ପ୍ରତିବର୍ଷ ପରି ଏବର୍ଷ ୧୦ ଅକ୍ଟୋବର ୨୦୨୪କୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ଏବର୍ଷର ବିଷୟବସ୍ତୁ ହେଉଛି ‘କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା’ । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବୈଷୟିକ ମାନସିକ ସ୍ୱାସ୍ଥ୍ୟ ଶିକ୍ଷା, ସଚେତନତା ଏବଂ ସାମାଜିକ କଳଙ୍କ ବିରୋଧରେ ପ୍ରଚାର ଏବଂ ପ୍ରସାର ପାଇଁ ଏକ ପ୍ରକୃଷ୍ଟ ଦିବସ ଅଟେ । ବାରମ୍ବାର ଅବହେଳିତ ହେଉଥିବା ମାନସିକ ସ୍ୱାସ୍ଥ୍ୟର ପ୍ରସଙ୍ଗ ଏବଂ ଏହାର ଆବଶ୍ୟକତାକୁ ପ୍ରାଥମିକତା ଦେବାପାଇଁ ଏହି ଦିବସ ପାଳନ କରିବା ନିହାତି ଆବଶ୍ୟକ । କର୍ମନିଯୁକ୍ତି ପାଇଥିବା ବୟସ୍କମାନେ ଅଧିକ ସମୟ କାମରେ ବିତାଇଥାନ୍ତି । କର୍ମକ୍ଷେତ୍ରର ବ୍ୟସ୍ତତା ଜୀବନ ଜୀବିକା ଯୋଗାଇପାରେ, ଅର୍ଥର ଉତ୍ସ, ଉଦ୍ଦେଶ୍ୟ, ଆଉ ଆନନ୍ଦର ଉତ୍ସ ପ୍ରଦାନ କରିପାରେ । କିନ୍ତୁ ଅଧିକାଂଶଙ୍କ କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଜୀବନକୁ ଉନ୍ନତ କରିବାରେ ବିଫଳ ହୁଏ ଏବଂ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିପନ୍ନ ହୁଏ ଯାହା ସେମାନଙ୍କ ଦୁରବସ୍ଥାର କାରଣ ହୋଇଥାଏ । 

କାର୍ଯ୍ୟକ୍ଷେତ୍ରରେ ମାତ୍ରାଧିକ ଚିନ୍ତା, ଅବସାଦ ଏବଂ ଉଦ୍‌ବେଗ ଇତ୍ୟାଦି ପରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା କର୍ମଚାରୀମାନଙ୍କର ଉତ୍ପାଦକତା, ଉପସ୍ଥାନ ଏବଂ ସାମଗ୍ରିକ କାର୍ଯ୍ୟଦକ୍ଷତା ଉପରେ କୁପ୍ରଭାବ ପକାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁଯାୟୀ, ବିଶ୍ୱସ୍ତରୀୟ କାର୍ଯ୍ୟରତ ବୟସ୍କମାନଙ୍କ ମଧ୍ୟରୁ ୧୫% ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭୋଗନ୍ତି ଏବଂ ଶ୍ରମଶକ୍ତିର ୨୩% କର୍ମଜୀବୀ କାର୍ଯ୍ୟ ସମ୍ବନ୍ଧୀୟ ଚାପ ଅନୁଭବ କରନ୍ତି । ଯଦି ଏହି ସମସ୍ୟାର ସମାଧାନ ହୋଇନଥାଏ, ତେବେ ଏହି ସମସ୍ୟାଗୁଡ଼ିକ ଉତ୍ପାଦକତା ହ୍ରାସ ଘଟାଏ, ଅନୁପସ୍ଥିତି ବଢ଼େ ଏବଂ କର୍ମଚାରୀମାନଙ୍କର ନିମ୍ନ ସ୍ୱାସ୍ଥ୍ୟାବସ୍ଥାର କାରଣ ହୋଇଥାଏ । 

କର୍ମସଂସ୍ଥାନରେ ମାନସିକ ସୁସ୍ଥତା ପାଇଁ ଅନେକ କିଛି କରାଯିବାର ଆବଶ୍ୟକତା ରହିଛି । ତନ୍ମଧ୍ୟରୁ କେତୋଟି ହେଉଛି- ମାନସିକ ସ୍ୱାସ୍ଥ୍ୟର ପ୍ରଶିକ୍ଷଣ, ଭେଦଭାବପୂର୍ଣ୍ଣ ଓ ଭୟଯୁକ୍ତ ବାତାବରଣର ସମାଧାନ, ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନାକୁ ପ୍ରୋତ୍ସାହନ । କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ପ୍ରଦାନ ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ବିଚାରଣୀୟ- ୧. ଏକ ମାନସିକ ସ୍ୱାସ୍ଥ୍ୟ ନୀତି ଏବଂ ପ୍ରଣାଳୀ ସୃଷ୍ଟି କରନ୍ତୁ । ୨. କର୍ମଚାରୀ ସହାୟତା କାର୍ଯ୍ୟକ୍ରମ ଏବଂ ପରାମର୍ଶ ସେବା ପ୍ରଦାନ କରନ୍ତୁ । ୩. ପ୍ରବନ୍ଧକମାନଙ୍କ ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ପାଇଁ କର୍ମଚାରୀମାନଙ୍କର ପ୍ରଶ୍ନ, ଅଭିଯୋଗ, ମତାମତ ଓ ସମସ୍ୟାର ଉନ୍ମୁକ୍ତ ବିଚାର ବିମର୍ଶର ବ୍ୟବସ୍ଥା । ୪. କାର୍ଯ୍ୟଭାରର ନିରୀକ୍ଷଣ ଏବଂ ଅତ୍ୟଧିକ ଶାରୀରିକ ଓ ମାନସିକ କ୍ଳିଷ୍ଟ ପ୍ରଦାନକାରୀ କାର୍ଯ୍ୟବୋଝ ନିଷେଧ ବ୍ୟବସ୍ଥା । ୫. କର୍ମଚାରୀମାନଙ୍କୁ ପ୍ରଶଂସା ଓ ପୁରସ୍କାର ଦ୍ୱାରା ପ୍ରୋତ୍ସାହନ । କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ପାଇଁ ମଧ୍ୟ ଉଚିତ ପଦକ୍ଷେପ ନିଆଯିବା ଜରୁରି । ଯଥା- ୧. ମାନସିକ ସ୍ୱାସ୍ଥ୍ୟଜନିତ କଳଙ୍କକୁ ହ୍ରାସ କରିବା, ୨. ସମ୍ବେବଦନଶୀଳତା ଏବଂ ସହାନୁଭୂତି ବୃଦ୍ଧି କରିବା, ୩. ଅନ୍ତର୍ଭୁକ୍ତତା ଏବଂ ବିବିଧତା ପ୍ରତିପୋଷଣ କରିବା, ୪. ସୁସ୍ଥ ଜୀବନଯାପନ ପାଇଁ ପ୍ରୋତ୍ସାହିତ କରିବା । 

ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଉଥିବାରୁ ଏହି ବିଶ୍ୱସ୍ତରୀୟ ପଦକ୍ଷେପ ଆମକୁ କଳଙ୍କ ଭାଙ୍ଗିବାକୁ ଉତ୍ସାହିତ କରେ, ସହାନୁଭୂତି ପ୍ରତିପୋଷଣ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦ୍ୱାରା ପ୍ରଭାବିତ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ସମର୍ଥନ କରିବାକୁ ଉତ୍ସାହିତ କରିଥାଏ । ଆସନ୍ତୁ ଆମ୍ଭେ ସମସ୍ତେ ଏକତ୍ର ହୋଇ ଆତ୍ମକଲ୍ୟାଣକୁ ଅଗ୍ରାଧିକାର ଦେବା, ମୁକ୍ତ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବା ଓ ଏପରି ଏକ ପାରସ୍ପରିକ ସହାୟକ ବାତାବରଣ ପ୍ରସ୍ତୁତ କରିବା ଯାହା ପ୍ରତ୍ୟେକ ବ୍ୟକ୍ତିର ଜୀବନକୁ ସଫଳତାର ମାର୍ଗ ପ୍ରଦର୍ଶନ କରିବ ।