ନୂଆଦିଲ୍ଲୀ, ୨୪।୪: ସୋସିଆଲ ମିଡିଆ ଜଗତର ସବୁଠାରୁ ବଡ଼ କମ୍ପାନୀ 'ମେଟା' ବଡ଼ ଧରଣର କର୍ମଚାରୀ ଛାଟକାଟ କରିବାକୁ ଯାଉଛି । କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୮,୦୦୦ ଜଣଙ୍କୁ ଚାକିରିରୁ ବାହାର କରିବ ବୋଲି ସ୍ପଷ୍ଟ କରିଛି । ଆସନ୍ତା ମେ' ୨୦ ତାରିଖ ସୁଦ୍ଧା ଏହି ଛଟେଇ ପ୍ରକ୍ରିୟା ଶେଷ ହେବ । କମ୍ପାନୀର ଚିଫ୍ ପିପୁଲ୍ ଅଫିସର ଜାନେଲ୍ ଗେଲ୍ କର୍ମଚାରୀଙ୍କୁ ଏକ ଆଭ୍ୟନ୍ତରୀଣ ମେମୋ ପଠାଇ ଏହି ଦୁଃଖଦ ଖବର ଜଣାଇଛନ୍ତି ।

୬,୦୦୦ ପଦବୀ ଉଚ୍ଛେଦ: କେବଳ କାମ କରୁଥିବା କର୍ମଚାରୀ ନୁହଁନ୍ତି, ବରଂ ନିଯୁକ୍ତି ପାଇଁ ଖାଲି ପଡ଼ିଥିବା ପ୍ରାୟ ୬,୦୦୦ ପଦବୀକୁ ମଧ୍ୟ କମ୍ପାନୀ ବାତିଲ କରିଦେଇଛି ।

AI ଉପରେ ଫୋକସ୍: ଜାନେଲ୍ ଗେଲ୍ଙ୍କ ଅନୁସାରେ, କମ୍ପାନୀ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ବିପୁଳ ପରିମାଣର ଅର୍ଥ ନିବେଶ କରୁଛି । ଏହି ନିବେଶକୁ ଭରଣା କରିବା ଏବଂ କମ୍ପାନୀକୁ ଅଧିକ ଦକ୍ଷ କରିବା ପାଇଁ ଏହି କଠୋର ନିଷ୍ପତ୍ତି ନିଆଯାଇଛି ।

ଛଟେଇ ପରେ କ’ଣ ମିଳିବ ?

ପ୍ରଭାବିତ କର୍ମଚାରୀଙ୍କ ପାଇଁ କମ୍ପାନୀ ଏକ ସହାୟତା ରାଶି ଘୋଷଣା କରିଛି । ୧୬ ସପ୍ତାହର ବେସିକ୍ ସ୍ୟାଲେରୀ ସହ ପ୍ରତି ବର୍ଷର ଅଭିଜ୍ଞତା ପାଇଁ ଅତିରିକ୍ତ ୨ ସପ୍ତାହର ଦରମା ମିଳିବ । ଆମେରିକାର କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ୧୮ ମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଖର୍ଚ୍ଚ କମ୍ପାନୀ ବହନ କରିବ । ନୂଆ ଚାକିରି ଖୋଜିବା ପାଇଁ କ୍ୟାରିୟର ସର୍ଭିସେସ୍ ଏବଂ ପ୍ରବାସୀ କର୍ମଚାରୀଙ୍କୁ ଇମିଗ୍ରେସନ ସପୋର୍ଟ ପ୍ରଦାନ କରାଯିବ । ରିପୋର୍ଟ ଅନୁସାରେ, ଏହା କେବଳ ପ୍ରଥମ ପର୍ଯ୍ୟାୟ । ଚଳିତ ବର୍ଷର ଦ୍ୱିତୀୟ ଭାଗରେ ମେଟା ଆଉ ଏକ ରାଉଣ୍ଡ ଛଟେଇ କରିପାରେ, ଯେଉଁଥିରେ ଆହୁରି ୮,୦୦୦ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

କାହିଁକି ଏପରି କରୁଛନ୍ତି ମାର୍କ ଜୁକରବର୍ଗ ?

ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଏବେ 'ମେଟାଭର୍ସ' ଅପେକ୍ଷା 'AI' କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କମ୍ପାନୀ ଚଳିତ ବର୍ଷ AI ଭିତ୍ତିଭୂମି ପାଇଁ ପ୍ରାୟ ୧୩୫ ବିଲିୟନ ଡଲାର ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଛି । ଜୁକରବର୍ଗଙ୍କ ଅନୁସାରେ, AI ଯୋଗୁଁ କାମ କରିବାର ଧାରା ବଦଳିବା ସହ କମ୍ କର୍ମଚାରୀରେ ଅଧିକ କାମ କରିହେବ ।

ଆହୁରି ପଢ଼ନ୍ତୁ... ଦେଶର ଅଶୋଧିତ ତେଲ ଓ ଗ୍ୟାସ ଉତ୍ପାଦନ ତଳମୁହାଁ, ଚାହିଦାର ୮୯% ଅଂଶ ଆମଦାନି