କେଉଁ ଅନାଦି ଅନନ୍ତ କାଳରୁ ଏ ଅନବଦ୍ୟ ସୃଷ୍ଟି ପାଇଁ ସ୍ରଷ୍ଟାଙ୍କୁ ସମ୍ମାନ ଜଣାଇ ମନୁଷ୍ୟ ତା’ ହୃଦୟର ନିଭୃତ କୋଣରେ ଅତି ଯତ୍ନରେ ସାଇତା ଭକ୍ତି ନୈବେଦ୍ୟକୁ ସ୍ରଷ୍ଟାଙ୍କ ଚରଣାରବିନ୍ଦରେ ଅର୍ପଣପୂର୍ବକ କୃତଜ୍ଞତାର ସ୍ତୁତି ଉଚ୍ଚାରଣ କରିଆସୁଛି, ଯାହାର ଧ୍ୱନି ଗଗନ ପବନକୁ ପ୍ରକମ୍ପିତ କରି ବାୟୁମଣ୍ଡଳରେ ଡିଣ୍ଡିମ ସଦୃଶ ତରଙ୍ଗାୟିତ ହେଉଛି । ଏହାକୁ ଶ୍ରବଣ କରି ସ୍ରଷ୍ଟା ନିଜକୁ ଧନ୍ୟ ମନେକରିବା ସଙ୍ଗେ ସଙ୍ଗେ ତାଙ୍କ ସୃଷ୍ଟ, ସୃଷ୍ଟିକୁ ପରମାଶୀର୍ବାଦରେ ଭରି ଦେଉଛନ୍ତି । ସ୍ରଷ୍ଟାଙ୍କ ସୃଷ୍ଟିର ଶ୍ରେଷ୍ଠଜୀବ ମଣିଷ ସଭ୍ୟତାର ଅୟମାରମ୍ଭ ଦିନଠାରୁ ଅଦ୍ୟାବଧି ଏ ପରମ୍ପରାକୁ ସାଇତି ରଖିଛି । ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ସେ ଘଞ୍ଚ ବନାନୀର ନିକାଞ୍ଚନ ହେଉ, ପର୍ବତଶିଖର ଚୂଳ ହେଉ ଅବା ହେଉ ଚିରସ୍ରୋତା ଗଭୀର ନଦୀ କି ସମୁଦ୍ର, ସ୍ରଷ୍ଟାଙ୍କୁ ନିଜ ଭାବାବେଗରେ ବାନ୍ଧିରଖି ତାଙ୍କ ସର୍ଜନାକୁ ପ୍ରଣାମ କରିବାକୁ ସେ ସର୍ବଦା ଶ୍ରେୟ ମନେକରେ ।

