ନୂଆଦିଲ୍ଲୀ, ୧୯/୦୫ : ନାଗରିକତା ନିୟମ ୨୦୦୯ରେ ସଂଶୋଧନ କଲା ଗୃହ ମନ୍ତ୍ରାଳୟ। ଏଣିକି ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ଅଳ୍ପସଂଖ୍ୟକ ଆବେଦକଙ୍କ ପାଇଁ ପାସପୋର୍ଟ ବିବରଣୀ ଦେବା ଅନିବାର୍ଯ୍ୟ ହେବ। ଏବେ ଏହି ଦେଶରୁ ଆସୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସି ସମୁଦାୟର ଲୋକଙ୍କୁ ସେମାନଙ୍କ ନିକଟରେ କୌଣସି ବୈଧ କିମ୍ଵା ଏକ୍ସପାୟାରଡ୍ ପାସପୋର୍ଟ ଅଛି କି ନାହିଁ ଜଣାଇବାକୁ ପଡିବ। ଯଦି ପାସପୋର୍ଟ ଥିବ ତାହେଲେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ ଏବଂ ଭାରତୀୟ ନାଗରିକତା ମିଳିବାର ୧୫ ଦିନ ଭିତରେ ତାଙ୍କୁ ସରେଣ୍ଡର କରିବାକୁ ପଡିବ। ନୂଆ ଅଧିସୂଚନା ଦ୍ଵାରା ନାଗରିକତା ପ୍ରକ୍ରିୟା ଆହୁରି କଠୋର ହୋଇଛି।
ନୂଆ ନିୟମ ଅନୁଯାୟୀ, ନାଗରିକତା ପାଇଁ ଆବେଦନ କରୁଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ଆବେଦକଙ୍କୁ ଏବେ ପାସପୋର୍ଟ ସମ୍ବନ୍ଧିତ ବିସ୍ତୃତ ତଥ୍ୟ ଦେବାକୁ ପଡିବ। ଏଥିରେ ପରିଚୟ, ଯାତ୍ରା ଷ୍ଟାଟସ୍ ଏଵଂ ଆନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ଅନ୍ତର୍ଭୁକ୍ତ ହେବ। ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ପରିବର୍ତ୍ତନ ନାଗରିକତା ପ୍ରକ୍ରିୟାରେ ଯେକୌଣସି ଅନିୟମିତତା କିମ୍ବା ଜାଲିଆତିକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ। ଏହା ଆବେଦନକାରୀଙ୍କ ପରିଚୟ ଏବଂ ପୃଷ୍ଠଭୂମି ଯାଞ୍ଚକୁ ଉନ୍ନତ କରିବ, ଏହା ସୁନିଶ୍ଚିତ କରିବ ଯେ କେବଳ ସମସ୍ତ ଆଇନଗତ ଆବଶ୍ୟକତା ପୂରଣ କରୁଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରାଯିବ।
ଅଧିକାରୀଙ୍କ ଅନୁଯାୟୀ, କିଛି ଆବେଦନକାରୀଙ୍କ ପାଖରେ ପୁରୁଣା କିମ୍ବା ଅବୈଧ ବିଦେଶୀ ପାସପୋର୍ଟ ଥିବା ନେଇ ଅନେକ ମାମଲା ରିପୋର୍ଟ ହୋଇଛି। ଭାରତୀୟ ଆଇନ ଅନୁଯାୟୀ ଦ୍ୱୈତ ନାଗରିକତା ଏବଂ ଦୁଇଟି ପାସପୋର୍ଟ ରଖିବା ଅନୁମତି ନାହିଁ। ତେଣୁ ସରକାର ଏବେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଭାରତୀୟ ନାଗରିକତା ପାଇବା ପରେ କେହି ଅନ୍ୟ ଦେଶର ପରିଚୟ କିମ୍ବା ଡକ୍ୟୁମେଣ୍ଟ ବ୍ୟବହାର କରିପାରିବେ ନାହିଁ।
CAAର ନୂଆ ନିୟମ କ'ଣ ?
ନୂଆ ନିୟମ ଅନୁଯାୟୀ, ପ୍ରତ୍ୟେକ ଆବେଦକଙ୍କୁ ଶପଥ ପତ୍ର ଜରିଆରେ ଘୋଷଣା କରିବାକୁ ହେବ ଯେ, ସେମାନଙ୍କ ନିକଟରେ ପାକିସ୍ତାନ, ଆଫଗାନିସ୍ତାନ କିମ୍ଵା ବାଂଲାଦେଶ ସରକାରଙ୍କର କୌଣସି ବୈଧ ଏବଂ ଏକ୍ସପାୟାରଡ ପାସପୋର୍ଟ ନାହିଁ। ଯଦି କୌଣସି ବ୍ୟକ୍ତି ପାଖରେ ଅଛି, ତେବେ ତାଙ୍କୁ ତୁରନ୍ତ ପାସପୋର୍ଟ ନମ୍ଵର, ଜାରି ହେବା ସ୍ଥାନ, ତାରିଖ ଏବଂ ଏକ୍ସପାଏରୀ ତାରିଖ ତଥ୍ୟ ଦେବାକୁ ପଡିବ। ଏହା ପରେ, ଯଦି ନାଗରିକତା ମଞ୍ଜୁର ହୁଏ, ତେବେ ୧୫ ଦିନ ମଧ୍ୟରେ ପାସପୋର୍ଟକୁ ସମ୍ପୃକ୍ତ ଦେଶର ଦୂତାବାସ କିମ୍ବା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡିବ।
ଏହି ଖବରଟିକୁ ପଢନ୍ତୁ- Sanatan devotion : ସନାତନ ପ୍ରେମରେ ଋଷୀୟ ସାଧ୍ଵୀ, ୪୩ ଡିଗ୍ରୀ ଖରାରେ କରୁଛନ୍ତି ଅଗ୍ନି ତପସ୍ୟା