ନୂଆଦିଲ୍ଲୀ, ୧୨/୦୫ : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ଟେକ୍ ଜଗତରେ ହାହାକାର। ବିପଦରେ ଚାକିରି। ମେ ୨୦ରେ ୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା। କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀ କେବଳ ସେହି କର୍ମଚାରୀମାନଙ୍କୁ ରଖିବାକୁ ଚାହୁଁଛି ଯେଉଁମାନେ ଏକାକୀ ବଡ଼ ପ୍ରକଳ୍ପଗୁଡ଼ିକୁ ପରିଚାଳନା କରିପାରିବେ।

ଜୁକରବର୍ଗଙ୍କ କହିବା ଅନୁଯାୟୀ, ପୂର୍ବରୁ ଯେଉଁ କାମକୁ ୧୨ ଜଣ ଇଞ୍ଜିନିୟର ମିଶି ମାସ ମାସ ଧରି କାମ କରୁଥିଲେ ଏବେ ସେହି କାମକୁ ଏଆଇ ସାହାଯ୍ୟରେ ଜଣେ କିମ୍ଵା ଦୁଇ ଜଣ ଲୋକ ଏକ ସପ୍ତାହରେ ସାରି ଦେଉଛନ୍ତି। ଏହି ପରିବର୍ତ୍ତନ ପାଇଁ କମ୍ପାନୀ ଏବଂ ଟିମ୍ ଗୁଡ଼ିକରୁ ଛଟେଇ କରୁଛି। ତେବେ ଏହି ନିଷ୍ପତ୍ତି ଦ୍ଵାରା କମ୍ପାନୀର ଆର୍ଥିକ ବୋଝ କମିବ। ମେଟା ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବ। କମ୍ପାନିରେ ଏବେ ଅଲ୍ଟ୍ରାଫ୍ଲାଟ ଢାଞ୍ଚା ଲାଗୁ କରାଯାଇଛି। ଏହି ଢାଞ୍ଚା ଅନୁଯାୟୀ, ୫୦ ଇଞ୍ଜିନିୟରଙ୍କ ପାଇଁ କେବଳ ଜଣେ ମ୍ୟାନେଜର କାମ କରୁଛନ୍ତି। 

ମେଟା ଚଳିତ ବର୍ଷ ଡାଟା ସେଣ୍ଟର, କଷ୍ଟମ ଚିପ୍ସ ଏବଂ ଏଆଇ ମଡେଲ ଟ୍ରେନିଂ ଉପରେ ୧୨୫ ରୁ ୧୪୫ ଅରବ ଡଲାର ଖର୍ଚ୍ଚ କରିଥିଲା। କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ସୁସାନ ଲି ଏନେଇ କହିଛନ୍ତି ଯେ, ଭିତ୍ତିଭୂମି ଖର୍ଚ୍ଚ ଗତ ବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ ହୋଇଛି। ଯାହା କର୍ମଚାରୀଙ୍କ ଦରମା ଏବଂ କମ୍ପାନୀର ବଜେଟ୍ ମଧ୍ୟରେ ଅସନ୍ତୁଳନ ସୃଷ୍ଟି କରିଛି। ଏହି ଅସନ୍ତୁଳନକୁ ଦୂର କରିବା ପାଇଁ ମେ ୨୦ ରେ ଛଟେଇ ନିଷ୍ପତ୍ତି ନିଆଯାଇଛି। ଏହି ବିପୁଳ ଖର୍ଚ୍ଚ ଏବଂ ଅନିଶ୍ଚିତତା ମଧ୍ୟ ନିବେଶକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଯାହା ଫଳରେ ମେଟା ସେୟାରରେ ୬ ପ୍ରତିଶତ ହ୍ରାସ ଘଟିଛି।

ମେଟାର ନୂତନ ରଣନୀତି ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟ ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରୁଛି। ମେଟା ସ୍ପଷ୍ଟ କରିଛି ଯେ, ଯେଉଁମାନେ AI ଉପକରଣ ସହିତ ଶୀଘ୍ର କାମ କରିପାରିବେ ସେମାନଙ୍କ ହାତରେ କମ୍ପାନୀର ଭବିଷ୍ୟତ। ତେବେ ଭିତ୍ତିଭୂମିରେ ବଡ଼ ନିବେଶ ଏବଂ ନୂଆ ଟିମ୍ ଗଠନ ପରେ କମ୍ପାନୀକୁ କେତେ ଆର୍ଥିକ ଲାଭ ମିଳିବ ତାହା ଦେଖିବାକୁ ବାକି ରହିଲା।..

ଏହି ଖବରଟିକୁ ପଢନ୍ତୁମେ' ୧୫ରୁ ୫ଟି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଲିଷ୍ଟରେ ଅଛି କେଉଁ ଦେଶ ?