ବାରାବଙ୍କୀ – ୟୁପିର ବାରାବଙ୍କିରେ ବଡ଼ ବିସ୍ଫୋରଣ। ଗୁରୁବାର ଦିନ ଏକ ବାଣ ଫ୍ୟାକ୍ଟ୍ରିରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ପୂରା ଅଞ୍ଚଳ ଦୋହଲି ଯାଇଛି। ଚାରିଆଡ଼େ ଆତଙ୍କର ମାହୋଲ ଖେଳି ଯାଇଛି।ସୂଚନା ଅନୁସାରେ, ଘଟଣାଟି ଟିକୈଟନଗର ଥାନା ଅଞ୍ଚଳ ସ୍ଥିତ ସରାଇ ବରଇ ଗାଁରେ ଘଟିଛି। ହଠାତ୍ ଜୋରଦାର ବିସ୍ଫୋରଣ ଶବ୍ଦରେ ପୂରା ଗାଁଟି ଥରି ଯାଇଥିଲା। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଏହାର ଶବ୍ଦ ଅନେକ ଦୂର ଯାଏ ଶୁଣିବାକୁ ମିଳିଥିଲା। ଉକ୍ତ ଘଟଣାରେ ଦୁଇଜଣ ଲୋକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେମାନଙ୍କ ଶରୀରର ଖଣ୍ଡ ଖଣ୍ଡ ହୋଇ ଉଡ଼ି ଯାଇଥିଲା। ଏହାପରେ ଗ୍ରାମବାସୀ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।
ସୂଚନା ମିଳିବା କ୍ଷଣି ଟିକୈଟନଗର ପୁଲିସ, ଅଗ୍ନିଶମ ଗାଡ଼ି ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଯାଇଛି, ଯେଉଁଠି ଆହତଙ୍କ ଚିକିତ୍ସା ଚାଲିଛି। ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନାକୁ ଏଡେଇ ଦିଆ ନପାରେ , କାରଣ ଅନେକ ଲୋକ ଗୁରୁତର ଭାବେ ଜଳି ଯାଇଛନ୍ତି।
ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ, ବ୍ଲାଷ୍ଟ ପରେ ମଧ୍ୟ ବିକ୍ଷିପ୍ତ ଭାବେ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଆଶଙ୍କା କରାଯାଉଛି ଯେ, ଘଟଣାଟି କୌଣସି ଆତସବାଜି ସାମଗ୍ରୀ କିମ୍ୱା ବାରୁଦର ଅବୈଧ ଭଣ୍ଡାରଣ ସହ ଯୋଡ଼ି ହୋଇପାରେ। ବର୍ତ୍ତମାନ ପୁଲିସ ପୂରା ଅଞ୍ଚଳକୁ ଘେରି ନେଇଛି ଏବଂ ଫରେନ୍ସିକ୍ ଟିମ୍କୁ ଘଟଣା ସ୍ଥଳକୁ ଡକାଯାଇଛି।
ବାରାବଙ୍କି ପ୍ରଶାସନ ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ଆତଙ୍କର ମାହୋଲ ଖେଳି ଯାଇଛି ଏବଂ ଲୋକେ ଘରୁ ବାହାରିବାକୁ ଡ଼ରୁଛନ୍ତି। ଉଦ୍ଧାର-ରିଲିଫ୍ କାର୍ଯ୍ୟ ଜାରି ରହିଛି। ପୁଲିସ କହିଛି ଯେ, ବିସ୍ଫୋରଣ କାରଣର ଯାଞ୍ଚ କରାଯାଉଛି। ଆଖପାଖର ଲୋକଙ୍କୁ ପଚରାପଚରି କରାଯାଉଛି ଏବଂ ଏହା ପତ୍ତା କରାଯାଉଛି ଯେ, ଘରେ କିମ୍ୱା ପରିସରରେ କୌଣସି ପ୍ରକାରର ବାରୁଦ କିମ୍ୱା ବିସ୍ଫୋରକ ସାମଗ୍ରୀ ରଖାଯାଇ ନଥିଲା ତ।