ଉତ୍ତର ପ୍ରଦେଶ, ୨୪।୨: ଉତ୍ତର ପ୍ରଦେଶର ରେ ସୋମବାର ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି । ଲିସାଡ଼ି ଗେଟ୍ ଥାନା ଅନ୍ତର୍ଗତ ଇସଲାମାବାଦ ଅଞ୍ଚଳରେ ଥିବା ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଓ ୫ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପରିବାରର ମୁଖ୍ୟ ପିଲାମାନଙ୍କ ବାପା ନମାଜ ପଢ଼ିବା ପାଇଁ ବାହାରକୁ ଯାଇଥିଲେ । ସେହି ସମୟରେ ହିଁ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ, ଘର ଭିତରେ ଥିବା ସଦସ୍ୟମାନେ ବାହାରକୁ ଆସିବାକୁ ସୁଯୋଗ ପାଇନଥିଲେ । 

ଏହା ବି ପଢ଼ନ୍ତୁ... ​​​​​​​ଆଶ୍ୱସ୍ତି ରଦ୍ଦ କଲେ ବମ୍ବେ ହାଇକୋର୍ଟ, ଅନିଲ ଅମ୍ବାନିଙ୍କୁ ଠକ ଘୋଷଣା କରିପାରିବେ ବ୍ୟାଙ୍କ

ଆସିମ୍‌ ଓ ରୁଖସାର ଉଭୟଙ୍କର ଗୋଟିଏ ପୁଅ ଓ ୨ ଝିଅ ଥିଲେ । ନିଜ ୩ ବର୍ଷର ପୁଅ ଅକଦସ, ୬ ମାସର ଦୁଇ ଯମଜ ଝିଅ ନବିଆ ଓ ଇନାୟତଙ୍କ ସମେତ ପୁତୁରା ହମ୍ମାଦ ଓ ଝିଆରୀ ମହଭିଶଙ୍କୁ ଧରି ଦ୍ୱିତୀୟ ମହଲାର ଏକ କୋଠରୀକୁ ପଳାଇଥିଲେ । ନିଆଁ ଓ ଧୂଆଁରୁ ବଞ୍ଚିବା ପାଇଁ ସେ କବାଟ ଭିତରୁ ବନ୍ଦ କରିଦେଇଥିଲେ । ମା’ ଭାବିଥିଲେ କୋଠରୀ ଭିତରେ ପିଲାମାନେ ସୁରକ୍ଷିତ ରହିବେ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ନିଆଁ ସେହି କୋଠରୀକୁ ମଧ୍ୟ କବଳିତ କରିଥିଲା । ବନ୍ଦ କୋଠରୀ ଭିତରୁ ପିଲାମାନଙ୍କର ଆକୁଳ ଚିତ୍କାର ଶୁଣି ପଡ଼ୋଶୀମାନେ ସ୍ତବ୍ଧ ହୋଇଯାଇଥିଲେ । ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଥିଲା । କୋଠରୀରେ ମହିଳାଙ୍କ ସମେତ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ଅଗ୍ନିକାଣ୍ଡର ପ୍ରମୁଖ କାରଣ ଓ କ୍ଷୟକ୍ଷତି:

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଛି । ଘରେ କପଡ଼ା କାମ ଚାଲୁଥିବାରୁ ପ୍ରଚୁର ପରିମାଣରେ କପଡ଼ା ମହଜୁଦ୍ ଥିଲା, ଯାହାଫଳରେ ନିଆଁ ଅତି ଭୟଙ୍କର ରୂପ ଧାରଣ କରିଥିଲା । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ଜୀବନ ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ସାହସ ଦେଖାଇ ଛାତ ଉପର ଦେଇ କିଛି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଏସ୍‌ ଏସ୍‌ ପି, ଜିଲ୍ଲାପାଳ ଏବଂ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପୁଲିସ ବର୍ତ୍ତମାନ ଘର ମାଲିକ ଓ ପରିବାର ଲୋକଙ୍କୁ ପଚରାଉଚରା କରି ଅଧିକ ତଦନ୍ତ ଜାରି ରଖିଛି ।