ନୂଆଦିଲ୍ଲୀ,୨୪/୦୨: ରିଲାଏନ୍ସ ଧୀରୁଭାଇ ଅମ୍ବାନି ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନିଙ୍କୁ ଠକ ଘୋଷଣା କରିପାରିବେ ବ୍ୟାଙ୍କ । ବମ୍ବେ ହାଇକୋର୍ଟ ସୋମବାର ଅନିଲଙ୍କୁ ମିଳିଥିବା ଆଶ୍ୱସ୍ତି ଆଦେଶକୁ ରଦ୍ଦ କରିଛନ୍ତି । ୪୦ ହଜାର କୋଟିର ବ୍ୟାଙ୍କ ଠକେଇ ମାମଲାରେ ଅନିଲଙ୍କୁ ଠକ ଘୋଷଣା କରିବା ପ୍ରକ୍ରିୟା ଉପରେ ୨୦୨୫ ଡିସେମ୍ବରରେ କୋର୍ଟ ରୋକ ଲଗାଇଥିଲେ । ଏସ୍ବିଆଇ ଅଡିଟ୍ ରିପୋର୍ଟ ଆଧାରରେ ଅନିଲଙ୍କ ଆକାଉଣ୍ଟକୁ ଠକ ବର୍ଗରେ ସାମିଲ କରାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ବ୍ୟାଙ୍କ ସୁପ୍ରିମକୋର୍ଟଙ୍କ ସିଦ୍ଧାନ୍ତର ପାଳନ କରି ନ ଥିବା ସେ ଯୁକ୍ତି ରଖିଥିଲେ । ଫଳରେ ବମ୍ବେ ହାଇକୋର୍ଟ ଠକ ଘୋଷଣା ପ୍ରକ୍ରିୟା ଉପରେ ରୋକ ଲଗାଇ ଦେଇଥିଲେ । ଏହାପରେ ବ୍ୟାଙ୍କ ଅଫ୍ ବରୋଦା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ୨୦୨୬ ଜାନୁଆରିରେ ସିଙ୍ଗଲ ବେଞ୍ଚଙ୍କ ରୋକ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଫରେନସିକ ଅଡିଟ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଥିଲେ ବ୍ୟାଙ୍କ । ଏବେ ଆଇନ ମୁତାବକ, ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଗତ ସପ୍ତାହରେ ଅନିଲ ଅମ୍ବାନି କୋର୍ଟଙ୍କୁ କହିଥିଲେ, ବିନା ଅନୁମତିରେ ଦେଶ ଛାଡିବି ନାହିଁ କିମ୍ବା ବିଦେଶ ଯାତ୍ରା କରିବି ନାହିଁ । ଇଡି ଏବଂ ସିବିଆଇ ଯାଞ୍ଚରେ ପୁର୍ଣ୍ଣ ସହଯୋଗ କରିବି ।