ମୁମ୍ବାଇ,୧୧/୧୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ହ୍ବାଇଟ ହାଉସ ଦଖଲ କରିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବାହାରିବା ପରେ ସମଗ୍ର ବିଶ୍ବର ନଜର ଆମେରିକା ଉପରେ ରହିଛି । ଟ୍ରମ୍ପଙ୍କ ବିଜୟ ପରଠୁ ବିଶ୍ବରେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଆଗାମୀ ଯୋଜନାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ । ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଅନେକ ଦେଶ ଆମେରିକା ପ୍ରେସିଡେଣ୍ଟ ନିର୍ବାଚନ ପରେ ଚିନ୍ତିତ ଅଛନ୍ତି ମାତ୍ର ଭାରତ ସେଥି ମଧ୍ୟରୁ ନୁହେଁ ।

ମୁମ୍ବାଇରେ ଆଦିତ୍ୟ ବିର୍ଲା ଗ୍ରୁପ ରୌପ୍ୟ ଜୟନ୍ତୀ ଅବସରରେ ଯୋଗ ଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଭାରତ ଉପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ । ଆମେରିକା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଢ ସମ୍ପର୍କ ରହିଛି । ହୁଏତ ଡୋନାଲ୍ଡ  ଟ୍ରମ୍ପଙ୍କ ବିଜୟ ପରେ ଅନ୍ୟ ଦେଶ ଚିନ୍ତିତ ଥାଇପାରନ୍ତି ମାତ୍ର ଭାରତ ସେମାନଙ୍କ ମଧ୍ୟରେ ନାହିଁ । ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ତାଙ୍କୁ ପ୍ରଥମ ୩ଟି ଫୋନ କଲ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ଫୋନ ଆସିଥିଲା । ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ମୋଦିଙ୍କର ଭଲ ସମ୍ପର୍କ ଅଛି ।

ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ଯେବେ ପ୍ରଥମେ ୱାଶିଂଟନ ଡିସି ଆସିଥିଲେ ସେବେ ବାରାକ ଓବାମା ରାଷ୍ଟ୍ରପତି ଥିଲେ  । ଏହାପରେ ଟ୍ରମ୍ପ ଓ ପରେ ଜୋ ବାଇଡେନ ରାଷ୍ଟ୍ରପତି ହୋଇଥିଲେ । ଆଜି ଅନେକ ଦେଶ ଆମେରିକାକୁ ନେଇ ଚିନ୍ତିତ କିନ୍ତୁ ସେଥି ମଧ୍ୟରେ ଭାରତ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଜଣେ ସଚ୍ଚୋଟ ଡିମାଡିଂ ବସ୍ । ସେ ଯେବେ କିଛି ବିଷୟରେ ଚିନ୍ତା କରୁଥିବେ ତୁମକୁ ପ୍ରସ୍ତୁତ ରହିବାକୁ ପଡିବ ।