ଧରାପୃଷ୍ଠରେ ମଣିଷ ସଭ୍ୟତାର ଆରମ୍ଭ ପୁରାତନ ପ୍ରସ୍ତର ଯୁଗ, ନୂତନ ପ୍ରସ୍ତର ଯୁଗ ଅବା ତଦୁଦ୍ଧ୍ୱର୍ ପୁରାତନ କାଳରୁ ତାହା ବହୁ ବାଦ, ବିବାଦ, ସମ୍ବାଦ, ବିସମ୍ବାଦ, ଆଲୋଚନା, ପର୍ଯ୍ୟାଲୋଚନା, ସମାଲୋଚନା, ତର୍କ, ବିତର୍କ, ପ୍ରମାଣ, ଅପ୍ରମାଣ ମାଧ୍ୟମରେ ଶାଣିତ ହୋଇ କ୍ରିୟାଶୀଳ ହେଉଛି । ମଣିଷ ସଭ୍ୟତାର ଆରମ୍ଭ ଇଉଫ୍ରେଟିସ ଓ ଟାଇଗ୍ରୀସ୍‌ ନଦୀ ଅବବାହିକାର ମେସୋପଟାମିଆରୁ ଆରମ୍ଭ କି କାଷ୍ପିୟାନ୍‌ ହ୍ରଦକୂଳରୁ ଆରମ୍ଭ ଅବା ସିନ୍ଧୁ ନଦୀକୂଳର ସିନ୍ଧୁସଭ୍ୟତାରୁ ଆରମ୍ଭ ତାହା ଏବେ ବି ବିବାଦଘେରରେ । ଅବଶ୍ୟ ମେସୋପଟାମିଆ ସଭ୍ୟତା ଓ କାଷ୍ପିୟାନ୍‌ ସଭ୍ୟତା ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ଥାଇ ଏହା ପ୍ରାୟ ଖ୍ରୀଷ୍ଟପୂର୍ବ ୧୧୦୦୦ରୁ ୧୨୦୦୦ ବର୍ଷ ପୁରୁଣା ହୋଇଥିଲା ବେଳେ, ସିନ୍ଧୁ ସଭ୍ୟତା ଖ୍ରୀଷ୍ଟପୂର୍ବ ୩୩୦୦ବର୍ଷ ତଳର ବୋଲି ଐତିହାସିକମାନେ ମତ ଦିଅନ୍ତି । ଦୁଇଟି ଚିରସ୍ରୋତା ନଦୀ ଇଉଫ୍ରେଟିସ୍‌ ଓ ଟାଇଗ୍ରୀସ୍‌ ନଦୀର ଅବବାହିକା, ଯାହା ଏକ ଅତ୍ୟନ୍ତ ଉର୍ବର ଭୂଖଣ୍ଡ, ଯେଉଁ ଭୂଖଣ୍ଡରେ ଆଧୁନିକ ଇରାକ୍‌, ସିରିଆ, ତୁର୍କୀ ଓ କୁଏତ୍‌ ଦେଶଗୁଡ଼ିକ ଅବସ୍ଥିତ । ଆଜିକୁ ପ୍ରାୟ ୧୨୦୦୦ ବର୍ଷ ତଳେ ବିଶ୍ୱର ପ୍ରଥମ ସହରୀ ସଭ୍ୟତା ଏଠାରେ ଗଢ଼ିଉଠିଥିଲା । ଯେଉଁଠି ସୁମେରିଆନ୍‌, ଆକାଡ଼ିଆନ୍‌, ବେବିଲୋନିଆନ୍‌ ଓ ଆସିରିଆନ୍‌ ସଭ୍ୟତାଗୁଡ଼ିକର ଆଦିମ ଅଧିବାସୀ ବସବାସ କରୁଥିଲେ । ଶିକାରୀ ଜାତିର ଏ ମଣିଷମାନେ ବଣୁଆ ପଶୁପକ୍ଷୀ ଓ ଜଙ୍ଗଲୀ କନ୍ଦମୂଳ ଚେର ଖାଇ, ଗୋଟିଏ ଜାଗାରୁ ଖାଦ୍ୟ ସରିଗଲେ ଯାଯାବର ଭଳି ଖାଦ୍ୟାନ୍ୱେଷଣରେ ଅନ୍ୟ ଜାଗାକୁ ଚାଲିଯାଉଥିଲେ । ମେସୋପଟାମିଆ ଶଦ୍ଦଟି ଗ୍ରୀକ ଭାଷାରୁ ଉଦ୍ଧୃତ । ମେସୋ ଅର୍ଥ- ମଝି ଓ ପୋଟାମସ୍‌ ଅର୍ଥ- ନଦୀ, ଅର୍ଥାତ୍‌ ଇଉଫ୍ରେଟିସ୍‌ ଓ ଟାଇଗ୍ରୀସ୍‌ ନଦୀର ମଧ୍ୟସ୍ଥ ବିଶାଳ ଉର୍ବର ଭୂଖଣ୍ଡ- ମେସୋପଟାମିଆ, ଯାହା ପୃଥିବୀପୃଷ୍ଠର ପ୍ରଥମ ସଭ୍ୟତା । ନୀଳନଦୀର ଇଜିପ୍ସିଆନ୍‌ ସଭ୍ୟତା, ସିନ୍ଧୁନଦୀ ସଭ୍ୟତା ଓ ଚାଇନାର ହଳଦିନଦୀ ହୁଆଙ୍ଗ୍‌ହୋ ସଭ୍ୟତାର ସୂତ୍ରଧର ରୂପେ ମେସୋପଟାମିଆ ସଭ୍ୟତାକୁ ଗଣାଯାଏ ବୋଲି ଐତିହାସିକମାନେ ମତ ଦିଅନ୍ତି ।

କାଷ୍ପିୟାନ ହ୍ରଦକୂଳର ସଭ୍ୟତା ମେସୋପଟାମିଆ ସଭ୍ୟତା ପରି ପ୍ରାଚୀନ । କାଷ୍ପିୟାନ୍‌ ଶଦ୍ଦଟି ଆଧୁନିକ ଇରାନ୍‌ର ମୂଳବାସିନ୍ଦା "କାଷ୍ପି’ରୁ ଉଦ୍ଧୃତ । କାଷ୍ପିୟାନ୍‌ ହ୍ରଦ ପୃଥିବୀର ସର୍ବବୃହତ ହ୍ରଦ, ଯାହାକି ସମୁଦ୍ରର ଭ୍ରମ ସୃଷ୍ଟିକରେ । ଏହାର ଚତୁର୍ଦ୍ଦିଗରେ ଖାଜାକିସ୍ତାନ, ଋଷିଆ, ଆଜରବୈଜାନ୍‌, ଇରାନ ଓ ତୁର୍କମେନିସ୍ତାନ ଅବସ୍ଥିତ । ପୂର୍ବ-ୟୁରୋପ, ପଶ୍ଚିମ-ଏସିଆ ଓ କେନ୍ଦ୍ର-ଏସିଆ ଅନ୍ତର୍ଗତ ଏହି ଦେଶଗୁଡ଼ିକ ଏକ ବିଶାଳ ଭୂଖଣ୍ଡ । ଯଦିଓ ଏହି ବିଶାଳ ଭୂଖଣ୍ଡରେ ମଣିଷ ବହୁ ଆଗରୁ ବସବାସ କରୁଥିଲା । ଐତିହାସିକମାନଙ୍କ ମତରେ ସଭ୍ୟ ମଣିଷର ଚଳପ୍ରଚଳ ପ୍ରାୟ ୧୧୦୦୦ବର୍ଷ ପୂର୍ବେ ପରିଲକ୍ଷିତ ହୋଇଥିଲା ।

