ନୂଆଦିଲ୍ଲୀ, ୧୯/୦୫ : ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରଖର ତେଜ। ଟାଇଁ ଟାଇଁ ଖରାରେ ଟକମକ୍ ହୋଇ ଫୁଟୁଛି ତତଲା ବାଲି। ଝାଞ୍ଜି ମାଡ଼ରେ ଅଧ ଘଣ୍ଟା ବି ଠିଆ ହେବା ବି ମୁସ୍କିଲ୍। ତା ଉପରେ ପୁଣି ଚାରିପଟେ ହୁତୁହୁତୁ ହୋଇ ଜଳୁଛି ୯ଟି ଧୂନି। ସେହି ଧୂନୀ ମଣ୍ଡଳୀ ମଧ୍ୟରେ ବସି ତପସ୍ୟା କରୁଛନ୍ତି ଜଣେ ଋଷୀୟ ସାଧ୍ଵୀ। ତାଙ୍କ ସହ ଅଛନ୍ତି ତାଙ୍କ ଗୁରୁ। ରାଜସ୍ଥାନର ତୀର୍ଥରାଜ ପୁଷ୍କରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଯାହାକି ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
୪୩ ଡିଗ୍ରୀ ଖରାରେ ଅଗ୍ନି ତପସ୍ୟା କରୁଥିବା ସାଧ୍ଵୀ ଜଣଙ୍କ ଋଷୀୟ ନାଗରିକ। ସୋଭିଏତ୍ ସଙ୍ଘରେ ସେ ଜନ୍ମଗ୍ରହଣ କରିଥିବା ବେଳେ କାଜାଖସ୍ତାନରେ ବଢିଛନ୍ତି । ୧୭ ବର୍ଷ ତଳେ ସେ ଭାରତ ଆସି ସନାତନ ଧର୍ମ, ସଂସ୍କୃତି ପ୍ରେମରେ ବାନ୍ଧି ହୋଇଯାଇଛନ୍ତି। ନିଜ ପରିବାରକୁ ତ୍ୟାଗ କରି ସେ ଭାରତରେ ରହିଯାଇଛନ୍ତି। ନିଜ ପରିଚୟକୁ ପଛରେ ଛାଡ଼ି ଏଠାରେ ଅଟକି ଯାଇଛନ୍ତି।
ଏହି ଋଷୀୟ ମହିଳା ଜଣଙ୍କ ଦୀର୍ଘ ୧୦ ବର୍ଷ ତଳେ ଗୁରୁ ବାଲ ଯୋଗୀ ଦୀପକ ନାଥଙ୍କ ଠାରୁ ଦୀକ୍ଷା ନେଇଥିଲେ। ଏହାପରେ ସେ ଯୋଗିନୀ ଅନ୍ନପୂର୍ଣ୍ଣ ନାଥ ନାମରେ ନୂଆ ପରିଚୟ ପାଇଲେ। ସେ ନବରାତ୍ରୀ ସମୟରେ ପୁଷ୍କରରେ ହଟଯୋଗ ଖଡେଶ୍ଵରୀ ତପସ୍ୟା କରି ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଥିଲେ। ଦିନରାତି ୯ ଦିନ ବ୍ୟାପୀ ସେ ଗୋଟିଏ ସ୍ଥାନରେ ଠିଆ ହୋଇ ତାଙ୍କର ସାଧନା ଜାରି ରଖିଥିଲେ। ଏବେ ସେ ହଟଯୋଗ କରୁଛନ୍ତି। ୯ଟି ଅଗ୍ନି ଧୂନୀ ମଧ୍ୟରେ ବସି ତପସ୍ୟା କରୁଛନ୍ତି।
ଦିନ ୧୧ଟାରୁ ଅପରାହ୍ନ ୨ଟା ୧୫ ଯାଏଁ ଡହ ଡହ ଖରାରେ ଯୋଗିନୀ ଅନ୍ନପୂର୍ଣ୍ଣା ବସି ଗୁରୁଙ୍କ ପ୍ରଦତ୍ତ ବୀଜ ମନ୍ତ୍ର ଜପ କରିବା ସହ ଶିବଙ୍କ ଉପାସନା କରୁଛନ୍ତି। ସାଧନା ସମୟରେ ସାଧ୍ଵୀ ଓ ତାଙ୍କ ଗୁରୁ ଶରୀରରେ ଗୋମୟ ଭସ୍ମ ବୋଳି ହେଉଛନ୍ତି। ଆତ୍ମା ଶୁଦ୍ଧି ଏବଂ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ଯୋଗିନୀ ଅନ୍ନପୂର୍ଣ୍ଣା ଏଭଳି କଠୋର ତପ କରୁଛନ୍ତି। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ତପସ୍ୟା ଆସନ୍ତା ୨୫ ତାରିଖ ଯାଏଁ ଚାଲିବ। ଯଜ୍ଞରେ ପୂର୍ଣ୍ଣାହୂତି ଦେଇ ଅନ୍ନପୂର୍ଣ୍ଣା ତପସ୍ୟା ସମାପ୍ତ କରିବେ। ସାଧ୍ଵୀ ଅନ୍ନପୂର୍ଣ୍ଣା ଭାରତରେ ରହିବା ମଧ୍ୟରେ ୫୨ଟି ମୁଖ୍ୟ ଶକ୍ତିପୀଠ ଯାତ୍ରା ଅଭିଯାନ ଆରମ୍ଭ କରିଛନ୍ତି। ୨୬ତମ ଶକ୍ତିପୀଠ ପୁଷ୍କରରେ ସେ କିଛି ମାସ ହେବ ଅଟକି ରହିଛନ୍ତି। ପୁଷ୍କରର ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସେ କହିଛନ୍ତି।