୁ ମନୋରଞ୍ଜନ ପ୍ରତିବର୍ଷ ଗୀଷ୍ମ ଋତୁରେ ତିନିମାସ ପର୍ଯ୍ୟନ୍ତ ଜଳଛତ୍ର ଖୋଲୁଛନ୍ତି । ଏହି ସବୁ କାମ ପଛରେ କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନାହିଁ । ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଥିବେ³ ମାନବସେବା କରିବେ ବୋଲି କହିଛନ୍ତି ମନୋରଞ୍ଜନ ।