ସେହିପରି ସିନ୍ଧୁନଦୀ ତଟବର୍ତ୍ତୀ କ୍ଷେତ୍ରରେ ଖ୍ରୀଷ୍ଟପୂର୍ବ ୩୩୦୦ବର୍ଷ ତଳେ ଗଢ଼ିଉଠିଥିଲା ସିନ୍ଧୁ ସଭ୍ୟତା । ସିନ୍ଧୁନଦୀ ତିକ୍ରତରୁ ବାହାରି ଜାମ୍ମୁକାଶ୍ମୀର ଦେଇ ପାକିସ୍ତାନରେ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଛି । ସିନ୍ଧୁ ସଭ୍ୟତାକୁ ସଭ୍ୟ ମଣିଷର ଉତ୍ପତ୍ତିସ୍ଥଳ ଭାବେ ପରିଗଣିତ କରାଯାଏ । ଏଠିକାର ମୂଳବାସିନ୍ଦାମାନେ କେନ୍ଦ୍ର-ଏସିଆର ଓ ଏମାନେ ଇଣ୍ଡୋ ୟୁରୋପିଆନ୍‌ ଭାଷା ସହ ବୈଦିକ ଓ ବେଦ ସମ୍ବନ୍ଧୀୟ ସଂସ୍କୃତିର ଆରମ୍ଭ କରିଥିଲେ ।

ଐତିହାସିକମାନଙ୍କ ମତରେ, ସର୍ବପୁରାତନ ମେସୋପଟାମିଆ ସଭ୍ୟତାର ମଣିଷ ଆତ୍ମସନ୍ତୋଷ ପାଇଁ ସ୍ରଷ୍ଟାଙ୍କୁ ସ୍ମରଣ କରି ତାଙ୍କ ସ୍ତୁତିଗାନ କରୁଥିଲା, କିନ୍ତୁ କୌଣସି ମୂର୍ତ୍ତି ପୂଜା କରୁନଥିଲା । ଏମାନେ ଏକ ସୁଉଚ୍ଚ ମଣ୍ଡପରେ ଆୟତ୍ତାକାର ଉଚ୍ଚ ଖମ୍ବକୁ ସ୍ରଷ୍ଟାରୂପ ଦେଇ ମନ ମଧ୍ୟରେ ତାଙ୍କ ସ୍ତୁତିଗାନ କରୁଥିଲେ । ବିନା ପୋଡ଼ାମାଟିର ଇଟାରେ ଏହି ମଣ୍ଡପ ନିର୍ମାଣ କରି ଏହା ଉପରେ ଏକ ପିରାମିଡ୍‌ ସଦୃଶ ଘର ଭିତରେ ଆୟତ୍ତାକାର ଖୁମ୍ବଗୁଡ଼ିକ ପୋତି ତାଙ୍କୁ ସ୍ରଷ୍ଟା ରୂପେ ସୁମରଣା କରୁଥିଲେ । ଏହା ସହରର ମଧ୍ୟସ୍ଥଳରେ ରାଜାଙ୍କ ଉଆସ ପାଖାପାଖି ଥିଲା, ଯାହାକି ସ୍ରଷ୍ଟାଙ୍କ ପ୍ରତି ରାଜାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଥିଲା । ସଂଯୋଗକ୍ରମେ ଏପରି ଏକ ମନ୍ଦିର ଦକ୍ଷିଣ-ପୂର୍ବ ତୁର୍କୀର ସାନଲିଉର୍‌ଫା ରାଜ୍ୟର ‘ଗୋବେକ୍ଲି ଟେପେ'ରେ ୧୯୬୩ ମସିହାରେ ଆବିଷ୍କୃତ ହୋଇଛି । ଏହା ଖ୍ରୀଷ୍ଟପୂର୍ବ ୧୨୦୦୦ ବର୍ଷର ପୁରୁଣା । ଜର୍ମାନ୍‌ ସ୍ଥପତି କ୍ଲାଉସ୍‌ ସିମିଡ୍‌ ଓ ତୁର୍କୀର ଇସ୍ତାନବୁଲ୍‌ ବିଶ୍ୱବିଦ୍ୟାଳୟର ପ୍ରାକ୍‌-ଐତିହାସିକ ନେକ୍‌ମି କାରୁଲ୍‌ ଏହାକୁ ବିଶ୍ୱର ସର୍ବପ୍ରାଚୀନ ମନ୍ଦିରର ମାନ୍ୟତା ଦେଇ କ୍ଲାଉସ୍‌ ସିମିଡଙ୍କ ନେତୃତ୍ୱରେ ଏହାର ଖନନ ୧୯୯୫ରେ ଆରମ୍ଭ ହୋଇ ଅଦ୍ୟାବଧି ଚାଲିଛି । ୨୦୧୮ମସିହାରେ ମିଳିତ ଜାତିସଂଘର ଶିକ୍ଷା, ସଂସ୍କୃତି ଓ ସାମାଜିକ ସଂସ୍ଥା ଏହାକୁ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । "ଗୋବେକ୍ଲି ଟେପେ’ ମନ୍ଦିରରେ ଓଲଟା ଇଂରାଜି ଟି-ଅକ୍ଷର ଆକୃତିର ଆୟତ୍ତାକାର ଖୁମ୍ବଗୁଡ଼ିକରେ ବିଭିନ୍ନ ପଶୁପକ୍ଷୀଙ୍କର ଚିତ୍ର ଅଙ୍କାଯାଇ ପୂଜା ପାଉଛନ୍ତି ।

