କଟକ/କଳାପଥର,୧୮/୦୨: ବାହାଘର ଭୋଜି ଖାଇବା କାଳ  ହେଲା । ଭୋଜି ଖାଇବାର କିଛି ସମୟ ପରେ ଝାଡ଼ା, ବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହେଲେ  ଲୋକେ । କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ବୈଦେଶ୍ୱରପାଟଣା ଗ୍ରାମରେ ଏଭଳି ଘଟଣା  ଘଟିଛି । ପାଖାପାଖି ୩ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି । ୮୦ରୁ ଅଧିକ ଗୁରୁତରଙ୍କୁ  କଟକ, ଭୁବନେଶ୍ୱର, ଖୋର୍ଦ୍ଧାର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା କରାଯାଉଛି । 

ରବିବାର ରାତିରେ ବୈଦେଶ୍ୱରପାଟଣା ଗ୍ରାମର ପଦ୍ମନାଭ ସାହୁ  ଝିଅର ବିବାହ ଥିଲା । ଏଥିପାଇଁ ଗ୍ରାମବାସୀ ଓ ବରପକ୍ଷଙ୍କୁ ମିଶାଇ ପ୍ରାୟ ହଜାରେ  ଲୋକଙ୍କ ଲାଗି ଭୋଜିଭାତର ଆୟୋଜନ କରାଯାଇଥିଲା । ଭୋଜିରେ ବହୁ ପ୍ରକାରର  ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଯାହାକୁ ଖାଇ ଲୋକେ ଘରକୁ ଫେରିଥିଲେ । ଫେରିବାର  କିଛି ସମୟ ପରେ ଲୋକେ ଅସୁସ୍ଥ ଅନୁଭବ କରିଥିଲେ । ହଠାତ୍‌ ଝାଡ଼ା, ବାନ୍ତି  ଆରମ୍ଭ ହୋଇଯାଇଥିଲା । ଜଣେ କି ଦୁଇ ଜଣ ନୁହେଁ ଗାଁ ଯାକ ଲୋକେ ବାହାଘର  ଭୋଜି ଖାଇ ସଂକ୍ରମଣର ଶିକାର ହୋଇଥିଲେ । ଭୟରେ ବୈଦେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରକୁ  ଯାଇଥିବା ବେଳେ ସେଠାରେ ଗହଳି ବଢ଼ିଯାଇଥିଲା । ସ୍ଥିତି ଏମିତି ହେଲା ଯେ ବାଙ୍କୀ,  ସୁବର୍ଣ୍ଣପୁର, ବଡ଼ମ୍ବା ଓ ବାଙ୍କୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା ।