ନୂଆଦିଲ୍ଲୀ,୨୪/୦୪: ଲଗାତର ୧୧ ବର୍ଷ ଧରି ହ୍ରାସ ହୋଇଛି ଦେଶର ଅଶୋଧିତ ତେଲ ଉତ୍ପାଦନ । ସେହିଭଳି ଦ୍ୱିତୀୟ ବର୍ଷ ଲାଗି ପ୍ରାକୃତିକ ଗ୍ୟାସ ଉତ୍ପାଦନ କମିଛି । ପୁରୁଣା ଅଏଲ ଫିଲ୍ଡ ଗୁଡିକରୁ ଉତ୍ପାଦନ କମିବା ଏବଂ ନୂଆ ଫିଲ୍ଡ ନ ଯୋଡିବା ଯୋଗୁ ଉତ୍ପାଦନ କମିଛି । ଘରୋଇ ବଜାରରେ ଉତ୍ପାଦନ ହ୍ରାସ ହେଉଥିବାରୁ ଆମଦାନି ନିର୍ଭରତା ବଢ଼ୁଛି।
ଦେଶ ଏବେ ଏହାର ମୋଟ ତେଲ ଚାହିଦାର ୮୯% ଆମଦାନି ଜରିଆରେ ପୂରଣ କରୁଛି । ସେହିଭଳି ଗ୍ୟାସ ଚାହିଦାର ୫୧% ଆମଦାନି ହେଉଛି । ଆମେରିକା ଏବଂ ଇରାନ ଯୁଦ୍ଧ ଯୋଗୁ ଏବେ ଆମଦାନିରେ ସମସ୍ୟା ଉପୁଜୁଛି । ବିଶୋଧନାଗାର ଗୁଡିକ ମାର୍ଚ୍ଚରେ ଉଚ୍ଚ ଦରରେ ତେଲ କିଣିଥିଲେ । ଏହା ସତ୍ତେ୍ୱ ମଧ୍ୟ ଯୋଗାଣ ସଙ୍କଟରେ ରହିଛି ।
ବିଗତ ବର୍ଷ ଗୁଡ଼ିକରେ ତେଲ ଏବଂ ଗ୍ୟାସ ଉତ୍ପାଦନକୁ ବୃଦ୍ଧି କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ଏହା ମଧ୍ୟରେ ଜାତୀୟ ଜିଓଲୋଜିକାଲ ଡାଟା ରିପୋଜିଟୋରି, ନିୟାମକ ଏବଂ ପରିବେଶ ମଞ୍ଜୁରି ଏବଂ ଉତ୍ତୋଳନ କମ୍ପାନି ଗୁଡ଼ିକ ଉତ୍ସାହିତ ହେବା ଭଳି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ତେବେ ଏହା ସତ୍ତେ୍ୱ ମଧ୍ୟ ବିଶ୍ୱ ସ୍ତରୀୟ କମ୍ପାନି ଗୁଡ଼ିକ ଭାରତର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶ ନେଇ ଆକୃଷ୍ଟ ହୋଇନାହାନ୍ତି ।
ଗତ ଦଶନ୍ଧିରେ ଲାଇସେନ୍ସ ପାଇଥିବା କମ୍ପାନି ଗୁଡ଼ିକ ମଧ୍ୟରେ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡ଼ିକର ପତିଆରା ରହିଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଡାଟା ମୁତାବକ, ୨୦୨୫-୨୬ରେ ଦେଶ ମଧ୍ୟରେ ଅଶୋଧିତ ତେଲ ଉତ୍ପାଦନ ୨.