ନୂଆଦିଲ୍ଲୀ,୧୨/୦୫; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାରଠାରୁ ବିଦେଶ ଗସ୍ତରେ ରହିବେ । ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁଯାୟୀ, ଏହି ୬ ଦିନିଆ ଯାତ୍ରାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଯିବେ । ବିଶ୍ୱରେ ଚାଲିଥିବା ଉତ୍ତେଜନା ଏବଂ ଅଶାନ୍ତି ମଧ୍ୟରେ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ମେ' ୧୫ରେ ୟୁଏଇ ଗସ୍ତ କରି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିବେ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁଏଇ ଗସ୍ତ ଭାରତ ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । ୟୁଏଇ ହେଉଛି ଭାରତର ତୃତୀୟ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଏବଂ ଗତ ୨୫ ବର୍ଷ ମଧ୍ୟରେ ସାମଗ୍ରିକ ଭାବରେ ସପ୍ତମ ସର୍ବବୃହତ ନିବେଶ ଉତ୍ସ ହୋଇଛି । ୟୁଏଇରେ ୪.୫ ନିୟୁତରୁ ଅଧିକ ଭାରତୀୟ ନାଗରିକ ବାସ କରନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ସେମାନଙ୍କ କଲ୍ୟାଣ ବିଷୟରେ ମଧ୍ୟ ଆଲୋଚନା କରାଯିବ । ଏହା ପରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ନେଦରଲ୍ୟାଣ୍ଡ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ପୂର୍ବରୁ ୨୦୧୭ ରେ ନେଦରଲ୍ୟାଣ୍ଡ ଗସ୍ତ କରିଥିଲେ। ଏଠାରେ, ପ୍ରଧାନମନ୍ତ୍ରୀ ମୋଦି ରାଜା ୱିଲେମ-ଆଲେକଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବେ । ସେ ଡଚ୍ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ମଧ୍ୟ ଆଲୋଚନା କରିବେ। ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ, ସେମିକଣ୍ଡକ୍ଟର ଏବଂ ଜଳ କ୍ଷେତ୍ରରେ ରଣନୈତିକ ସହଭାଗୀତା ଏବଂ ସହଯୋଗକୁ ସୁଦୃଢ଼ ​​କରିବା ଉପରେ ଆଲୋଚନା ହେବ । ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୪-୨୫ରେ ୨୭.୮ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ହେବ ବୋଲି ଆକଳନ କରାଯାଇଥିଲା ।

ଏହାପରେ ସ୍ୱିଡେନ ଗସ୍ତ କରି ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲଫ୍ କ୍ରିଷ୍ଟରସନଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ୨୦୧୮ ରେ ସ୍ୱିଡେନ ଗସ୍ତ କରିଥିଲେ। ୨୦୨୫ ରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୭.୭୫ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ, ସବୁଜ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ ଏବଂ ଲୋକ-ଲୋକ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରାଯିବ । 

ଏହା ବି ପଢନ୍ତୁ...Gold Import In India: ଭାରତ ବର୍ଷେ ଯାଏଁ ସୁନା ନ କିଣିଲେ କ’ଣ ହେବ ? କେଉଁ ଦେଶ ସହିବେ କୋଟି କୋଟି ଟଙ୍କାର କ୍ଷତି ?  

ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପିଏମ୍ ମୋଦି ନରୱେ ଯିବା ସହ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।  ଉଭୟ ଦେଶର ନେତୃତ୍ୱ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ନରୱେ ଗସ୍ତ । ଗତ ୪୩ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିବେ । 

​​​​​​​

ଏହା ବି ପଢନ୍ତୁ...ସୁନା କିଣିବାକୁ ପିଏମ ମୋଦିଙ୍କ ‘ନା’: ଜାଣନ୍ତୁ କାହିଁକି ‘ଗୋଲ୍ଡ ଷ୍ଟ୍ରାଇକ୍’ ପାଇଁ ଦେଶବାସୀଙ୍କୁ କଲେ ନିବେଦନ ?