• ମନରେଗା ହେବ ‘ବିକଶିତ ଭାରତ ଜି ରାମ ଜି’
  • କେନ୍ଦ୍ର ସରକାର ସଂସଦରେ ଆଣିବେ ନୂଆ ବିଲ୍
  • ୧୦୦ ଦିନ ବଦଳରେ ମିଳିବ ୧୨୫ ଦିନର କାମ
  • କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧ

ନୂଆଦିଲ୍ଲୀ,୧୫।୧୨: ଗ୍ରାମୀଣ ରୋଜଗାର ନୀତିରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ବା (ମନରେଗା)ର ନା ବଦଳିବ। ଏହା ବଦଳରେ ଆଉ ଗୋଟିଏ ନୂଆ ଗ୍ରାମୀଣ ନିଯୁକ୍ତି ଯୋଜନା ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏମଜିନରେଗା ବା ମନରେଗା ଯୋଜନା ବଦଳରେ ଆଉ ଗୋଟିଏ ସ୍କିମ ଲାଗୁ କରିବା ପାଇଁ ସରକାର ଶୀତ ଅଧିବେଶନରେ ବିଲ ଆଗତ କରିବେ। ଏହାର ନାଁ ରହିଛି ‘ବିକଶିତ ଭାରତ ଜି ରାମ ଜି’।

ବିଲ୍ର ପ୍ରସ୍ତାବ ଅନୁସାରେ, ସରକାର ୨୦୦୫ର ମନରେଗା ଆଇନକୁ ବାତିଲ କରି ତା ସ୍ଥାନରେ ସରକାର ଆଣିଥିବା ନୂଆ ବିଲର ନାଁ ହେଉଛି ‘ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବିଲ୍ ୨୦୨୫ । ବିଲ୍ କପି ସୋମବାର ଲୋକସଭାର ସାଂସଦଙ୍କୁ ସର୍କୁଲେଟ୍ କରାଯାଇଛି। ଏହାର ଉଦେଶ୍ୟ ଗ୍ରାମୀଣ ରୋଜଗାର ବ୍ୟବସ୍ଥାକୁ ନୂଆ ଭାବରେ ପରିଭାଷିତ କରିବା। ଏହାକୁ ‘ଭିବି ଜି ରାମ ଜି’ ମଧ୍ୟ କୁହାଯାଉଛି। ଏହି ବିଲକୁ ସଂସଦର ଉଭୟ ସଦନରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ସାଂସଦକୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି। ସରକାରଙ୍କ କହିବା କଥା ଯେ ନୂଆ ବିଲ୍‌ରେ ବିକଶିତ ଭାରତ ୨୦୪୭ ଭିଜନକୁ ପୂରଣ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି।

ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫କୁ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଲଞ୍ଚ କରିଥିଲେ। ଏହା ନରେଗା ନାଁରେ ପ୍ରଥମେ ପରିଚିତ ଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ବା ‘ଏମଜିନରେଗା’ ବା ‘ମନରେଗା’ ନାଁକୁ ପରିବର୍ତ୍ତନ କରାଯାଇଥିଲା। ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମ। ୨୦୨୨-୨୩ ପର୍ଯ୍ୟନ୍ତ ଏହା ଅନୁସାରେ, ୧୫.୪ କୋଟି ସକ୍ରିୟ ଶ୍ରମିକ ପଞ୍ଜିକୃତ ଥିଲେ। ଏହା ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳର ମହିଳାଙ୍କୁ ସଶକ୍ତିକରଣ କରିଛି। ଏହାର ସବୁଠାରୁ ବଡ ବିଶେଷ୍ବତ ଥିଲା ଗ୍ରାମୀଣ ବୟସ୍କଙ୍କୁ କାମ ମାଗିବାର ୧୫ ଦିନ ଭିତରେ ରୋଜଗାର ଦେବା ଆଇନଗତ ଗ୍ୟାରେଣ୍ଟି ଦିଏ। ଯଦି ଏଭଳି ନହୁଏ ତେବେ ବେରୋଜଗାର ଭତ୍ତା ଦେବାର ମଧ୍ୟ ନିୟମ ରହିଛି। ଏହା ଅନୁସାରେ, ୧୦୦ ଦିନର କର୍ମନିଯୁକ୍ତି ମିଳୁଥିଲା। ତେବେ କେନ୍ଦ୍ର ସରକାର ‘ଭିବି ଜି ରାମ ଜି’ ମାଧ୍ୟମରେ ୧୨୫ ଦିନର କାମ ଦେବାର ପ୍ରସ୍ତାବ ଦେଇଛନ୍ତି। ନୂଆ ଯୋଜନାର ପ୍ରସ୍ତାବରେ କାମ ପୁରା ହେବାର ୭ ରୁ ୧୫ ଦିନ ଭିତରେ ମଜୁରୀ ଦେବା ବାଧ୍ୟତାମୂଳକ। ବିଳମ୍ବ ହେଲେ ବେରୋଜଗାରୀ ଭତ୍ତା ଦେବାର ମଧ୍ୟ ନିୟମ ରହିଛି। ପ୍ରସ୍ତାବ ଅନୁସାରେ, କାର୍ଯ୍ୟକୁ ଚାରୋଟି ମୁଖ୍ୟ ବର୍ଗରେ ବଣ୍ଟାଯିବ। ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରଶମନ ଭଳି ୪ଟି ବର୍ଗରେ ଲୋକଙ୍କୁ କାମ ମିଳିବ। ‘ଭିବି ଜି ରାମ ଜି’ ଯୋଜନାରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ। ଉତ୍ତରପୂର୍ବ ଓ ହିମାଳୟୀ ରାଜ୍ୟରେ ଏହା ୯୦: ୧୦ ଅନୁପାତ ରହିବ। କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ୧୦୦% ରହିବ ବୋଲି ଜଣାପଡ଼ିଛି। ବାର୍ଷିକ ୧.୫୧ ଲକ୍ଷ କୋଟି ଖର୍ଚ୍ଚ ମଧ୍ୟରୁ କେନ୍ଦ୍ର ସରକାର ୯୫,୬୯୨ କୋଟି ଟଙ୍କାର ଅନୁଦାନ ଦେବେ।

ଏହାକୁ କଂଗ୍ରେସ ସହ ବାମ ଦଳ ପକ୍ଷରୁ ବିରୋଧ କରାଯାଇଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମହାତ୍ମା ଗାନ୍ଧୀ ନା କେବଳ ଦେଶ ବଂର ବିଶ୍ବରେ ସବୁଠାରୁ ମହାନ ନେତା ଭାବେ ପରିଚିତ। ତେଣୁ ତାଙ୍କ ନାଁ ହଟିବା ପଛର ଉଦେଶ୍ୟ ବୁଝି ପାରୁନି। ଏଥିପାଇଁ ଟଙ୍କା ଓ ସମୟ ଉଭୟ ନଷ୍ଟ ହେବ। ସିପିଆଇଏମ୍ ମହାସଚିବ ଏମ୍ଏ ବେବି ଏହାକୁ ତଥ୍ୟ ଲୁଚାଇବାର ଚେଷ୍ଟା ବୋଲି କହିଛନ୍ତି। ସେ କହିଛନ୍ତି, ମନରେଗାର ପୁନଃଗଠନକୁ ନେଇ କେନ୍ଦ୍ର ସରକାର କେବଳ ଲୋକ ଦେଖାଣିଆ କାମ କରୁଛନ୍ତି। ଏହା ଦ୍ବାରା ତଥ୍ୟକୁ ଲୁଚଇବାର ଚେଷ୍ଟା କରାଯାଉଛି।ଏହା ଦ୍ବାରା ଗ୍ରାମୀଣ ସଙ୍କଟ ଆହୁରି ବଢିଯିବ।