୫% ହ୍ରାସ ହୋଇ ୨୮ ନିୟୁତ ମେଟ୍ରିକ ଟନ୍ ଛୁଇଁଛି । ୨୦୧୪-୧୫ ଠାରୁ ଏହି ଉତ୍ପାଦନ ପ୍ରାୟ ୨୨% ଖସିଛି । ସେହିଭଳି ପ୍ରାକୃତିକ ଗ୍ୟାସ ଉତ୍ପାଦନ ୩.୭% ହ୍ରାସ ହୋଇ ୩୪,୭୭୬ ନିୟୁତ ମେଟ୍ରିକ ଷ୍ଟାଣ୍ଡାର୍ଡ ଘନ ମିଟର ରହିଛି । ୨୦୧୧-୧୨ରେ ଏହା ୪୭,୫୫୫ ନିୟୁତ ଘନ ମିଟର ଥିଲା । ୨୦୨୧-୨୨ରେ ଏହା ୨୮,୬୭୨ ନିୟୁତ ଘନ ମିଟରକୁ କମିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦ୍ୱାରା ପରିଚାଳିତ କେଜି-ଡି୬ ଅଞ୍ଚଳରୁ ଉତ୍ପାଦନ ଏହି ଅବଧିରେ ବଡ ପରିମାଣରେ ହ୍ରାସ ହୋଇଛି । ଏହି ଅଞ୍ଚଳରେ ନୂଆ ଫିଲ୍ଡ ବାର୍ଷିକ ଭିତ୍ତିରେ ୧୯% ବଢ଼ିଥିବା ବେଳେ ଉତ୍ପାଦନ ସେହି ଅନୁସାରେ ବଢ଼ି ପାରିନି । ସେହିଭଳି ଓଏନ୍ଜିସିର ଉତ୍ପାଦନ ମଧ୍ୟ ସେଭଳି ବଢ଼ିନି ।
ଅଧିକ ପଢ଼ନ୍ତୁ :- ଇସ୍ରାଏଲ-ଆମେରିକା ଆକ୍ରମଣରେ ରକ୍ତାକ୍ତ ଇରାନର ସୁପ୍ରିମ୍ ଲିଡର: କଟିଲା ଗୋଡ଼, ଜଳିଗଲା ଚେହେରା; ହେବ ପ୍ଲାଷ୍ଟିକ ସର୍ଜରୀ !
ତୈଳ ଶିଳ୍ପ ବିଶେଷଜ୍ଞ କହିଛନ୍ତି, ଗତ ଦଶନ୍ଧିରେ ଦେଶରେ ସେଭଳି କିଛି ବଡ ତୈଳ ଏବଂ ଗ୍ୟାସ ଉତ୍ପାଦନ କ୍ଷେତ୍ର ଯୋଡ଼ି ହୋଇନି । ସମୟକ୍ରମେ ତେଲ ଏବଂ ଗ୍ୟାସ ସମ୍ପଦ ହ୍ରାସ ହେଉଛି । ନୂଆ କ୍ଷେତ୍ର ବିକଶିତ ନ ହେଲେ ଉତ୍ପାଦନ ବଢ଼ାଇବା ବଡ ଆହ୍ୱାନ । ସେହିଭଳି କମ୍ପାନି ଗୁଡ଼ିକ ନିକଟରେ ଗଚ୍ଛିତ ଥିବା ପ୍ରାକୃତିକ ସମ୍ବଳର ଉତ୍ପାଦନ ସେମାନେ ତ୍ୱରିତ ଭାବେ ବଢ଼ାଇବାକୁ ସକ୍ଷମ ହେଉନାହାନ୍ତି । ଯାହାର ପ୍ରଭାବ ଉତ୍ପାଦନ ଉପରେ ପଡୁଛି । ତୈଳ ଶିଳ୍ପର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ନୀତିଗତ ପଦକ୍ଷେପ ଆଖିଦୃଶିଆ ନ ହେବାରୁ ଦେଶରେ ଏ କ୍ଷେତ୍ରରେ ନିବେଶ ନେଇ କମ୍ପାନି ଏତେଟା ଆଗଭର ହେଉନାହାନ୍ତି । ଉତ୍ପାଦନ ବଢ଼ାଇବାକୁ ହେଲେ ନୂଆ ତେଲ ଏବଂ ଗ୍ୟାସ କ୍ଷେତ୍ର ସନ୍ଧାନରେ ଅଧିକ ନିବେଶ ଜରୁରୀ ।