ମୁମ୍ବାଇ,୨୭/୦୯: ୧୬ ବର୍ଷୀୟ ଭଦ୍ଭାବକଙ୍କ ଶସ୍ତା ଏଆଇ ଡିଭାଇସ । ଅସ୍ପଷ୍ଟ କଥାକୁ ସ୍ପଷ୍ଟ ହିନ୍ଦୀ ଭାଷାରେ ରୂପାନ୍ତରିତ କରିବ ‘ପାରାସ୍ପିକ୍’ । ୨ ହଜାର ଟଙ୍କାରେ ପ୍ରସ୍ତୁତ ହୋଇଛି ଏହି ଉପକରଣ । ଯାହା ଏକ ଏଆଇ-ପରିଚାଳିତ ଡିପ୍ ଲର୍ନିଂ ମଡେଲ ଆଧାରରେ ପରିଚାଳିତ । ଏଥିସହ ଅସ୍ପଷ୍ଟ ଭାଷାର ପ୍ୟାଟର୍ଣ୍ଣ ଚିହ୍ନଟରେ ମଧ୍ୟ ତାଲିମପ୍ରାପ୍ତ ।
ଗୁଡ଼ଗାଓଁର ଏକାଦଶ ଶ୍ରେଣୀ ଛାତ୍ର ୧୬ ବର୍ଷୀୟ ପ୍ରନେତ ଖେତାନ ଏହି ଡିଭାଇସ୍ ତିଆରି କରିଛନ୍ତି । ସେ ସ୍କୁଲ ଫିଲ୍ଡ ଟ୍ରିପ୍ରେ ଏକ ପକ୍ଷାଘାତ କେୟାର ସେଣ୍ଟର୍କୁ ଯାଇଥିଲେ । ସେଠାରେ ଯୋଗାଯୋଗ କରିବାରେ ସଂଘର୍ଷ କରୁଥିବା ରୋଗୀଙ୍କୁ ଦେଖିଥିଲେ । ସେମାନେ କହିବାକୁ ଚାହୁଁଥିଲେ, କିନ୍ତୁ ସେମାନେ ସ୍ପଷ୍ଟ ଭାବେ କହିପାରୁନଥିଲେ । ଶବ୍ଦ ସବୁ ଅସ୍ପଷ୍ଟ ଥିଲା । ଫଳରେ ତାହା ଶ୍ରୋତାଙ୍କ ପାଖରେ ପହଞ୍ଚି ପାରୁନଥିଲା । ଏହା ଦେଖି ସେ ଚିନ୍ତା କରିଥିଲେ ଯେ, ଏକ ଏଆଇ ସିଷ୍ଟମ୍ ଯଦି ତିଆରି ହୋଇପାରନ୍ତା, ତେବେ ସେମାନଙ୍କୁ ସ୍ୱର ଦେଇପାରନ୍ତେ । ଅନେକ ମାସର ପରୀକ୍ଷା, ପ୍ରୋଟୋଟାଇପ୍ ପ୍ରସ୍ତୁତିରେ ବିଫଳତା ଏବଂ ଲମ୍ବା କୋଡିଂ ଅଧିବେଶନ ପରେ ପ୍ରନେତ ଏକ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ‘ପାରାସ୍ପିକ୍’।
ଷ୍ଟ୍ରୋକ୍, ସେରେବ୍ରାଲ ପାଲ୍ସି କିମ୍ବା ପାର୍କିନ୍ସନ୍ସ ଯୋଗୁ ସ୍ପଷ୍ଟ କଥା କହିବାକୁ ସଂଘର୍ଷ କରୁଥିବା ଲୋକଙ୍କ କଥାକୁ ଏହା ସେହି ସମୟରେ ସ୍ପଷ୍ଟ ହିନ୍ଦୀ ଭାଷାରେ କରିବ ରୂପାନ୍ତରିତ । ପ୍ରନେତ ୨ ହଜାର ଟଙ୍କା ମଧ୍ୟରେ ଏହି ଉପକରଣ ପ୍ରସ୍ତୁତ କରିଛନ୍ତି । ଭାରତୀୟ ଷ୍ଟ୍ରୋକ୍ ଆସୋସିଏସନ୍ ଅନୁସାରେ, ଭାରତରେ ପ୍ରାୟ ୧୮ ଲକ୍ଷ ଲୋକ ପ୍ରତି ବର୍ଷ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି ଏବଂ ଅନେକ ଅସ୍ପଷ୍ଟ କଥା ଓ କଥା କହିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ପିଚ୍ ଥେରାପି ଉପକରଣ ଉପଲବ୍ଧ ହେଉଥିଲେ ମଧ୍ୟ ସେଗୁଡ଼ିକ ଅତ୍ୟନ୍ତ ମହଙ୍ଗା କିମ୍ବା ଭାରତୀୟ ଭାଷା ପାଇଁ ଡିଜାଇନ୍ ହୋଇନାହିଁ । ସେଥିପାଇଁ ପାରାସ୍ପିକ୍ ଡିଭାଇସ୍ ସବୁରି ଧ୍ୟାନ ଆକର୍ଷଣ କରିଛି ।
ଏହା ଶସ୍ତା, ସହଜରେ ଉପଲବ୍ଧ ଏବଂ ଭାରତୀୟ ଭାଷା ପାଇଁ ପ୍ରସ୍ତୁତ ହୋଇଛି । ପାରାସ୍ପିକ୍ ଏକ ଏଆଇ-ପରିଚାଳିତ ଡିପ୍ ଲର୍ନିଂ ମଡେଲ ଆଧାରରେ ପରିଚାଳିତ ହେଉଛି, ଯାହା ଅସ୍ପଷ୍ଟ ଭାଷାର ପ୍ୟାଟର୍ନ ଚିହ୍ନଟରେ ତାଲିମପ୍ରାପ୍ତ । ବଜାରରେ ଉପଲବ୍ଧ ଅଧିକାଂଶ ସିଷ୍ଟମ୍ ବ୍ୟାପକ ତଥ୍ୟ ଆବଶ୍ୟକ କରନ୍ତି । କିନ୍ତୁ ପ୍ରନେତ ଖୁବ୍ କମ୍ ତଥ୍ୟ ସହିତ ଏହି ଡିଭାଇସ୍ ପ୍ରସ୍ତୁତ କଲେ । ଏହା କଣ୍ଠ ସ୍ୱରକୁ ଗ୍ରହଣ କରିବା ମାତ୍ରେ ସେହି ମୁହୂର୍ତ୍ତରେ ଅସ୍ପଷ୍ଟ କଥାକୁ ସ୍ପଷ୍ଟ ହିନ୍ଦୀ ଭାଷାରେ ଅନୁବାଦ କରେ । ଏହାକୁ ଶ୍ରୋତାଙ୍କୁ ଶୁଣାଏ । ଛୋଟ ସହର ଓ ଗାଁର ଲୋକଙ୍କ ପାଇଁ ସହଜରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରନେତ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଡିଭାଇସ୍କୁ ଅନ୍ତର୍ଜାତୀୟ ମାନ୍ୟତା ମଧ୍ୟ ମିଳିଛି । ଆମେରିକାରେ ଆୟୋଜିତ ସମ୍ମାନାସ୍ପଦ ବିଜ୍ଞାନ ପ୍ରତିଯୋଗିତା ଇଣ୍ଟରନ୍ୟାସ୍ନାଲ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଫେୟାର-୨୦୨୫ରେ ପ୍ରନେତଙ୍କ ପାରାସ୍ପିକ୍ ବାୟୋମେଡିକାଲ ଇଞ୍ଜିନିୟରିଂରେ ୪ର୍ଥ ଗ୍ରାଣ୍ଡ୍ ଆୱାର୍ଡ ଜିତିଛି ।