କଟକ/ବାରଙ୍ଗ,୦୮/୦୬: ବାଲେଶ୍ୱର ମେଡିକାଲ୍ କଲେଜର ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ତନାଘନା ଜାରି ରଖିଛି । ଫେରାର୍ ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ କରୁଛି । ତେବେ ଏହା ମଧ୍ୟରେ ତଦନ୍ତକାରୀ ଟିମ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ମୃତଦେହ ମିଳିବାର ପୂର୍ବ ରାତିରେ ଚନ୍ଦ୍ରିକା ତାଙ୍କ ଓଏଏସ୍ ପ୍ରେମିକଙ୍କ ସହିତ ଦୀର୍ଘ ୧୦ ମିନିଟ୍ ପର୍ଯ୍ୟନ୍ତ ଫୋନ୍ରେ କଥା ହୋଇଥିଲେ । ତ୍ରିଶୂଳିଆ ଅଞ୍ଚଳରେ ଥିବା ବେଳେ ଏହି କଲ୍ କରିଥିଲେ । ଆଉ ଏହା ଥିଲା ତାଙ୍କର ଶେଷ କଲ୍ । କଲ୍ କଟିବା ପରେ ଫୋନ୍ ବନ୍ଦ ହୋଇଯାଇଥିଲା । ସମ୍ଭବତଃ ଏହି କଲ୍ ଶେଷ ପରେ ଚନ୍ଦ୍ରିକାଙ୍କ ସହିତ କିଛି ଗୋଟେ ଅଘଟଣ ଘଟିଥିଲା । ପରଦିନ କାଠଯୋଡ଼ିରୁ ଚନ୍ଦ୍ରିକାଙ୍କର ମୃତଦେହକୁ ବାରଙ୍ଗ ପୁଲିସ ଠାବ କରିଥିଲା ।
ତେବେ ଏହି କଲ୍ ରାତି ୯ଟାରୁ ୧୦ ମଧ୍ୟରେ କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ ହେଉଛି ଚନ୍ଦ୍ରିକାଙ୍କ କଲ୍ ଶେଷ ପରେ ତାଙ୍କ ଓଏଏସ୍ ପ୍ରେମିକ ଅନ୍ୟ ଏକ କଲ୍ କରିଥିଲେ । ଏହି କଲ୍ଟି ଥିଲା ଭୁବନେଶ୍ୱରରେ ରହୁଥିବା ତାଙ୍କର ନୂଆ ପ୍ରେମିକାଙ୍କ ପାଖକୁ । ଦୁହେଁ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ କଥା ହୋଇଥିବା ଜଣାପଡ଼ିଛି । ଏଥିରୁ ତଦନ୍ତକାରୀ ଟିମ୍ ସନ୍ଦେହ କରୁଛିକି, ଚନ୍ଦ୍ରିକା ତାଙ୍କ ଶେଷ କଲ୍ରେ କିଛି ଗୁରୁତର ବିଷୟ କହିଥିଲେ । ଯେଉଁ ବିଷୟକୁ ତାଙ୍କ ଓଏଏସ୍ ପ୍ରେମିକ କିଛି ସମୟ ମଧ୍ୟରେ ନୂଆ ପ୍ରେମିକାଙ୍କ ସହିତ ଆଲୋଚନା କରିଥିଲେ । ଅର୍ଥାତ୍ ୩ ତାରିଖ ବୁଧବାର ରାତିରେ ହିଁ ଚନ୍ଦ୍ରିକାଙ୍କ ସହିତ କ’ଣ ଘଟୁଛି ବା ଘଟିବାକୁ ଯାଉଛି ତାହା ତାଙ୍କ ଓଏସଏସ୍ ପ୍ରେମିକ ଜାଣିସାରିଥିବା ପୁଲିସ ଆଶଙ୍କା କରୁଛି । ଏହି କ୍ରମରେ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକଙ୍କର ନୂଆ ପ୍ରେମିକାଙ୍କୁ ପଚରାଉଚୁରା କରିଛି । ତେବେ ଆମେ ଦୁହେଁ କେବଳ ସାଙ୍ଗ ବୋଲି ଉକ୍ତ ଝିଅଟି ପୁଲିସକୁ କହିଛି । ମାତ୍ର ଫୋନ୍ କଲ୍ ରେକର୍ଡ କିଛି ଭିନ୍ନ କହୁଥିବା ପୁଲିସ ଜାଣିବାକୁ ପାଇଛି ।
ଅନ୍ୟପଟେ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକ ଫେରାର୍ ଥିବାରୁ ତାଙ୍କ ପରିବାର ସହିତ ପୁଲିସ ଯୋଗାଯୋଗ କରିଛି । ପ୍ରେମିକଙ୍କ ବାପା ଜଣେ ପୁଲିସ କନ୍ଷ୍ଟେବଲ୍ । ସେ ମୟୂରଭଞ୍ଜର ଏକ ଥାନାରେ ଚାକିରି କରିଛନ୍ତି । ସେ ଭୁବନେଶ୍ୱର ଆସିଥିବା ବେଳେ ବାରଙ୍ଗ ଥାନା ପୁଲିସ ତାଙ୍କୁ ଯୋଗାଯୋଗ କରିଥିଲା । ଏହା ପରେ ଭୁବନେଶ୍ୱରର ଏକ ଥାନାକୁ ତାଙ୍କୁ ଡକାଯାଇଥିଲା । ସେଠାରେ ପୁଅ ବିଷୟରେ ପଚରାଉଚରା କରାଯାଇଛି । ମାତ୍ର ସେ ଓଏଏସ୍ ତାଲିମ ନେଉଥିବା ପୁଅ ବିଷୟରେ ଏବେ କିଛି ଜାଣି ନାହାନ୍ତି ବା ପୁଅ ସହିତ କିଛି ଯୋଗାଯୋଗ ହୋଇପାରୁନି ବୋଲି ଜଣାଇଥିଲେ । ତେଣୁ ଅଭିଯୁକ୍ତ ପ୍ରେମିକକୁ ଠାବ କରିବା ପାଇଁ ପୁଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ :- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ନୂଆ ମୋଡ଼: ଡିପ୍ରେସନ୍ ପରଠୁ ଡଏରୀ ଲେଖୁଥିଲେ, ସୁଇସାଇଡ୍ ଦିନ ସାଙ୍ଗରେ ନେଇଥିଲେ କହିଲେ ପିଉସୀ ଝିଅ
ପ୍ରକାଶଯୋଗ୍ୟ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା । ମୃତଦେହ ମିଳିବା ପରେ ପରିବାର ଲୋକ ଏହି ମୃତ୍ୟୁ ପାଇଁ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକ ଓ ପ୍ରେମିକଙ୍କ ଜଣେ ଝିଅ ସାଙ୍ଗକୁ ଦାୟୀ କରି ଏତଲା ଦେଇଥିଲେ ।