ଦିଗପହଣ୍ଡି, ୨୪/୦୩: ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ମୃତଦେହକୁ ସୋମବାର ଦିଗପହଣ୍ଡି ଥାନା ପୁଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଜବତ କରିଛି । ମୃତା ହେଲେ ଟୁନା ସେଠୀଙ୍କ କନ୍ୟା ଅର୍ଚ୍ଚିତା ସେଠୀ (୧୬) । ଏଏସ୍ଆଇ ଦିଲ୍ଲୀପ ଗାରେଡ଼ା ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମରଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ଅର୍ଚ୍ଚିତାଙ୍କୁ ରବିବାର ପୂର୍ବାହ୍ଣରେ ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବାରମ୍ବାର ବାନ୍ତି କରୁଥିବା ଅର୍ଚ୍ଚିତାଙ୍କୁ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ହେଲେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତର ସନ୍ଦେହ କରି ଦିଗପହଣ୍ଡି ଥାନା ପୁଲିସକୁ ସୂଚନା ଦେଇଥିଲେ । ଅର୍ଚ୍ଚିତାଙ୍କ ବଡ଼ ଭାଇ କିରଣ ସେଠୀ ଏତଲା ଦେବା ପରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ବ୍ୟବଚ୍ଛେଦରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କିଶୋର କୁମାର ସାମଲ କହିଛନ୍ତି ।