ଖ୍ରୀଷ୍ଟପୂର୍ବ ୧୨୦୦୦ ବର୍ଷ ତଳେ ମଣିଷ ପେଟ ପୋଷିବା ପାଇଁ ଶିକାର କରୁଥିଲା । ଏହା ସହିତ ଜଙ୍ଗଲୀ କନ୍ଦର ମିଠାଚେରକୁ ଖାଦ୍ୟରୂପେ ବ୍ୟବହାର କରୁଥିଲା । କିନ୍ତୁ କୌଣସି ପ୍ରକାର କୃଷିକାର୍ଯ୍ୟ କରୁନଥିଲା । ମେସୋପଟାମିଆ ସଭ୍ୟତାର "ଗୋବେକ୍ଲି ଟେପେ’ ପ୍ରମାଣ କରୁଛି ଯେ ତଦାନୀନ୍ତନ ଆଦିମାନବ ସ୍ରଷ୍ଟା ବା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରି ଦଳଦଳ ହୋଇ ଏଠାରେ ଏକାଠି ହୋଇ ସ୍ରଷ୍ଟାଙ୍କ ସ୍ତୁତିଗାନ କରି ଭବିଷ୍ୟତରେ ପଶୁହନ୍ତା ଶିକାରୀ ପେସାକୁ ତ୍ୟାଗକରି କୃଷିକାର୍ଯ୍ୟ କରି ଫସଲ ଉପୁଜାଇ ପେଟ ପୋଷିବା ପାଇଁ ପ୍ରେରଣା ପାଇଥିଲା ।

"ଗୋବେକ୍ଲି ଟେପେ’ ବୋଧହୁଏ ଏକ ମାଧ୍ୟମ ରୂପେ ତଦାନୀନ୍ତନ ମଣିଷକୁ ପଶୁହନ୍ତା ପ୍ରବୃତ୍ତିରୁ ନିବୃତ୍ତ କରାଇ ସ୍ରଷ୍ଟାଙ୍କୁ ସୁମରଣା କରି ତାଙ୍କ ଅନବଦ୍ୟ ସୃଷ୍ଟି ପାଇଁ କୃତଜ୍ଞତାର ସ୍ତୁତି ସେକାଳର ମଣିଷ ତା’ ତୁଣ୍ଡରେ ତା’ ଭାଷାରେ ଗାଉଥିଲାବେଳେ, ତାକୁ ପ୍ରେରଣା ମିଳିଥିଲା ଶିକାରୀରୁ କୃଷକକୁ ରୂପାନ୍ତରିତ ହେବାଲାଗି । ଏଥିପାଇଁ ଐତିହାସିକମାନେ ମତ ଦିଅନ୍ତି, ତତ୍କାଳୀନ ମେସୋପଟାମିଆର ଦକ୍ଷିଣ-ପୂର୍ବ ତୁର୍କୀ ସ୍ଥିତ ସାନ୍‌ଲିଉରଫା ରାଜ୍ୟର "ଗୋବେକ୍ଲି ଟେପେ’ ବିଶ୍ୱର ସର୍ବପ୍ରଥମ ମନ୍ଦିର ।

​​​​​​​