ନୂଆଦିଲ୍ଲୀ ; ୯/୧ : ଅଭିଯୁକ୍ତଙ୍କ ବିରୋଧରେ ନିଆ ଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ତଥାପି ଥମିବାର ନାଁ ନେଉନି ଅପରାଧ । ଗାଁରେ ପଶି ଦଳିତ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ତାଙ୍କ ଝିଅକୁ ଅପହରଣ କରି ନେଇ ଯାଇଛନ୍ତି ଦୁବୃର୍ତ୍ତ । ଉତ୍ତରପ୍ରଦେଶ ମେରଠ ଜିଲ୍ଲା ସରଧନା ଥାନା କପସାଡ଼ ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଘଟଣାକୁ ନେଇ ୩୦ ଘଣ୍ଟା ହେବ ଉତ୍ତେଜନା ଲାଗି ରହିଛି । ପୁଲିସ ଘଟଣାସ୍ଥଳରେ ମୁତୟନ ହୋଇଥିବାବେଳେ ଏବେ ଏହା ରାଜନୀତିକରଣ ହୋଇଯାଇଛି । ସମାଜବାଦୀ ପାର୍ଟିର ମହିଳା କର୍ମୀମାନେ ଏହି ଗାଁରେ ପହଞ୍ଚିଥିବାବେଳେ ପୁଲି ପ୍ରଶାସନ ଉପରକୁ ଚଡ଼ି ଫିଙ୍ଗିଥିବା ଦେଖିବାକୁ ମିଳିଛି ।
ସେପଟେ ଦଳିତ ମହିଳାଙ୍କୁ ହତ୍ୟା କରାଯିବାର ଏବେ ୩୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ମାତ୍ର ଏଯାବତ ତାଙ୍କର ଶବ ସତ୍କାର କରାଯାଉନାହିଁ । ପରିବାର ଲୋକେ ଏବଂ ଗ୍ରାମବାସୀ ଦାବି କରିଛନ୍ତି କି, ତାଙ୍କ ଝିଅକୁ ଆଣିବା ପରେ ସତ୍କାର କରାଯିବ । ଯେତେବେଳେ କି, ଝିଅଟି ଅପହୃତ ହୋଇଥିବା ଅଭିଯୋଗ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ ହୋଇଥିବାବେଳେ ସରକାର ଏବଂ ପ୍ରଶାସନକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତି ମଧ୍ୟ ଗରମ ହୋଇଛି । ସେପଟେ ଏହି ଘଟଣାକୁ ନେଇ ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ସୁନୀତା । ତାଙ୍କ ଝିଅକୁ ପାରସ ରାଜପୁତ ନାମକ ଜଣେ ଯୁବକ ଅପହରଣ କରିବା ପାଇଁ ଚେଷ୍ଟା କରିଥିଲା । ଏହାକୁ ବିରୋଧ କରିଥିଲେ ସୁନୀତା । ଏଣୁ ପାରସ ତାଙ୍କୁ ଆକ୍ରମଣ କରିଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପାରସଙ୍କ ପରିବାର ପକ୍ଷରୁ ଏହାକୁ ମିଛ ବୋଲି କୁହାଯାଉଛି । ସେମାନେ ଅଭିଯୋଗ କରିଛନ୍ତି କି, ଝିଅଟି ତାଙ୍କ ପୁଅକୁ ଘରକୁ ଡାକିଥିଲା । ପୁଅ ଯେତେବେଳେ ତାଙ୍କ ଘରକୁ ଯାଇଥିଲା ସୁନୀତା ଏହାକୁ ବିରୋଧ କରିଥିଲେ । ଏଣୁ ତାଙ୍କ ଝିଅ ନିଜ ମାଆକୁ ହାଣି ଦେଇଥିଲା । ଏହା ସେ ଝିଅର ପୂର୍ବ ଯୋଜନା ରହିଥିଲା ।
ସେପଟେ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିଥିବାବେଳେ ପ୍ରଶାସନ ପକ୍ଷରୁ ଯେତେ ବୁଝାଶୁଝା କରାଗଲେ ମଧ୍ୟ ସତ୍କାର କରାଯାଇନାହିଁ । ସେମାନଙ୍କର ଗୋଟିଏ ଜିଦ୍ ଆମ ଝିଅକୁ ଫେରାଇ ଆଣ । ପୁଲିସ କହିଛି କି, ସେମାନଙ୍କୁ ଗିରଫ କରିବା ଆମର ପ୍ରାଥମିକତା ରହିଛି । ସେପଟେ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଯେତେବେଳେ ମୃତଦେହ ପୋଷ୍ଟମଟମ ହୋଇ ଆସିଥିଲା ଲୋକେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଆଇନ ଶୃଙ୍ଖଳା ଏବେ ଅଣାୟତ ରହିଛି । ସେପଟେ ଏହି ଘଟଣାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି ।